ସରକାରଙ୍କ ଓବିସି କାର୍ଡ ପ୍ରସଙ୍ଗ : ଧର୍ମେନ୍ଦ୍ର କହିଲେ ପଛୁଆ ବର୍ଗଙ୍କୁ ରାଜ୍ୟରେ ମିଳୁନି ୨୭ ପ୍ରତିଶତ ସଂରକ୍ଷଣ; ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ ଆରମ୍ଭ ହୋଇଛି ଚିହ୍ନଟ ପ୍ରକ୍ରିୟା

 ମାସେ, ଦେଢମାସ ପାଇଁ କାହିଁକି ବ୍ୟସ୍ତ ବିବ୍ରତ ହେଉଛି ବିଜେପି 

85

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ଓବିସି କାର୍ଡକୁ ଜୋରଦାର କାଉଂଟର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟରେ ପଛୁଆ ବର୍ଗଙ୍କ ସାମ୍ବିଧାନିକ ଅଧିକାର କ୍ଷୁଣ୍ଣ ହେଉଥିବା ଅଭିଯୋଗ ବାଢିଛନ୍ତି କେନ୍ଦ୍ରମନ୍ତ୍ରୀ । ମଣ୍ଡଳ କମିଶନଙ୍କ ସୁପାରିଶ ପରେ ଦେଶର ବିଭିନ୍ନ ରାଜ୍ୟରେ ଓବିସି ଏବଂ ଏସଇବିସି ବର୍ଗଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଉଥିଲେ ମଧ୍ୟ ଓଡିଶା ସରକାର ଏହାକୁ ଲାଗୁ କରିନଥିବା ସେ ଅଭିଯୋଗ ବାଢିଛନ୍ତି ।

ସେହିପରି ରାଜ୍ୟ ଓବିସି କମିଶନଙ୍କ ସାନି ସର୍ଭେକୁ ସେ ଟାର୍ଗେଟ କରିଛନ୍ତି । ୧୯୯୩ ମସିହାରୁ ରାଜ୍ୟରେ ୨୧୦ ପଛୁଆ ଜାତିଙ୍କ ବାବଦରେ ତଥ୍ୟ ରହିଛି  । ୨୦୧୭ ମସିହା ଯାଏଁ ଏଥିରେ ସଂଶୋଧନ ହୋଇଛି । ହେଲେ ରାଜ୍ୟ ପାଖରେ ପଛୁଆ ଜାତିଙ୍କ ବାବଦରେ କୌଣସି ତଥ୍ୟ ନଥିବା ଭଳି ବିଭ୍ରାନ୍ତ କରାଯାଉଛି ବୋଲି ଧର୍ମେନ୍ଦ୍ର କହିଛନ୍ତି । ଏହାବାଦ ୨ ବର୍ଷ ତଳେ ଉଚ୍ଚ ବର୍ଗର ଆର୍ଥିକ ଅନଗ୍ରସରଙ୍କ ପାଇଁ କେନ୍ଦ୍ର ସରକାର ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ ମଧ୍ୟ ଏହାକୁ ଓଡିଶାରେ କାର୍ଯ୍ୟକାରୀ କରାଯାଇନଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେପଟେ, ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କୁ ଜବାବ ଦେଇଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ।  ରାଜ୍ୟ ସରକାର ଓବିସି ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହା ଶେଷ ହେଲେ ସବୁ ପ୍ରକାର ଅଧିକାର ପ୍ରଦାନ କରିବା ସହଜ ହେବ । ରାଜ୍ୟ ସରକାର ଏକ ସଂକଳ୍ପ ନେଇଛନ୍ତି । ଏଥିପାଇଁ ମାସେରୁ ଦେଢମାସ ସମୟ ଲାଗିବ । ତେଣୁ କେନ୍ଦ୍ରମନ୍ତ୍ରୀ ସେଥିପାଇଁ ଅପେକ୍ଷା କରନ୍ତୁ ବୋଲି ପରୋକ୍ଷରେ କହିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ।

ତେବେ ଶ୍ରୀକ୍ଷେତ୍ର ବିକାଶ ପ୍ରସଙ୍ଗରେ ରାଜ୍ୟ ସରକାର ହାତକୁ ନେଇ ଥିବା କାର୍ଯ୍ୟକ୍ରମ ପ୍ରସଙ୍ଗରେ ବିଜେପି ୩ ନେତା ତିନିଟି କଥା କାହିଁକି କହୁଛନ୍ତି ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି । ରାଜନୈତିକ ଇସ୍ୟୁ କରିବା ପାଇଁ କୌଣସି ପ୍ରସଙ୍ଗକୁ ନନେଇ ମତଭେଦ ଦୂର କରି ମିଳିତ ଲଢେଇ ପାଇଁ ସେ ଆହ୍ୱାନ ଦେଇଛନ୍ତି ।