ସଫଳତାର ମନ୍ତ୍ର ଦେଲେ ଓଏଏସ ଟପ୍ପର ଅଶ୍ୱିନୀ ପଣ୍ଡା : ପ୍ରଥମ ୧୦ ଜଣଙ୍କ ମଧ୍ୟରେ ଅଛନ୍ତି ୩ ଝିଅ

160

କନକ ବ୍ୟୁରୋ : ସଫଳତାର ମନ୍ତ୍ର ଦେଲେ ଓଏଏସ ଟପ୍ପର ଅଶ୍ୱିନୀ ପଣ୍ଡା । ଓଏଏସ ଟପ୍ପର ଅଶ୍ୱିନୀ କହିଛନ୍ତି ବିନା କୋଚିଂରେ ବି ମିଳିବ ସଫଳତା । ଏବଂ ଲକଡାଉନରେ ପଢିବାକୁ ମିଳିଲା ଅଧିକ ସୁଯୋଗ । ତେବେ ଅଧିକ ମାର୍କ ପାଇଁ ଅପସନାଲ ବିଷୟକୁ ଅଧିକ ଗୁରୁତ୍ୱ ଦେଉଥିବା କହିଛନ୍ତି । ଗତକାଲି ଓଡ଼ିଶା ପବ୍ଲିକ ସର୍ଭିସ କମିସନ୍ ପକ୍ଷରୁ ପ୍ରକାଶ ପାଇଛି ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା-୨୦୧୯ର ପରୀକ୍ଷା ଫଳ । ଗ୍ରୁପ ଏ ଓ ଗ୍ରୁପ ବି କାଟାଗୋରୀ ପାଇଁ ୧୫୩ ଜଣ କୃତକାର୍ଯ୍ୟ ହୋଇଛନ୍ତି । ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୩ ଜଣ ଝିଅ ଥିବା ବେଳେ ଓଏଏସ୍ ପରୀକ୍ଷାରେ ଟପ୍ପର ହୋଇଛନ୍ତି ଅଶ୍ୱିନୀ କୁମାର ପଣ୍ଡା ।

ଓଏଏସ ପରୀକ୍ଷାରେ ରାଉରକେଲାର ଅଙ୍କୁର ଅଭିଲାଷ ସାହୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେ ଏବେ ରାଉରକେଲା ଷ୍ଟିଲ ପ୍ଲାଂଟରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ତୃତୀୟ ସ୍ଥାନରେ ଅଛନ୍ତି କେନ୍ଦୁଝରର ଝିଅ ରଶ୍ମିରେଖା ପାତ୍ର । ସେ ଏବେ ଭୁବନେଶ୍ୱରରେ ରହୁଛନ୍ତି । ଓଏଏସ ପରୀକ୍ଷାରେ ସଫଳତା ପାଇବା ପରେ ସେମାନଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ପରସ୍ପରକୁ ମିଠା ଖୁଆଇ ଖୁସି ମନାଇଛନ୍ତି ପରିବାର ଲୋକ ।

ସୂଚନା ଅନୁଯାୟୀ ଓସିଏସ-୨୦୧୯‌ର ଏହି ପରୀକ୍ଷା ପାଇଁ ୨୦୧୯ରେ ପ୍ରିଲିମ ପରୀକ୍ଷା ହୋଇଥିବାବେଳେ ୨୦୨୦ ଡିସେମ୍ବର ୭ରୁ ୨୦୨୧ ଜାନୁଆରି ୩ ତାରିଖ ପର୍ଯ୍ୟନ୍ତ ମୁଖ୍ୟ ଲିଖିତ ପରୀକ୍ଷା ହୋଇଥିଲା । ସେପ୍ଟେମ୍ବର ୯ ତାରିଖରେ ମୁଖ୍ୟ ଲିଖିତ ପରୀକ୍ଷାଫଳ ପ୍ରକାଶ ପାଇଥିଲା । ଏଥିରେ ୩୦୭ଜଣ କୃତକାର୍ଯ୍ୟ ହୋଇଥିଲେ। କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କର ମୌଖିକ ପରୀକ୍ଷା ୨୦୨୧ ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୫ ତାରିଖରେ ଶେଷ ହୋଇଥିଲା । ଏଥିରେ ଯୋଗ୍ୟ ବିବେଚିତ ପ୍ରାର୍ଥୀମାନେ ନିଜନିଜର ରାଙ୍କ ଓ ପସନ୍ଦ ଅନୁଯାୟୀ ଗ୍ରୁପ୍ ଏ କ୍ୟାଟେଗୋରିର ୩୦ଟି ଓଏଏସ୍, ୯ଟି ଓଏଫ୍ଏସ୍, ୭ଟି ଓପିଏସ୍ ପଦବିରେ ଏବଂ ଗ୍ରୁପ୍ ବିର ୫ଟି ଏଆରସିଏସ୍/ଏଜିସିଏସ, ୮୨ଟି ଓଆରଏସ୍‌ ଓ ୨୦ଟି ଓଟିଏଏସ୍ ପଦବିରେ ନିଯୁକ୍ତି ସୁଯୋଗ ପାଇବେ ।