କନକ ବ୍ୟୁରୋ: କୋମଳମତି ପିଲାଙ୍କ ପାଠ ପଢାରେ ବାଧକ ସାଜିଛି ସରକାରୀ ନୀତି । ସ୍କୁଲ ଉଠିଯାଇଛି ଦୂରକୁ । ଜଙ୍ଗଲ ରାସ୍ତାରେ ପାଦରେ ଚାଲି ଚାଲି ଯାଉଛନ୍ତି କୁନି କୁନି ଛାତ୍ରଛାତ୍ରୀ । ଦୂର ରାସ୍ତା ହୋଇଥିବାରୁ କିଛି ପିଲା ରହିଯାଉଛନ୍ତି ଗାଁରେ । ସରକାରଙ୍କ ନିୟମ ଅନୁସାରେ ପିଲା ସଂଖ୍ୟା କମ୍ ଥିଲେ ସେହି ସ୍କୁଲରେ ପଡିବ ତାଲା । ଏମିତିକି ସେହି ବିଦ୍ୟାଳୟକୁ ଅନ୍ୟ ବିଦ୍ୟାଳୟ ସହିତ ମିଶ୍ରଣ କରାଯିବ । ଆଉ ସେହିଭଳି ସ୍ଥିତି ଦେଖିବାକୁ ମିଳିଛି ନବରଙ୍ଗପୁର ନନ୍ଦାହାଣ୍ଡି ଲଙ୍ଗଳ ଅଟାଳ ଗାଁରେ । ଆବଶ୍ୟକ ଛାତ୍ର ଛାତ୍ରୀ ନଥିବାରୁ ସରକାରୀ ନିୟମ ଅନୁସାରେ ଲଙ୍ଗଳଅଟାଳରେ ଥିବା ପ୍ରାଥମିକ ସ୍କୁଲ ଗତ ୨ ବର୍ଷ ହେବ ଦୂରରେ ଥିବା ମୁଦୁଲିଗୁଡାକୁ ସ୍କୁଲକୁ ଉଠିଯାଇଛି । ଗାଁରେ ସ୍କୁଲ ବନ୍ଦ ହୋଇଯିବାରୁ ଏହି ଗାଁର ପିଲା ପାହାଡ ଜଙ୍ଗଲ ରାସ୍ତା ଦେଇ ୩ କିଲୋମିଟର ଦୂର ମହୁଲିଗୁଡା ବିଦ୍ୟାଳୟକୁ ପଢିବାକୁ ଯାଉଛନ୍ତି । ପିଲାଙ୍କ ଭିଷ୍ୟତ ନେଇ ପରିବାର ବେଶ ଚିନ୍ତିତ ଥିବା ବେଳେ ଭବିଷ୍ୟ ଗଢିବାକୁ ପ୍ରତିଦିନ ବିପଦସଙ୍କୁଳ ରାସ୍ତା ଦେଇ ପିଲାଏ ଯାଉଛନ୍ତି ପଢିବାକୁ । ହେଲେ କିଛି ଅଭିଭାବକ ଜଙ୍ଗଲ ରାସ୍ତା ଦେଇ ପିଲାଙ୍କୁ ପାଠ ପଢିବାକୁ ଛାଡିବାକୁ ନାରାଜ । ଖୁବଶିଘ୍ର ଗାଁରେ ବିଦ୍ୟାଳୟ ଖୋଲାଯାଉ ନଚେତ୍ ରାସ୍ତାଟିଏ ତିଆରି କରାଯାଇ ଏହି ସମସ୍ୟାର ସମାଧାନ କରାଯିବାକୁ ଦାବି କରିଛନ୍ତି ଅଭିଭାବକ । ସେପଟେ ସମସ୍ୟା ନେଇ ବିଡ଼ିଓ ମଧ୍ୟ ସମାଧାନ ନେଇ ଦେଇଛନ୍ତି ପ୍ରତିଶ୍ରୁତି ।