ଜଳଖିଆ ଦୋକାନୀଙ୍କ ପୁଅ ପାଇଲା ଓଏଏସ । ୬୭ତମ ସ୍ଥାନରେ ବୀରେନ୍ଦ୍ର ତ୍ରିପାଠୀ । ପରିବାରର ଅଭାବ ଅନଟନ ଭିତରେ ସଙ୍ଘର୍ଷପୂର୍ଣ୍ଣ ଥିଲା ସଫଳ ହେବା

781

କନକ ବ୍ୟୁରୋ: ଏଇଠି ଚାଲିଥିଲା ପୁଅକୁ ବଡମଣିଷ କରିବାର ପ୍ରକ୍ରିୟା । ପରିବାର ସହ ପିଲାଙ୍କୁ ପାଠ ପଢାଇବାକୁ ଏଇ ଜଳଖିଆ ଦୋକାନରେ ହିଁ ଦିନରାତି ଖଟୁଥିଲେ ଦୁଇ ଭାଇ । ପୁରୀ ବେଲିଲା ବେଳେ ପୁଅକୁ ଭଲ ପାଠ ପଢାଇବାକୁ ସ୍ୱପ୍ନ ଦେଖୁଥିଲେ ବାପା । ଆଉ ତତଲା ତେଳ କଡେଇ ପାଖରେ ଛିଡାହୋଇ, ନିଆଁ ଝାସରେ ଝାଳ ବୁହାଇ ପୁରୁତାର ସୁନେଲୀ ଭବିଷ୍ୟତ କଥା ଭାବୁଥିଲେ କକା । ଆଉ ଆଜି ସେମାନଙ୍କ ସେହି ସଙ୍ଘର୍ଷ, ସେହି କଷ୍ଟ, ସେହି ଯନ୍ତ୍ରଣା ଖୁସିରେ ବଦଳିଛି । ସେମାନଙ୍କ ସ୍ୱପ୍ନ ସତ ହୋଇଛି । ତାଙ୍କ ପୁଅ ଓଏଏସ ପାଇଛି ।

ଜଳଖିଆ ଦୋକାନୀଙ୍କ ପୁଅ ଓଏସଏସ ପାଇଛି । ଭୁବନେଶ୍ୱର ରେଣ୍ଟାଲ କଲୋନୀ ଅଞ୍ଚଳର ବୀରେନ୍ଦ୍ର ତ୍ରିପାଠୀ ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ତେବେ ୬୭ତମ ସ୍ଥାନ ହାସଲ କରିଥିବା ବୀରେନ୍ଦ୍ରଙ୍କ ଏଇ ସଫଳତା ପଛରେ ରହିଛି ଏକ ଲମ୍ବା ସଙ୍ଘର୍ଷର କାହାଣୀ । ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ସାଜିବ ।

ତେବେ ପିଲାବେଳେ ବାପାକକାଙ୍କ ସହ ଜଳଖିଆ ଦୋକାନରେ କାମ କରୁଥିଲେ ବୀରେନ୍ଦ୍ର । ଲୋକଙ୍କୁ ଜଳଖିଆ ଦେବା ଠାରୁ ଆରମ୍ଭ କରି ପାଣି ମଧ୍ୟ ଦେଇଛନ୍ତି । ମାତ୍ର ସ୍କୁଲରେ ଭଲ ପାଠ ପଢିବା ପରେ ତାଙ୍କୁ ବଡମଣିଷ ହେବାକୁ ସ୍ୱପ୍ନ ଦେଖାଇଥିଲେ କକା । ଦୋକାନ ନଆସି ଘରେ ରହି ପାଠ ପଢିବାକୁ କହିଥିଲେ । ବାସ୍ ତାପରେ ଆରମ୍ଭ ହୋଇଥିଲା ବୀରେନ୍ଦ୍ରଙ୍କ ଲକ୍ଷ୍ୟ ଆଡକୁ ଯାତ୍ରା । ପରିବାରର ଦୁଖ, କଷ୍ଟକୁ ଅତି ପାଖରୁ ଦେଖିଥିବା ବୀରେନ୍ଦ୍ର ଦିନେ ସଫଳ ହେବେ ବୋଲି ପ୍ରତିଜ୍ଞା ନେଇଥିଲେ । ଆଉ ଆଜି ତାଙ୍କ ପ୍ରତିଜ୍ଞା ପୂରଣ ହୋଇଛି ।

ତେବେ ବୀରେନ୍ଦ୍ରଙ୍କ ସଫଳତା ପଛରେ ରହିଛି ତାଙ୍କ କକା ସୁରେନ୍ଦ୍ରଙ୍କ ହାତ । ପୁତୁରାକୁ ଭଲ ମଣିଷଟେ କରିବାକୁ ନିଜ କଥା ଭୁଲିଯାଇଥିବା ସୁରେନ୍ଦ୍ର ବିବାହ ମଧ୍ୟ କରିନାହାନ୍ତି । ଭାଇଙ୍କ ପୁଅଝିଅକୁ ନିଜର ଭାବି ତାଙ୍କ ପାଇଁ ଅହରହ ଖଟୁଛନ୍ତି । ତେବେ ଶିକ୍ଷିତ ସୁରେନ୍ଦ୍ରଙ୍କ ସ୍ୱପ୍ନକୁ ପୁତୁରା ସତ କରିଥିବାରୁ ଖୁସିରେ ଆତ୍ମହରା ହୋଇ ଆଖି ଛଳଛଳ କରିପକାଇଛନ୍ତି ।

ସେପଟେ ଦୋକାନରୁ ମିଳୁଥିବା ୩୦୦ରୁ ୪୦୦ ଟଙ୍କାରେ ପୂରା ପରିବାର ଚଳୁଥିବା ବେଳେ କଷ୍ଟ କରି ପୁଅ ସଫଳ ହୋଇଥିବାରୁ ଖୁସିରେ ଲୁହକୁ ଅଟକାଇ ପାରୁନି ମାଆ । ପୂରା ପରିବାର ପୁଅର ସଫଳତାରେ ଖୁସି ଥିବା ବେଳେ ଦୃଢ ଇଚ୍ଛାଶକ୍ତି ଓ ନିଷ୍ଠା ଥିଲେ ଜଣେ ସଫଳ ହୋଇପାରିବ ବୋଲି ବୀରେନ୍ଦ୍ର କହିଛନ୍ତି ।