ଓଏଏସ୍ ଅନୀଷା ଦାସ ନିଲମ୍ବିତ । ମହଙ୍ଗା ପଡିଲା ବାଲି ମାଫିଆଙ୍କ ସହ ଡ଼ିଲ । କାର୍ଯ୍ୟରେ ଅବହେଳା ଅଭିଯୋଗରେ ଓଏଏସ୍ ଅଧିକାରୀ ଅନୀଷା ଦାସଙ୍କୁ ନିଲମ୍ବିତ କଲେ ସରକାର ।

2,713

କନକ ବ୍ୟୁରୋ: ମହଙ୍ଗା ପଡିଲା ବାଲି ମାଫିଆଙ୍କ ସହ ବେତନଟି ତହସିଲଦାର ଅନିଶା ଦାସଙ୍କ ଡ଼ିଲ । ଓଏଏସ ଅନିଶା ଦାସଙ୍କୁ ପ୍ରଥମେ କଳାହାଣ୍ଡିକୁ ବଦଳି ପରେ ଆଜି ଚାକିରିରୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର । ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ତାଙ୍କୁ ନିଲମ୍ବନ କରାଯାଇଛି । ମୋରମ ବୋଝେଇ ଟ୍ରକକୁ ବିନା ଫାଇନରେ ଥାନାରୁ ଛାଡି ଦେବା ପାଇଁ ବାଲିମାଫିଆଙ୍କ ସହିତ ଡିଲ ଚାଲିଥିବା ନେଇ ଅଭିଯୋଗ ହୋଇଥିଲା । ଆଉ ତହସିଲଦାରଙ୍କ ଉପସ୍ଥିତିରେ ଦଲାଲଙ୍କ ସହ ଏହି ଡିଲ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ବାଲିମାଫିଆ, ଦଲାଲ ଏବଂ ତହସିଲଦାର କଥା ହେଉଥିବାର ଅଡିଲ ଟେପରେ ଲକ୍ଷେ ଟଙ୍କା ଦେଲେ ମୋରମ ବୋଝେଇ ଟ୍ରକକୁ ବିନା କୌଣସି ଫାଇନରେ ଛାଡିଦିଆଯିବ ବୋଲି ଦଲାଲ ଅଭିଜିତ ମହଲ ବାଲିମାଫିଆଙ୍କୁ ପ୍ରତିଶ୍ରୁତି ଦେଉଥିଲେ । ପୁଲିସ ଏହି ଘଟଣାରେ ଦଲାଲ ଅଭିଜିତ ମହଲକୁ ଗିରଫ କରିଥିଲା । ଆଉ ବେତନଟି ତହସିଲଦାର ଅନିଶା ଦାସଙ୍କୁ କଳାହାଣ୍ଡିକୁ ବଦଳି କରିଦିଆଯାଇଥିଲା । ତେବେ ଆଜି ଅନିଶାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି ।

ସୋମବାର ରାତି ପ୍ରାୟ ସାଢ଼େ ୩ଟା ବେଳେ ବୈଶିଙ୍ଗା ଥାନା ଅନ୍ତର୍ଗତ ବୈଶିଙ୍ଗା ଛକ ନିକଟରେ ଦୁଇଟି ମୋରମ ବୋଝେଇ ଟ୍ରକ୍‌ ଜବତ କରାଯାଇଥିଲା। ମାତ୍ର ଏହାକୁ ନେଇ ଦେଖାଦେଇଥିଲା ବିବାଦ। ମୋରମ ବୋଝେଇ ଗାଡି ଜବତ କରିଥିବା ବ୍ୟକ୍ତିମାନେ କୌଣସି ସରକାରୀ କର୍ମଚାରୀ ନଥିଲେ ବୋଲି ଶ୍ରୀକାନ୍ତ ଦାସ ନାମକ ଜଣେ ଗାଡ଼ି ମାଲିକ ଥାନାରେ ଅଭିଯୋଗ କରିଥିଲେ। କିଛି ଅସାମାଜିକ ଯୁବକ ତାଙ୍କ ଗାଡିକୁ ଅଟକାଇବା ସହିତ ଡ୍ରାଇଭରଙ୍କଠାରୁ ଜୋରଜବରଦସ୍ତ ଗାଡିର କାଗଜପତ୍ର ମାଗିଥିଲେ। ଏ ନେଇ ସେ ବୈଶିଙ୍ଗା ଥାନାରେ ବେତନଟୀ ତହସିଲଦାର ଅନିଶା ଦାସ, ବୈଶିଙ୍ଗା ଅଞ୍ଚଳର ଖଗେଶ୍ବର ବେହେରା, ଶିବାଶିଷ ନାଥ, ଅଭିଜିତ ମହଲ ଏବଂ ଜଣେ ମହିଳାଙ୍କ ନାମରେ ଅଭିଯୋଗ କରିଥିଲେ। ପୁଲିସ ତାଙ୍କ ଅଭିଯୋଗ ଉପରେ ଦଫା ୩୪୧, ୨୯୪, ୩୨୩, ୩୭୯, ୩୮୪, ୫୦୬ ଓ ୩୪ ଧାରାରେ ମାମଲା ରୁଜୁ କରିବା ସହ ଅଭିଜିତ ମହଲ ଓ ଶିବାଶିଷ ନାଥଙ୍କୁ ଗିରଫ କରିଛି।