ଭୋଟ ନେବାକୁ ବିଜେପି ବିଧାୟକଙ୍କ ଶପଥପାଠ ରାଜନୀତି । ନିଜ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଲୋକଙ୍କୁ ଠାକୁରଙ୍କ ନାଁରେ କରାଇଲେ ଶପଥ ।

128

କନକ ବ୍ୟୁରୋ : ନିର୍ବାଚନ ଜିତିବା ପାଇଁ ନେତା ବିଭିନ୍ନ ଉପାୟ ଆପଣାଇଥିବାର ଆପଣ ଦେଖିଥିବେ । ଆଉ ଏବେ ନିର୍ବାଚନରେ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଠାକୁରଙ୍କ ନାଁରେ ଶପଥ ପାଠ ନୂଆ ଟ୍ରେଣ୍ଡ ପାଲଟିଛି । ଆଉ ଏଭଳି ଏକ ଘଟଣା ଏବେ ଧାମନଗର ବ୍ଲକରୁ ସାମ୍ନାକୁ ଆସିଛି । ଯେଉଁଠି ବିଧାୟକ ବିଷ୍ଣୁ ସେଠୀ କର୍ମୀଙ୍କୁ ଶପଥ ପାଠ କରାଉଥିବାର ଦେଖିବାକୁ ମିଳିଛି । ନିର୍ବାଚନ ଜିତିବା ପାଇଁ ବିଧାୟକଙ୍କ ଏଭଳି ଶପଥ ପାଠ ଫର୍ମୁଲା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଭାଇରାଲ ଭିଡ଼ିଓରେ ବିଧାୟକ ବିଷ୍ଣୁ ସେଠୀ ଠାକୁରଙ୍କ ନାଁରେ ଶପଥ ପାଠ କରାଇବା ସହ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ କହୁଛନ୍ତି । ମିଳିଥିବା ସୂଚନା ମୁତାବକ, ଧାମନଗର ବ୍ଲକର ସୋହୋଡା ଗ୍ରାମ ପଞ୍ଚାୟତର ଜୋନ ନମ୍ବର ୧୦ ଓ ୧୧ରେ କର୍ମୀଙ୍କୁ ଏଭଳି ଶପଥପାଠ କରାଇଛନ୍ତି ବିଧାୟକ ବିଷ୍ଣୁ ସେଠୀ । ଆଉ ସବୁଠୁ ବଡ କଥା ହେଲା, କରୋନା ପାଇଁ ସଭା ସମିତି ଉପରେ କଟକଣା ଲାଗିଥିବା ବେଳେ ବିଧାୟକ କିଭଳି ସଭା କରି ଏଭଳି ଶପଥପାଠ କରାଉଛନ୍ତି? ଠାକୁରଙ୍କ ନାଁରେ ଶପଥପାଠ କରାଇ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦେବାକୁ କାହିଁକି ବାଧ୍ୟ କରୁଛନ୍ତି ବିଧାୟକ? ଗଣତନ୍ତ୍ରରେ ଭୋଟ ନେବାକୁ ବିଧାୟକଙ୍କ ଏଭଳି ଶପଥପାଠ ଫର୍ମୁଲା କେତେ ଗ୍ରହଣୀୟ? ଏହାଦ୍ୱାରା ଜଣେ ଭୋଟରର ଗଣତାନ୍ତ୍ରିକ ଅଧିକାର କ୍ଷୁର୍ଣ୍ଣ ହେଉନାହିଁ କି?