କନକ ବ୍ୟୁରୋ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପରାଜୟ ସ୍ୱିକାର କରିନେବା ପାଇଁ ପରାମର୍ଶ ଦେଇଛନ୍ତି । ଏବେ ନିର୍ବାଚନ ଫଳାଫଳରେ କୌଣସି ପରିବର୍ତନ ଆସିବାର ସମ୍ଭାବନା ନାହିଁ ତେଣୁ ଡୋନାଲ୍ଡ ଟ୍ରମ୍ପ ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଠାରୁ ପରାଜୟ ସ୍ୱିକାର କରିନେବା ଉଚିତ ବୋଲି କହିଛନ୍ତି ବାରାକ ଓବାମା । ଏହାରି ଭିତରେ ପୁଣି ଥରେ ସେ ବିଜୟୀ ହୋଇଥିବା ନେଇ ଟ୍ୱିଟ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ ।
ରାଷ୍ଟ୍ରପତି ନିର୍ବାଚନରେ ୨୩୨ଟି ଇଲେକଟୋରାଲ କଲେଜ ପାଇ ପରାଜିତ ହୋଇଥିବା ଡୋନାଲ୍ଡ ଟ୍ରମ୍ପ ପରାଜୟ ସ୍ୱିକାର କରୁନାହାନ୍ତି । ପେନସିଲଭିନିଆ, ନେଭାଡା, ମିଚିଗାନ, ଜର୍ଜିଆ ଓ ଆରିଜୋନରେ ନିର୍ବାଚନ ଫଳାଫଳକୁ ଚ୍ୟାଲେଂଜ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏବଂ ୱିସକନସିନରେ ପୁନଃ ମତଗଣନା ଦାବି କରିଛନ୍ତି ଟ୍ରମ୍ପ । ସେପଟେ ଜୋ ବାଇଡେନ ୫୩୮ରୁ ୩୦୬ଟି ଇଲେକଟୋରାଲ କଲେଜ ଭୋଟ ପାଇଛନ୍ତି ଯାହା ଆବଶ୍ୟକ ସଂଖ୍ୟା ୨୭୦ଠାରୁ ଢେର ଅଧିକ ।
ସେପଟେ ଆମେରିକାର ରାଜରାସ୍ତାର ଏହି ଦୃଶ୍ୟ ବୟାନ କରୁଛି, ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ନେଇ କେମିତି ଚାଲିଛି କ୍ରିୟା ପ୍ରତିକ୍ରିୟା । ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ ଜିତିବା ଏବଂ ଟ୍ରମ୍ପଙ୍କ ହାରିବାକୁ ଲୋକେ କେମିତି ଗ୍ରହଣ କରୁଛନ୍ତି । ନିର୍ବାଚନୀ ଫଳାଫଳକୁ ବିରୋଧ କରି ଏହି ପ୍ରଦର୍ଶନ କରିଛନ୍ତି ଟ୍ରମ୍ପ ସମର୍ଥକ । ଯାହା ପୁଣିଥରେ କ୍ଷମତା ହସ୍ତାନ୍ତରକୁ ନେଇ ଛିଡା କରିଛି ବଡ ପ୍ରଶ୍ନ । ଆମେରିକାର ଇତିହାସରେ ଯେଉଁ ନିର୍ବାଚନ ଏବଂ ତାର ଫଳାଫଳକୁ ସବୁଠୁ ସୁରକ୍ଷିତ ବୋଲି କୁହାଗଲା ତାକୁ ବିରୋଧ କରି ଏପରି ପ୍ରଦର୍ଶନ ଚାଲିଛି ।
ଏହି ରାଲିରେ ସଙ୍ଗିତ ଥିଲା, ନାଚ ଥିଲା ଏବଂ ବଡ ବଡ ଭାଷଣ ମଧ୍ୟ ଥିଲା । ଟ୍ରମ୍ପଙ୍କ ସମର୍ଥନରେ ଥିବା ସଂଗଠନ ମଧ୍ୟରେ ରହିଛନ୍ତି ମିଲିଅନ ମାଗା ମାର୍ଚ, ମାର୍ଚ୍ଚ ଫର ଟ୍ରମ୍ପ ଏବଂ ଷ୍ଟପ ଦି ଷ୍ଟିଲ ଡିସି । ନିର୍ବାଚନରେ ବ୍ୟାପକ ହେରଫେର ହୋଇଥିବା ନେଇ ରାଲିରେ ଯୋଗ ଥିବା ଟ୍ରମ୍ପଙ୍କ ସମର୍ଥକମାନେ ଅଭିଯୋଗ ଆଣିଛନ୍ତି । ଭୋଟ ଗଣତି ପ୍ରକ୍ରିୟାରେ ଅସନ୍ତୁଷ୍ଟ ଥିବା ଟ୍ରମ୍ପଙ୍କ ସମର୍ଥକମାନେ ପୁଣି ଥରେ ସବୁଠି ଭୋଟ ଗଣନା ପାଇଁ ଦାବି ଉପସ୍ଥାପନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2020/11/964851cc-145e-4851-b15f-de0cf2b40ed3.jpg)