କନକ ବ୍ୟୁରୋ: ବଙ୍ଗୀୟ ଅଭିନେତ୍ରୀ ତଥା ସାଂସଦ ନୁସରତ ଜାହାଁ ତାଙ୍କର ରାଜନୈତିକ କ୍ୟାରିଅର ଅପେକ୍ଷା ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହିଆସୁଛନ୍ତି । ନୁସରତ୍ ତାଙ୍କର ପ୍ରଥମ ସ୍ୱାମୀ ତଥା ବିଜନେସମ୍ୟାନ୍ ନିଖିଲ ଜୈନଙ୍କଠାରୁ ଅଲଗା ହେବା ପରେ ବଙ୍ଗୀୟ ଅଭିନେତା ଯଶ୍ ଦାସଗୁପ୍ତାଙ୍କ ସହିତ ସମ୍ପର୍କକୁ ନେଇ ଅନେକ ସମୟରେ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଆସୁଛନ୍ତି ।
ନିକଟରେ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେବା ସମୟରେ ରାଗିଯାଇଥିଲେ ନୁସରତ । ତାଙ୍କ ବ୍ୟକ୍ତିଗତ ତଥା ବୈବାହିକ ଜୀବନ ବିଷୟରେ ପ୍ରଶ୍ନ ପଚରାଯିବାରୁ ସେ ଏପରି କିଛି ଟପ୍ପଣୀ ଦେଇଥିଲେ ଯାହାକୁ ନେଇ ଏବେ ଆଲୋଚନା ହେଉଛି । ନୁସରତ୍ , ଯଶଙ୍କୁ ବିବାହ କରିଛନ୍ତି କି ନାହିଁ ବୋଲି ପଚରାଯିବାରୁ ଏହାର ଉତ୍ତରରେ ସେ କହିଥିଲେ ଯେ, ‘ଆମକୁ ବିବାହର ଦରକାର ନାହିଁ’ । ନୁସରତ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଜାଣିପାରୁନି ମୋର ବିବାହକୁ ନେଇ ଖବରକୁ ଲୋକେ କାହିଁକି ଏତେ ବ୍ୟସ୍ତ । ମୁଁ କ’ଣ ସମସ୍ତଙ୍କୁ ଫୋନ କରି ବିବାହିତା ବୋଲି କହିବାକୁ ବାଧ୍ୟ ? ଯଦି ମୁଁ ମୋ ବ୍ୟକ୍ତିଗତ ଜୀବନ ବିଷୟରେ କିଛି କହିବାକୁ ଚାହୁଁନାହିଁ ତାହା ମୋର ନଜସ୍ୱ ନିଷ୍ପତ୍ତି । ଯଶ୍ ଓ ମୁଁ ଭିନ୍ନ ଭିନ୍ନ ସମ୍ପ୍ରଦାୟର । ତେଣୁ ଆମ ପୁଅ ଇଶାନ୍ ସେକ୍ୟୁଲାର ଇଣ୍ଡିଆ ପାଇଁ ଆଦର୍ଶ ନାଗରିକ ହେବ’ ବୋଲି କହିଛନ୍ତି ନୁସରତ୍ ।
ନୁସରତଙ୍କ ପୁଅ ଇଶାନ ୨୦୨୧ ଅଗଷ୍ଟରେ ଗନ୍ଗ୍ରହଣ କରିଥିଲା । ଇଶାନଙ୍କ ଜନ୍ମ ପ୍ରମାଣ ପତ୍ରରେ ପିତାଙ୍କ ନାଁ ସ୍ଥାନରେ ଯଶଙ୍କ ନାଁ ଥିବାରୁ ଏହାକୁ ନେଇ ନୁସରତଙ୍କୁ ସୋସିଆଲ ମିଡିଆରେ ସେ ଅନେକ ସମାଲୋଚନାର ଶିକାର ହୋଇଥିଲେ ।