କନକ ବ୍ୟୁରୋ: ଅନିୟମିତତା ଅଭିଯୋଗରେ କଟକ ମହାନଗର ନିଗମ ଅଫିସରେ ସାରାରାତି ଧାରଣା ଦେଇଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି କର୍ପୋରେଟର । ଏହି ଧାରଣା ଜାରି ରହିଥିବାବେଳେ ବିରୋଧୀ କର୍ପୋରେଟରଙ୍କୁ ସମର୍ଥନ ଜଣାଇ ସେମାନଙ୍କ ସହ ସାମିଲ ହୋଇଛନ୍ତି ବିଧାୟକ ମହମ୍ମଦ ମୋକିମ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ତେବେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସିଏମସି ମେୟର ।

Kanak News is now on WhatsApp
Join and get latest news updates delivered to you via WhatsApp
କଟକ ମହାନଗର ନିଗମ କାର୍ଯ୍ୟାଳୟରେ ସୋମବାର ରାତିରେ ଦେଖିବାକୁ ମିଳିଛି ଏମିତି ଘଟଣା । ବେଆଇନ ଜମି ହଡପ, ଶୌଚାଳୟ ବାବଦ ଖର୍ଚ୍ଚ ଓ ଛତ୍ରବଜାର ପିଣ୍ଡି ବଂଟନରେ ଅନିୟମିତତା ଅଭିଯୋଗ ଆଣି ଧାରଣା ଦେଇଛନ୍ତି କଂଗ୍ରେସ-ବିଜେପି କର୍ପୋରେଟର । କଟକ ମହାନଗର ନିଗମ ସମ୍ମୁଖରେ ବସି ପ୍ରତିବାଦ ଜଣାଇଛନ୍ତି । ମେୟର ଓ କମିଶନର ଏହାର ଜବାବ ଦିଅନ୍ତୁ ବୋଲି ଦାବି କରିଛନ୍ତି ।
କର୍ପୋରେଟରଙ୍କ ପ୍ରତିବାଦକୁ ସମର୍ଥନ ଜଣାଇ ସେମାନଙ୍କ ସହ ସାମିଲ ହୋଇଛନ୍ତି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ । ସେହିପରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଧାରଣା ସ୍ଥଳକୁ ଯାଇ କର୍ପୋରେଟର ମାନଙ୍କ ସହ ଆଲୋଚନା କରିଛନ୍ତି । ତେବେ ଅଭିଯାଗକୁ ଖଣ୍ଡନ କରିଛନ୍ତି କଟକ ମହାନଗର ନିଗମ ମେୟର ସୁବାସ ସିଂ ।
ପୂର୍ବତନ କମିସନର ଅନନ୍ୟା ଦାସଙ୍କର ଜାଲ ହସ୍ତଖତ ଓ ଷ୍ଟାମ୍ପ ବ୍ୟବହାର କରି ବେଆଇନ ଭାବେ ଜମି ହାତେଇ ନେଇଥିବା ଅଭିଯୋଗ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ଏନେଇ କାଉନସିଲ ବୈଠକରେ କଂଗ୍ରେସ-ବିଜେପି କର୍ପୋରେଟର ମହାନଗର ନିଗମ କମିଶନରଙ୍କୁ ପ୍ରଶ୍ନ କରିଥିଲେ । କିନ୍ତୁ କମିଶନର କୌଣସି ଉତର ନ ରଖି ଚାଲିଯାଇଥିବାରୁ ଅସନ୍ତୋଷ ପ୍ରକାଶ କରି, ଏହି ଧାରଣା ଦେଇଛନ୍ତି ବିରୋଧୀ କର୍ପୋରେଟର ।