କନକ ବ୍ୟୁରୋ : ଇସ୍ରାଏଲ ଓ ପାଲେଷ୍ଟାଇନ ଯୁଦ୍ଧ ଭିତରେ ଅନେକ ଭାରତୀୟ ଇସ୍ରାଏଲରେ ଫଶି ରହିଛନ୍ତି । ଏହି ଭାରତୀୟଙ୍କ ମଧ୍ୟରେ ବଲିଉଡ ଅଭିନେତ୍ରୀ ନୁସରତ ଭରୁଚା ମଧ୍ୟ ରହିଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ନୁସରତଙ୍କ ପ୍ରଂଶସକ ତାଙ୍କର ଫେରିବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି । ନୁସରତ ଇସ୍ରାଏଲରେ କେମିତି ଅଛନ୍ତି ଓ କେଉଁଠି ଅଛନ୍ତି ସେ ବାବଦରେ ଜାଣିବାକୁ ଚାହୁଁଛନ୍ତି ତାଙ୍କର ପ୍ରଂଶସକ । ଏସବୁ ଭିତରେ ନୁସରତଙ୍କୁ ନେଇ ଇସ୍ରାଏଲରୁ ଆସିଛି ଆଶ୍ୱସ୍ତିକର ଖବର ।

ଇସ୍ରାଏଲରେ ଫଶି ରହିଥିବା ନୁସରତଙ୍କ ସହ ଯୋଗାଯୋଗ ହୋଇଥିବା ନେଇ ସୂଚନା ମିଳିଛି । ନୁସରତ ଇସ୍ରାଏଲରେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ଏପରିକି ଇସ୍ରାଏଲରୁ ଫେରିବା ପାଇଁ ନୁସରତ ବିମାନବନ୍ଦରରେ ପହଞ୍ଚିଥିବା ସୂଚନା ମିଳିଛି । ଏ ଖବର ଜଣାପଡିବା ପରେ ନୁସରତଙ୍କ ପରିବାର ଓ ପ୍ରଂଶସକ ଆଶ୍ୱସ୍ତି ଅନୁଭବ କରିଛନ୍ତି ।

ନୁସରତ ଏକ ଫିଲ୍ମ ଫେଷ୍ଟିଭାଲ ପାଇଁ ଇସ୍ରାଏଲରେ ଥିଲେ । କିନ୍ତୁ ଅଚାନକ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ହେବାରୁ ନୁସରତ ସେଠାରେ ଫଶି ଯାଇଥିଲେ । ଏକ ବେସମେଣ୍ଟ ଏରିଆରେ ନୁସରତ ଥିବା ନେଇ ତାଙ୍କ ଟିମ୍ ସୂଚନା ଦେଇଥିଲା । କିନ୍ତୁ ଏହାର କିଛି ଘଣ୍ଟା ପରେ ନୁସରତଙ୍କ ଟିମ୍ ସହ ଯୋଗାଯୋଗ କରିବା ସମ୍ଭବପର ହୋଇନଥିଲା । ଫଳରେ ନୁସରତଙ୍କୁ ନେଇ ପରିବାର ଓ ପ୍ରଂଶସକଙ୍କ ଚିନ୍ତା ବଢି ଯାଇଥିଲା ।