ପାକିସ୍ତାନର ପୂର୍ବତନ କ୍ରିକେଟର ଇଞ୍ଜାମାମଙ୍କୁ ହୃଦଘାତ୍ । ହସ୍ପିଟାଲରେ ଭର୍ତ୍ତି, ଆଶୁ ଆରୋଗ୍ୟ କାମନା କଲେ ପୂର୍ବତନ କ୍ରିକେଟର ।

127

କନକ ବ୍ୟୁରୋ : ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଇଞ୍ଜାମାମ୍ ଉଲ୍ ହକଙ୍କୁ ହାର୍ଟ ଆଟାକ । ସୋମବାର ଇଞ୍ଜାମାମଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସଙ୍ଗେ ସାଙ୍ଗ ଆଞ୍ଜିଓପ୍ଲାଷ୍ଟି କରାଯାଇଛି । ଇଞ୍ଜାମାମଙ୍କର ହୃଦଘାତ ହେବା କ୍ଷଣି ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଚିକିତ୍ସା ପରେ ଏବେ ଇଞ୍ଜାମାମଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ବିଶେଷଜ୍ଞ ଡାକ୍ତରୀ ଟିମ୍ ଇଞ୍ଜାମାମଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି । ଗତ ୩ ଦିନ ହେବ ଇଞ୍ଜାମାମ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରୁଥିଲେ, ତେବେ ସୋମାବାର ଛାତି ଯନ୍ତ୍ରଣା ଅଧିକ ହେବାରୁ ତୁରନ୍ତ ହସ୍ପିଟାଲ ଯାଇ ଟେଷ୍ଟ କରାଇଥିଲେ । ଆଉ ଟେଷ୍ଟ ରିପୋର୍ଟରେ ତାଙ୍କର ହୃଦଘାତ ହୋଇଥିବା ଜାଣିବାକୁ ମିଳିଥିଲା । ଆଉ ଏହି ରିପୋର୍ଟ ଆସିବା କ୍ଷଣି ତୁରନ୍ତ ତାଙ୍କର ଅପରେସନ କରାଯାଇଥିଲା ।

ଇଞ୍ଜାମାମଙ୍କର ସ୍ୱାସ୍ଥ୍ୟବସ୍ଥା ଜାଣିବା ପରେ ପାକିସ୍ତାନର ଅଧିକାଂଶ ଖେଳାଳୀ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଇଞ୍ଜାମାମଙ୍କୁ ପାକିସ୍ତାନ କ୍ରିକେଟର ବାଦଶାହା ବୋଲି କୁହାଯାଏ । ୫୧ ବର୍ଷୀୟ ଇଞ୍ଜାମାମ୍ ପାକିସ୍ତାନ ପକ୍ଷରୁ ସର୍ବାଧିକ ରନ୍ କରିବାର ରେକର୍ଡ କରିଛନ୍ତି । ପ୍ରାୟ ୩୭୫ଟି ଦିନିକିଆ ମ୍ୟାଚ୍ ଖେଳିଥିବା ଇଞ୍ଜାମାମ ୧୧ ହଜାରରୁ ଉର୍ଦ୍ଧ୍ୱ ରନ୍ କରିଛନ୍ତି । ସେହିଭଳି ୧୧୯ଟି ଟେଷ୍ଟ ମ୍ୟାଚ୍ ଖେଳି ପାଖାପାଖି ୯ ହଜାର ରନ୍ କରିଛନ୍ତି । ଏପରିକି ନିଜ କ୍ରିକେଟ କ୍ୟାରିୟରରେ ପାକିସ୍ତାନ ପାଇଁ ଲମ୍ବା ସମୟ ଧରି ଅଧିନାୟକ ରହିଛନ୍ତି ଇଞ୍ଜାମାମ । କ୍ରିକେଟରୁ ଅବସର ନେବା ପରେ ଆଫଗାନିସ୍ତାନ ଦଳର କୋଚ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି । ୨୦୧୬ରୁ ୨୦୧୯ ଯାଏଁ ଇଞ୍ଜାମାମ୍ ପାକିସ୍ତାନ କ୍ରିକେଟ ଟିମର ମୁଖ୍ୟ ଚୟନକର୍ତ୍ତା ମଧ୍ୟ ରହିଛନ୍ତି ।