ଜାତି ଭିତ୍ତିକ ଗଣନା ପୂର୍ବରୁ ତେଜିଲା ରାଜନୀତି । ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର । ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ, କାହିଁକି ବିବ୍ରତ ହେଉଛି ବିଜେପି?

200

କନକ ବ୍ୟୁରୋ: ପ୍ରଥମ ଥର ପାଇଁ ହୁଏତ ଓଡ଼ିଶା ରାଜନୈତିକ ଇତିହାସରେ ଜାତିକୁ ନେଇ ଏକ ବଡ଼ ଧରଣର ରାଜନୈତିକ ବିବାଦ ଆରମ୍ଭ ହୋଇଛି । ଯେତେବେଳେ ଜାତିଭିତ୍ତିକ ଗଣନା ପାଇଁ ରାଜ୍ୟ ସରକାର ଅଂଟା ଭିଡ଼ିଛନ୍ତି, ସେତିକିବେଳେ ପଛୁଆ ବର୍ଗର ଅଧିକାର କଥା ଉଠାଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓବିସି ଏବଂ ଏସଇବିସି ବର୍ଗଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଉଥିଲେ ମଧ୍ୟ ଓଡିଶା ସରକାର ଏହାକୁ ଲାଗୁ କରିନଥିବା ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି ।

ଧର୍ମେନ୍ଦ୍ରଙ୍କ ଏହି ଅଭିଯୋଗ ସେତେବେଳେ ଆସିଛି, ଯେତେବେଳେ ଓଡ଼ିଶାରେ ଜାତି ଭିତ୍ତିରେ ଗଣନା ଆରମ୍ଭ ହେବାକୁ ଯାଉଛି । ଏହାରି ଭିତରେ ରାଜ୍ୟ ସରକାର ଓବିସିଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତିର ଅନୁଧ୍ୟାନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରିବା ସହ କମିଶନଙ୍କୁ ଆବଶ୍ୟକ ଅନୁମତି ମଧ୍ୟ ଦେଇଛନ୍ତି । ରାଜ୍ୟ ଓବିସି କମିଶନଙ୍କ ସାନି ସର୍ଭେକୁ ଟାର୍ଗେଟ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ୧୯୯୩ ମସିହାରୁ ରାଜ୍ୟରେ ୨୧୦ ପଛୁଆ ଜାତିଙ୍କ ବାବଦରେ ତଥ୍ୟ ରହିଛି । ୨୦୧୭ ମସିହା ଯାଏଁ ଏଥିରେ ସଂଶୋଧନ ହୋଇଛି । ହେଲେ ରାଜ୍ୟ ପାଖରେ ପଛୁଆ ଜାତିଙ୍କ ବାବଦରେ କୌଣସି ତଥ୍ୟ ନଥିବା ଭଳି ବିଭ୍ରାନ୍ତ କରାଯାଉଛି । ଏହାବାଦ ୨ ବର୍ଷ ତଳେ ଉଚ୍ଚ ବର୍ଗର ଆର୍ଥିକ ଅନଗ୍ରସରଙ୍କ ପାଇଁ କେନ୍ଦ୍ର ସରକାର ୧୦% ସଂରକ୍ଷଣ ବ୍ୟବସ୍ଥା କରିଥିଲେ ମଧ୍ୟ ଏହାକୁ ଓଡିଶାରେ କାର୍ଯ୍ୟକାରୀ କରାଯାଇନଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଏପଟେ କେନ୍ଦ୍ରମନ୍ତ୍ରୀଙ୍କୁ ଜବାବ ଦେଇ ଖଣ୍ଡପଡ଼ାର ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ରାଜ୍ୟ ସରକାର ଓବିସି ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହା ଶେଷହେଲେ ସବୁ ପ୍ରକାର ଅଧିକାର ପ୍ରଦାନ କରିବା ସହଜ ହେବ । ରାଜ୍ୟ ସରକାର ଏକ ସଂକଳ୍ପ ନେଇଛନ୍ତି । ଏଥିପାଇଁ ମାସେରୁ ଦେଢମାସ ସମୟ ଲାଗିବ । ତେଣୁ କେନ୍ଦ୍ରମନ୍ତ୍ରୀ ସେଥିପାଇଁ ଅପେକ୍ଷା କରନ୍ତୁ ବୋଲି ପରୋକ୍ଷରେ କହିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ।

ତେବେ ସଂରକ୍ଷଣ ନେଇ ୩ଥର ଚିଠି ଲେଖି ଅନୁରୋଧ କରିବା ପରେ ମଧ୍ୟ କୌଣସି ପଦକ୍ଷେପ କାହିଁକି ନିଆଁଯାଇ ନାହିଁ ବୋଲି ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ କରିଛନ୍ତି । ଏହା ରାଜନୈତିକ ପ୍ରସଙ୍ଗ ନୁହେଁ ବରଂ ସାମାଜିକ ନ୍ୟାୟ ଓ ସାମାଜିକ ସଶକ୍ତିକରଣର ପ୍ରସଙ୍ଗ ବୋଲି ସେ କହିଛନ୍ତି । ଏପେଟ କେନ୍ଦ୍ରମନ୍ତ୍ରୀଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ଓବିସି କମିଶନ କିଏ ଗଠନ କରିଛି? ଏବଂ ଓବିସି କମିଶନକୁ ନେଇ ରାଜନୀତିକରଣ କରାନଯାଉ ବୋଲି ସେ କହିଛନ୍ତି ।

ରାଜନୀତିର ଏହି ବୟାନବାଜି ଭିତରେ ମେ’ ୧ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପଛୁଆ ବର୍ଗର ଚିହ୍ନଟ ପାଇଁ ସର୍ଭେ କରାଯିବ । ଜୁନ୍ ୧୧ ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ଏହାର ମୁଖ୍ୟ ଉର୍ଦ୍ଦେଶ୍ୟ ହେଉଛି, ପଛୁଆ ବର୍ଗ ଲୋକ ଯେଉଁମାନଙ୍କର ସାମାଜିକ ଓ ଆର୍ଥିକ ବିକାଶ ହୋଇନି, ସେମାନଙ୍କୁ ଆଗକୁ ଆଣିବା । ଆଉ ଯେଉଁମାନଙ୍କର ସାମାଜିକ ଓ ଆର୍ଥିକ ବିକାଶ ହୋଇ ସାରିଛି, ସେମାନଙ୍କୁ ତାଲିକାରୁ ବାଦ୍ ଦେବା ।