ପରାଜୟ ସ୍ୱିକାର କରିବାକୁ ଡୋନାଲ୍ଡ ଟ୍ରମ୍ପଙ୍କୁ ବାରାକ ଓବାମାଙ୍କ ପରାମର୍ଶ । କହିଲେ, ନିର୍ବାଚନ ଫଳାଫଳରେ ହେବନାହିଁ ପରିବର୍ତନ, ଜୋ ବାଇଡେନଙ୍କ ଠାରୁ ପରାଜୟ ସ୍ୱିକାର କରିନିଅନ୍ତୁ ଡୋନାଲ୍ଡ ଟ୍ରମ୍ପ

405

କନକ ବ୍ୟୁରୋ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପରାଜୟ ସ୍ୱିକାର କରିନେବା ପାଇଁ ପରାମର୍ଶ ଦେଇଛନ୍ତି । ଏବେ ନିର୍ବାଚନ ଫଳାଫଳରେ କୌଣସି ପରିବର୍ତନ ଆସିବାର ସମ୍ଭାବନା ନାହିଁ ତେଣୁ ଡୋନାଲ୍ଡ ଟ୍ରମ୍ପ ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଠାରୁ ପରାଜୟ ସ୍ୱିକାର କରିନେବା ଉଚିତ ବୋଲି କହିଛନ୍ତି ବାରାକ ଓବାମା । ଏହାରି ଭିତରେ ପୁଣି ଥରେ ସେ ବିଜୟୀ ହୋଇଥିବା ନେଇ ଟ୍ୱିଟ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ ।

ରାଷ୍ଟ୍ରପତି ନିର୍ବାଚନରେ ୨୩୨ଟି ଇଲେକଟୋରାଲ କଲେଜ ପାଇ ପରାଜିତ ହୋଇଥିବା ଡୋନାଲ୍ଡ ଟ୍ରମ୍ପ ପରାଜୟ ସ୍ୱିକାର କରୁନାହାନ୍ତି । ପେନସିଲଭିନିଆ, ନେଭାଡା, ମିଚିଗାନ, ଜର୍ଜିଆ ଓ ଆରିଜୋନରେ ନିର୍ବାଚନ ଫଳାଫଳକୁ ଚ୍ୟାଲେଂଜ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏବଂ ୱିସକନସିନରେ ପୁନଃ ମତଗଣନା ଦାବି କରିଛନ୍ତି ଟ୍ରମ୍ପ । ସେପଟେ ଜୋ ବାଇଡେନ ୫୩୮ରୁ ୩୦୬ଟି ଇଲେକଟୋରାଲ କଲେଜ ଭୋଟ ପାଇଛନ୍ତି ଯାହା ଆବଶ୍ୟକ ସଂଖ୍ୟା ୨୭୦ଠାରୁ ଢେର ଅଧିକ ।

ସେପଟେ ଆମେରିକାର ରାଜରାସ୍ତାର ଏହି ଦୃଶ୍ୟ ବୟାନ କରୁଛି, ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ନେଇ କେମିତି ଚାଲିଛି କ୍ରିୟା ପ୍ରତିକ୍ରିୟା । ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ ଜିତିବା ଏବଂ ଟ୍ରମ୍ପଙ୍କ ହାରିବାକୁ ଲୋକେ କେମିତି ଗ୍ରହଣ କରୁଛନ୍ତି । ନିର୍ବାଚନୀ ଫଳାଫଳକୁ ବିରୋଧ କରି ଏହି ପ୍ରଦର୍ଶନ କରିଛନ୍ତି ଟ୍ରମ୍ପ ସମର୍ଥକ । ଯାହା ପୁଣିଥରେ କ୍ଷମତା ହସ୍ତାନ୍ତରକୁ ନେଇ ଛିଡା କରିଛି ବଡ ପ୍ରଶ୍ନ ।  ଆମେରିକାର ଇତିହାସରେ ଯେଉଁ ନିର୍ବାଚନ ଏବଂ ତାର ଫଳାଫଳକୁ ସବୁଠୁ ସୁରକ୍ଷିତ ବୋଲି କୁହାଗଲା ତାକୁ ବିରୋଧ କରି ଏପରି ପ୍ରଦର୍ଶନ ଚାଲିଛି ।

ଏହି ରାଲିରେ ସଙ୍ଗିତ ଥିଲା, ନାଚ ଥିଲା ଏବଂ ବଡ ବଡ ଭାଷଣ ମଧ୍ୟ ଥିଲା । ଟ୍ରମ୍ପଙ୍କ ସମର୍ଥନରେ ଥିବା ସଂଗଠନ ମଧ୍ୟରେ ରହିଛନ୍ତି ମିଲିଅନ ମାଗା ମାର୍ଚ, ମାର୍ଚ୍ଚ ଫର ଟ୍ରମ୍ପ ଏବଂ ଷ୍ଟପ ଦି ଷ୍ଟିଲ ଡିସି । ନିର୍ବାଚନରେ ବ୍ୟାପକ ହେରଫେର ହୋଇଥିବା ନେଇ ରାଲିରେ ଯୋଗ ଥିବା ଟ୍ରମ୍ପଙ୍କ ସମର୍ଥକମାନେ ଅଭିଯୋଗ ଆଣିଛନ୍ତି । ଭୋଟ ଗଣତି ପ୍ରକ୍ରିୟାରେ ଅସନ୍ତୁଷ୍ଟ ଥିବା ଟ୍ରମ୍ପଙ୍କ ସମର୍ଥକମାନେ ପୁଣି ଥରେ ସବୁଠି ଭୋଟ ଗଣନା ପାଇଁ ଦାବି ଉପସ୍ଥାପନ କରିଛନ୍ତି ।