କନକ ବ୍ୟୁରୋ: ତୁନେ ମାର୍ ଏଣ୍ଟ୍ରି ୟାର୍ ଦିଲମେ ବଜେ ଘଣ୍ଟି ୟାର... ଟଙ୍ଗ...ଟଙ୍ଗ...ଟଙ୍ଗ...। ବଲିଉଡର ଗୁଣ୍ଡେ ଫିଲ୍ମ ଗୀତରେ କମ୍ପୁଥିଲା ହୋଟେଲ ଗ୍ରାଉଣ୍ଡ, ଗୀତର ତାଳେ ତାଳେ ତାଳିମାରି ଝୁମୁଥିଲେ ହୋଟେଲ କର୍ମଚାରୀ । ଗୋଟିଏ ପଟେ ଗୀତ ବାଜୁଥିଲା ଆଉ ଅନ୍ୟ ପଟେ ଖେଳାଳିଙ୍କ କାନ୍ଧରେ ଉତ୍ତରୀୟ ପକାଇ ସ୍ୱାଗତ କରାଯାଉଥିଲା । ମ୍ୟାଚ ପାଇଁ ଆସିଥିବା ଦୁଇ ଦେଶର ଖେଳାଳିଙ୍କୁ ପାଛୋଟି ଆଣିବା ବେଳେ ମେଫେୟାର ହୋଟେଲରେ ଏମିତି ଥିଲା ଦୃଶ୍ୟ ।
ବଲିଉଡ ଗୀତରେ ଖେଳାଳିଙ୍କୁ ସ୍ୱାଗତ କରିବାକୁ କୌଣସି ଯୋଜନା କରାଯାଇଥିବା ନେଇ ହୋଟେଲ କର୍ତ୍ତୃପକ୍ଷ ପୂର୍ବରୁ ସୂଚନା ଦେଇ ନଥିବା ବେଳେ ହଠାତ ଏଭଳି ସ୍ୱାଗତ ଦେଖି ସମସ୍ତେ ଚକିତ ହୋଇଯାଇଥିଲେ । ତେବେ ଓଡିଶାରେ ହିନ୍ଦୀ ଗୀତର ତାଳେ ତାଳେ ଖେଳାଳିଙ୍କୁ ସ୍ୱାଗତ କରିବା କଥାକୁ କିଛି ଲୋକ ସମାଲୋଚନା କରିଛନ୍ତି । ଦୀର୍ଘ ୨୦ ବର୍ଷ ଧରି ଯେଉଁ ପରମ୍ପରାରେ ଖେଳାଳିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରା ହୋଇ ଆସୁଥିଲା ତାହା ୨୦ ମିନିଟରେ ଦଳି ଦିଆଗଲା ।
ସ୍ୱାଗତ ବେଳେ ଓଡିଶାର ପରମ୍ପରା, ଓଡିଶାର ଆତିଥ୍ୟତାକୁ ଏତେତା ପାଳନ ହୋଇନଥିଲା । ଯେଉଁ ସବୁ ପରମ୍ପରା ପାଇଁ ଓଡିଶାକୁ ଭାରତୀୟ ଖେଳାଳି ସହ ବିଦେଶୀ ଖେଳାଳିମାନେ ପସନ୍ଦ କରନ୍ତି ତାକୁ କିଛି ମାତ୍ରାରେ ଅଣଦେଖା କରାଯାଇଖିଲା । ତେବେ କଣ ପାଇଁ ହିନ୍ଦୀ ଗୀତରେ ଖେଳାଳିଙ୍କୁ ସ୍ୱାଗତ କରାଗଲା ବୋଲି ଅଭିଯୋଗ ହେଉଛି । ସ୍ୱାଗତର କଣ ଆଉ ଅନ୍ୟ କିଛି ତରିକା ନଥିଲା ? ସ୍ୱାଗତ ପାଇଁ ଓଡିଆରେ ଅନେକ ମାର୍ମିକ ଗୀତ ଥାଇ ବି ହିନ୍ଦୀ ଗୀତକୁ କଣ ପାଇଁ ବଛାଗଲା ? ଓଡିଆ ଗୀତ ହୁଏତ ବିଦେଶୀ ଖେଳାଳି ବୁଝି ପାରିନଥାନ୍ତେ ମାତ୍ର ବାଜିଥିବା ହିନ୍ଦୀ ଗୀତ କଣ ବୁଝି ପାରିଲେ କି ? ଯେଉଁଭଳି ଭାବେ ହୋଟେଲ କର୍ମଚାରୀ ହିନ୍ଦୀ ଗୀତରେ ନାଚିଲେ ସେମାନେ କଣ ଓରଜିନାଲ ନୃତ୍ୟ ଠାରୁ ଭଲ ନାଚି ପାରିଲେ କି? ନାହିଁ ନା... ତେବେ ଓଡିଶାର କଳା, ଓଡିଶାର ନୃତ୍ୟ, ଓଡିଶାର କଳା ସଂସ୍କୃତି ମାଧ୍ୟମରେ ସ୍ୱାଗତ କରିଥିଲେ ଅସୁବିଧା କଣ ହୋଇଥାନ୍ତା ?
ସେପଟେ ଖେଳାଳିଙ୍କୁ ଯଦି ଓଡିଶାର ପରମ୍ପରା ଜଣାଇବାକୁ ଓଡିଆ ଖାଦ୍ୟ, ଓଡିଆ ପାନୀୟ ପରସା ଯାଉଛି ତେବେ କଣ ପାଇଁ ଓଡିଶାର ଅନ୍ୟ ଦିଗକୁ ଭୁଲିଗଲେ କର୍ତ୍ତୃପକ୍ଷ ? ହିନ୍ଦୀ ଗୀତ ବଜାଇ ହୁଏତ କେତେକାଂଶରେ ଓସିଏ ଏବଂ ହୋଟେଲ କର୍ତ୍ତୃପକ୍ଷ ଖେଳାଳିଙ୍କ ହୃଦୟ ଜିଣିଥିବେ ହେଲେ ଅନେକ ଦିଗକୁ ଭୁଲି ମଧ୍ୟ ଯାଇଛନ୍ତି । ସ୍ୱାଗତ ବେଳେ ଓଡିଶୀ ନୃତ୍ୟ, ଓଡିଆ ପୋଷାକ, ଓଡିଶାର ବାଜା, ପଟ୍ଟଚିତ୍ର ଆଦି କଳା ସଂସ୍କୃତି ପରିବେଷଣ କରି ମଧ୍ୟ ସୁନ୍ଦର ଭାବେ ପାଛୋଟି ଆଣି ହୋଇଥାନ୍ତା ହେଲେ ସେସବୁ ଦିଗକୁ ଅଣଦେଖା କରିଦେଲେ ଉଭୟ କର୍ତ୍ତୃପକ୍ଷ ।
ଯଦିଓ ହୋଟେଲ କର୍ତ୍ତୃପକ୍ଷ ଏବଂ ଓସିଏର ଦୁଇ ଦଳର ସଂଯୋଜକ ପରମ୍ପରାକୁ ଆପଣା ଯାଇଥିବା ସଫେଇ ଦେଇଛନ୍ତି । କିନ୍ତୁ ଗଣମାଧ୍ୟମରେ ପ୍ରକାଶିତ କୌଣସି ଦୃଶ୍ୟରେ ସେସବୁ ଦେଖିବାକୁ ମିଳିନଥିଲା । ତେବେ ଓଡିଆ ପରମ୍ପରାକୁ ଅଣଦେଖା କରି ଦୁଇ ଦେଶର ଖେଳାଳିଙ୍କୁ ବଲିଉଡ ଗୀତରେ ସ୍ୱାଗତ କରିବା କେତେ ଠିକ ତାହା ଏବେ ସଂସ୍କୃତିପ୍ରେମୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/12/4-11.jpg)