ରାଜ୍ୟ ଓ ଦେଶର ୨୦୦ଟି ହସ୍ପିଟାଲରେ ମିଳିବ ମାଗଣା ଚିକିତ୍ସା, ବାସ୍ ଦେଖାଇବାକୁ ପଡିବ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ ହେଲଥ କାର୍ଡ ।

410

କନକ ବ୍ୟୁରୋ : ସୁନ୍ଦରଗଡରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଏହାସହ ସୁନ୍ଦରଗଡବାସୀ ସ୍ମାର୍ଟ ହେଲଥ କାର୍ଡ ପ୍ରଦାନ କରିଛନ୍ତି ନବୀନ । ଏହି ଅବସରରେ ନବୀନ କହିଛନ୍ତି ସୁନ୍ଦରଗଡର ପିଲମାନେ ଓଡ଼ିଶା ଓ ଦେଶକୁ ଗର୍ବିତ କରିଛନ୍ତି । ହକିକୁ ଲୋକପ୍ରିୟ କରିଛନ୍ତି । ଅଲିମ୍ପିକ୍ସ ବିଜେତାଙ୍କ ମାଟିକୁ ପ୍ରଣାମ ଜଣାଇବା ସହ ନବୀନ କହିଛନ୍ତି, ଅଗଷ୍ଟ ୧୫ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନୂଆ ସ୍ମାର୍ଟ ହେଲଥ କାର୍ଡର ଘୋଷଣା କରିଥିଲି । ଆଉ ଆଜି ମାଲକାନଗିରି ପରେ ଦ୍ୱିତୀୟ ଜିଲ୍ଲା ଭାବେ ସୁନ୍ଦରଗଡରେ ଏହି ଯୋଜନା ଆରମ୍ଭ କରି ମୁଁ ବେଶ ଖୁସି ।

ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ୩ କୋଟି ଲୋକ ଏହି କାର୍ଡରେ ସୁବିଧା ପାଇବେ । ରାଜ୍ୟ ଓ ଦେଶ ବାହାରର ପ୍ରାୟ ୨୦୦ରୁ ଅଧିକ ଘରୋଇ ହସ୍ପିଟାଲରେ ଉନ୍ନତମାନର ଚିକିତ୍ସା ପାଇପାରିବେ ଏହି ସ୍ମାର୍ଟ କାର୍ଡର ହିତାଧିକାରୀ । ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଏହି କାର୍ଡରେ ମିଳିବ । ଏହି ନୂଆ ବ୍ୟବସ୍ଥାରେ ହିତାଧିକାରୀଙ୍କୁ କୌଣସି କାଗଜପତ୍ର ଦେବାକୁ ପଡିବନି । କେବଳ କାର୍ଡ ଦେଖାଇଲେ ଚିକିତ୍ସା ସୁବିଧା ପାଇପାରିବେ ହିତାଧିକାରୀ । ଦେଶର ୨୦୦ରୁ ଅଧିକ ବଡ ବଡ ହସ୍ପିଟାଲରେ ଏହି କାର୍ଡ ଜରିଆରେ ଚିକିତ୍ସା ସୁବିଧା ମିଳିବ । ଏଭଳି ସୁବିଧା ଦେବାରେ ସାରା ଦେଶରେ ଓଡ଼ିଶା ପ୍ରଥମ । ଦେଶର ସ୍ୱାସ୍ଥ୍ୟକ୍ଷେତ୍ରରେ ଏହା ଏକ ଐତିହାସିକ ପଦକ୍ଷେପ ।

ସ୍ୱାସ୍ଥ୍ୟ ହିଁ ସମ୍ପଦ । ପରିବାରର କେହି ଅସୁସ୍ଥ ହୋଇ ରୋଗରେ ପଡିଗଲେ ଚିନ୍ତା ବଢିଯାଏ । କାରଣ ଚିକିତ୍ସା ପାଇଁ ଟଙ୍କା ଚିନ୍ତା ବଢାଇଥାଏ । ଏଥିପାଇଁ କିଏ ଜମି ବିକେ, କିଏ ପୁଣି ସୁନା ଗହଣା ବନ୍ଧା ପକାଏ । ଏପରିକି ଚିକିତ୍ସା ଖର୍ଚ୍ଚ ପାଇଁ କେହି କେହି ପିଲାଙ୍କର ପାଠପଢା ମଧ୍ୟ କରିଥାନ୍ତି । ଆଉ ଏକଥା ଜାଣିବା ପରେ ମୋତେ ବହୁତ ଦୁଃଖ ଲାଗିଲା । କିନ୍ତୁ ଏବେ ଏହି ସ୍ମାର୍ଟ କାର୍ଡ ଦୁଃଖ ଲାଘବ କରିବ । ରାଜ୍ୟବାସୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ଟଙ୍କା ଖର୍ଚ୍ଚ କରୁଛନ୍ତି । ତେଣୁ ଚିକିତ୍ସା ବାବଦ ଟଙ୍କାକୁ ସଞ୍ଚୟ କରିବା ସହ ପିଲାଙ୍କ ପାଠପଢା ଓ ଘର ପିଛା ଖର୍ଚ୍ଚ କରିପାରିବେ । ମୋ ପାଇଁ ପ୍ରତି ଜୀବନ ମୂଲ୍ୟବାନ, ସେ ଚାଷୀ ହେଉ କି ମୂଲିଆ ହେଉ କି ଛୋଟ ଦୋକାନୀ, ସମସ୍ତଙ୍କ ଜୀବନ ମୋ ପାଇଁ ମୂଲ୍ୟବାନ । ସମସ୍ତେ ସୁସ୍ଥ ରୁହନ୍ତୁ, ଚିକିତ୍ସା ପାଇଁ ଟଙ୍କା କେବେ ବାଧକ ନହେଉ । ପ୍ରତି ପରିବାରର ଉନ୍ନତିରେ ରାଜ୍ୟର ଉନ୍ନତି ବୋଲି ନବୀନ କହିଛନ୍ତି ।