କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଗାଳିଗୁଲଜର ପ୍ରତିବାଦ : କଳାବ୍ୟାଚ ପିନ୍ଧି ପ୍ରତିବାଦ କଲେ ବାରିପଦା ଓଡ଼ିଶା ପ୍ରଶାସନିକ ସେବାସଂଘ

ଅତିରିକ୍ତ ଜିଲ୍ଲାପାଳଙ୍କୁ ଫୋନରେ ମନ୍ତ୍ରୀ ଗାଳି କରିଥିବା ଅଭିଯୋଗ

141

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀଙ୍କ ଗାଳି ଗୁଲଜର ପ୍ରତିବାଦ । କଳା ବ୍ୟାଚ୍ ପିନ୍ଧି ଓଏଏସ୍ ସଂଘର ପ୍ରତିବାଦ । ଗତ ୯ ତାରିଖରେ ବାରିପଦା ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତିଙ୍କୁ ଫୋନରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଓଡ଼ିଶା ପ୍ରଶାସନିକ ସେବା ସଂଘ ପକ୍ଷରୁ କଳା ବ୍ୟାଚ୍ ପିନ୍ଧି ପ୍ରଦର୍ଶନ କରାଯାଇଛି । ମନ୍ତ୍ରୀଙ୍କ ଆଚରଣକୁ ନିନ୍ଦା କରିବା ସହ ଆଚରଣରେ ପରିବର୍ତନ କରିବାକୁ ଓଏଏସ୍ ସଂଘ ଦାବି କରିଛି । ଅଧିକାରୀଙ୍କୁ ତାଗିଦ୍ କରି ବିବାଦୀୟ ହୋଇପଡ଼ିଛନ୍ତି ବିଶ୍ୱେଶ୍ୱର ଟୁଡୁ । କେନ୍ଦୁଝର ଓ କୁଚିଣ୍ଡାରୁ ମନ୍ତ୍ରୀ ଅଧିକାରୀଙ୍କୁ ଗାଳି ଗୁଲଜ କରୁଥିବର ଭିଡିଓ ସାମ୍ନାକୁ ଆସିଥିଲା ।

ପ୍ରଥମେ କେନ୍ଦୁଝରରେ ଅନୁଷ୍ଠିତ ଏକ ବୈଠକରେ ସରକାରୀ ଅଧିକାରୀଙ୍କୁ ମାଡ ପଡୁନି କହିବା ପରେ ମୟୂରଭଞ୍ଜରେ ପୁଣି ଜଣେ ଅଧିକାରୀଙ୍କୁ ଫୋନ ଜରିଆରେ ଗାଳିଗୁଲଜ କରି ଚର୍ଚ୍ଚାରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳସମ୍ପଦ ମନ୍ତ୍ରୀ ଶ୍ରୀ ଟୁଡୁଙ୍କ ଏପରି ଆଚରଣକୁ ନିନ୍ଦା କରିବା ସହ ତାଙ୍କ ଆଚରଣରେ ପରିବର୍ତ୍ତନ ଦାବି କରି ଓଡ଼ିଶା ପ୍ରଶାସନିକ ସେବା ସଂଘ ପକ୍ଷରୁ କଳା ବ୍ୟାଚ ପ୍ରଦର୍ଶନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଗତ ଶନିବାର ଦିନ ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତିଙ୍କୁ କେନ୍ଦ୍ରମନ୍ତ୍ରୀ ଫୋନରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଉକ୍ତଦିନ କେନ୍ଦ୍ରମନ୍ତ୍ରୀ ବାରିପଦା ସର୍କିଟ୍ ହାଉସକୁ ଆସିଥିବା ସମୟରେ ସେଠାରେ ମରାମତି କାର୍ଯ୍ୟ ଚାଲିଥିଲା । ତେବେ ଏନେଇ ନିଜର ବିରକ୍ତି ଭାବ ପ୍ରକାଶ କରିବା ସହ ଏ ବାବଦରେ ମୟୂରଭଞ୍ଜ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତଥା ଓଏଏସ୍ ସଂଘ ଜିଲ୍ଳା ଶାଖାର ସଭାପତି ରୁଦ୍ରନାରାୟଣ ମହାନ୍ତିଙ୍କୁ କେନ୍ଦ୍ରମନ୍ତ୍ରୀ ଫୋନ କରି ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ ।

ଏହା ପୂର୍ବରୁ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କର ଆଚାର ବ୍ୟବହାରରେ ଅତିଷ୍ଠ ହୋଇ ତାଙ୍କର ଏଭଳି ଅସଦ ଆଚରଣକୁ ନିନ୍ଦା କରିବା ସହ ଯଥାଶୀଘ୍ର କେନ୍ଦ୍ରମନ୍ତ୍ରୀଙ୍କର ଆଚରଣରେ ପରିବର୍ତ୍ତନ ଦାବିକରି କଳା ବ୍ୟାଚ ପ୍ରଦର୍ଶନ କରିଛନ୍ତି । ଭବିଷ୍ୟତରେ କେନ୍ଦ୍ରମନ୍ତ୍ରୀ ନିଜର ଆଚରଣରେ ପରିବର୍ତ୍ତନ ଆଣନ୍ତୁ ବୋଲି ଅତିରିକ୍ତ ଜିଲ୍ଲାପାଳ ତଥା ଓଏଏସ୍ ସଙ୍ଘ ମୟୂରଭଞ୍ଜ ଶାଖା ସଭାପତି ରୁଦ୍ରନାରାୟଣ ମହାନ୍ତି ଦାବି କରିଛନ୍ତି ।