ମୋଦିଙ୍କ ନୂଆ ଟିମ୍ : ନୂଆ କ୍ୟାବିନେଟ୍‌ରେ ଓବିସି, ନାରୀଶକ୍ତି, ଯୁବଶକ୍ତି

147

କନକ ବ୍ୟୁରୋ : ମୋଦୀ ସରକାରଙ୍କ ୨.୦ କ୍ୟାବିନେଟ୍‌ରେ ସବୁ ବର୍ଗଙ୍କୁ ପ୍ରଧାନ୍ୟ ଦିଆଯାଇଛି । ନୂଆ କ୍ୟାବିନେଟ୍‌ରେ ନାରୀ ଶକ୍ତି ଏବଂ ଯୁବ ଶକ୍ତି ସମେତ ବିଭିନ୍ନ ବର୍ଗଙ୍କୁ ପ୍ରାଧାନ୍ୟ ମିଳିଛି । ସାମାଜିକ ଏବଂ ଆର୍ଥିକ ଭାବେ ପଛୁଆ ସମ୍ପ୍ରଦାୟର ଅଧିକ ପ୍ରତିନିଧିତ୍ବ ରହିଛି। ଏଥିସହ ପ୍ରଶାସନିକ ଏବଂ ବ୍ୟବସ୍ଥାପିକା କ୍ଷେତ୍ରରେ ଅଭିଜ୍ଞତା ଥିବା ବ୍ୟକ୍ତିତ୍ବ ବି ସାମିଲ ହୋଇଛନ୍ତି । ଅଧିକ ଉଚ୍ଚ ଶିକ୍ଷିତଙ୍କୁ ସ୍ଥାନ ମିଳିଛି । ସେହିପରି ଆସନ୍ତାବର୍ଷ ଉତ୍ତରପ୍ରଦେଶ ନିର୍ବାଚନ ଥିବାରୁ ଏହାକୁ ଦୃଷ୍ଟିରେ ରଖି ନୂ୍ଆ କ୍ୟାବିନେଟ୍‌ରେ ଉତ୍ତରପ୍ରଦେଶରୁ ୭ ଜଣ ସ୍ଥାନ ପାଇଛନ୍ତି। ଶାସକ ଦଳ ବିଜେପି ସାମାଜିକ ଏବଂ ଆର୍ଥିକ ଭାବେ ପଛୁଆ ବର୍ଗଙ୍କ ନିକଟରେ ପହଞ୍ଚିବାପାଇଁ ଅଧିକ ପ୍ରୟାସ କରିଛି। ମୋଟ୍‌ ଉପରେ ସବୁ ବର୍ଗଙ୍କୁ ସନ୍ତୁଷ୍ଟ କରି ଏହି ନୂଆ କ୍ୟାବିନେଟ୍‌ ପ୍ରସ୍ତୁତ ହୋଇଛି ।

ନୂଆ କ୍ୟାବିନେଟ୍‌ରେ ଓବିସି ସମ୍ପ୍ରଦାୟରୁ ରେକର୍ଡ ୨୭ ଜଣ ମନ୍ତ୍ରୀ ଅଛନ୍ତି । ଏମାନଙ୍କ ମଧ୍ୟରୁ ୫ ଜଣଙ୍କୁ କ୍ୟାବିନେଟ୍‌ ପାହ୍ୟା ମିଳିଛି । ତାମିଲନାଡ଼ୁ, ରାଜସ୍ଥାନ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଆଦି ରାଜ୍ୟମାନଙ୍କରୁ ଏସ୍‌ସି ସମ୍ପ୍ରଦାୟର ୧୨ ମନ୍ତ୍ରୀ ଅଛନ୍ତି। ଅରୁଣାଚଳ ପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼, ଓଡ଼ିଶା, ଆସାମ, ମଧ୍ୟପ୍ରଦେଶ ଆଦି ରାଜ୍ୟମାନଙ୍କରୁ ଏସ୍‌ଟି ସମ୍ପ୍ରଦାୟର ୮ ଜଣ ମନ୍ତ୍ରୀ ରହିଛନ୍ତି। ୨ ଜଣ ଏସ୍‌ସି ଏବଂ ଏସ୍‌ଟି ମନ୍ତ୍ରୀଙ୍କୁ କ୍ୟାବିନେଟ୍‌ ପାହ୍ୟା ମିଳିଛି। ସେହିପରି ନୂଆ କ୍ୟାବିନେଟ୍‌ରେ ସଂଖ୍ୟାଲଘୁ ସମ୍ପ୍ରଦାୟରୁ ୩ ଜଣ ମନ୍ତ୍ରୀ ରହିଛନ୍ତି ।

ସଂଖ୍ୟାଲଘୁ ସମ୍ପ୍ରଦାୟରୁ ୩ ଜଣ ମନ୍ତ୍ରୀଙ୍କୁ କ୍ୟାବିନେଟ୍‌ ପାହ୍ୟା ମିଳିଛି । ନୂଆ ମହିଳା ମନ୍ତ୍ରୀଙ୍କୁ ମିଶାଇ ମୋଦୀଙ୍କ ନୂଆ କ୍ୟାବିନେଟ୍‌ରେ ଏବେ ମୋଟ୍‌ ୧୧ ଜଣ ମହିଳା ଅଛନ୍ତି । ୧୪ ମନ୍ତ୍ରୀଙ୍କ ବୟସ ୫୦ ତଳେ। ଏମାନଙ୍କ ମଧ୍ୟରୁ ୬ ଜଣଙ୍କୁ କ୍ୟାବିନେଟ୍‌ ପାହ୍ୟା ମିଳିଛି । ପ୍ରଶାସନିକ କ୍ଷେତ୍ରରେ ଅଭିଜ୍ଞତା ଥିବା ଅଧିକରୀଙ୍କୁ ମଧ୍ୟ ନୂଆ କ୍ୟାବିନେଟ୍‌ରେ ସାମିଲ କରାଯାଇଛି। କ୍ୟାବିନେଟ୍‌ରେ ୧୩ ଜଣ ଆଇନଜୀବୀ, ୬ ଜଣ ଡାକ୍ତର, ୫ ଜଣ ଇଂଜିନିୟର, ୭ ଜଣ ପ୍ରଶାସନିକ ସେବା ଅଧିକାରୀ, ୭ ପିଏଚ୍‌ଡି ଏବଂ ୩ ଜଣ ଏମ୍‌ବିଏ ଡିଗ୍ରିଧାରୀ ସାମିଲ ହୋଇଛନ୍ତି । ୪ ଉତ୍ତରପୂର୍ବ ରାଜ୍ୟ ଆସାମ, ଅରୁଣ‌ାଚଳପ୍ରଦେଶ, ମଣିପୁର ଏବଂ ତ୍ରିପୁରାରୁ ୫ ଜଣ ମନ୍ତ୍ରୀ ହୋଇଛନ୍ତି ।