ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଡେରେକ ଓବ୍ରାଏନ୍। କହିଲେ ‘ନବୀନ ପଟ୍ଟନାୟକ ଜଣେ ସ୍ୱାର୍ଥପର ରାଜନେତା’

5,453

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ଟିଏମସି ସାଂସଦ ଦେଇଥିବା ବୟାନ ରାଜ୍ୟ ରାଜନୀତିରେ ନିଆଁ ଲଗାଇଦେଇଛି । ସଂସଦରେ ଅନାସ୍ଥା ପ୍ରସ୍ତାବକୁ ବିଜେଡିର ବିରୋଧ ନିଷ୍ପତିକୁ ତୀବ୍ର ସମାଲୋଚନା କରିଛନ୍ତି ଡେରେକ ଓବ୍ରାୟନ । ବରିଷ୍ଠ ସାମ୍ବାଦିକ କରନ ଥାପାରଙ୍କୁ ସାକ୍ଷାତକାର ଦେଇ ଓବ୍ରାଏନ କହିଛନ୍ତି, ନବୀନ ପଟ୍ଟନାୟକ ଜଣେ ସ୍ୱାର୍ଥପର ରାଜନେତା । ଶେଷ ଯାଏଁ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ରହିବାକୁ ଚାହୁଁଛନ୍ତି । ନିଜକୁ ନିରପେକ୍ଷ କହୁଥିବା ନବୀନ ପଟ୍ଟନାୟକ, କିନ୍ତୁ ସବୁ ପ୍ରସଙ୍ଗରେ ମୋଦୀଙ୍କୁ ସମର୍ଥନ ଦେଇ ଆସୁଛନ୍ତି । ଓବ୍ରାଏନଙ୍କ ଏହି ମନ୍ତବ୍ୟର ଜବାବ ଦେଇଛି ବିଜେଡି । ବରିଷ୍ଠ ବିଜେଡି ବିଧାୟକ ଅରବିନ୍ଦ ଢାଲି କହିଛନ୍ତି ଓଡିଶାର ସ୍ୱାର୍ଥ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । କାହା ମନ୍ତବ୍ୟ ପ୍ରଭାବ ପକାଇ ପାରିବ ନାହିଁ । ବରିଷ୍ଠ ରାଜନେତା ଦାମ ରାଉତ କହିଛନ୍ତି ସଂଘୀୟ ବ୍ୟବସ୍ଥାରେ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ସୁସଂପର୍କ ରହିଲେ ରାଜ୍ୟରେ ବିକାଶ ସମ୍ଭବ । ତେଣୁ ନବୀନ ସମର୍ଥନ କରୁଛନ୍ତି ।

ସେପଟେ ରାଜ୍ୟସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ଟିଏମସି ସାଂସଦ ଡେରେକ ଓବ୍ରାଏନ ଦଣ୍ଡିତ ହୋଇଛନ୍ତି । ମୌସୁମୀ ଅଧିବେଶନରୁ ଡେରେକ ଓବ୍ରାୟନଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ । ବିଶୃଙ୍ଖଳିତ ଆଚରଣ ସହ ଅଧ୍ୟକ୍ଷକଙ୍କୁ ଅସମ୍ମାନ ପାଇଁ ଓବ୍ରାଏନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।