ମହିଷାସୁର ପରି ମହାମାରୀ ମାରିବାକୁ ଦୁର୍ଗା ଅବତାର ନେଲେ ଡାକ୍ତର, ନର୍ସ । ହାତରେ ମାସ୍କ, ସାନିଟାଇଜର, ଇଞ୍ଜେକ୍ସନ ଧରି ସେବିକା ସାଜିଲେ ଦୁର୍ଗତୀନାଶିନୀ

358

କନକ ବ୍ୟୁରୋ: ନର୍ସ ସାଜିଲେ ଦୁର୍ଗତୀନାଶିନୀ । ମହାମାରୀ ମାରିବାକୁ ଦୁର୍ଗା ଅବତାର  । ଆଉ ଦିନ କେଇଟା ପରେ ଧରାବତର କରିବେ ମାଆ ଦୁର୍ଗା । ଜଗତ ଜନନୀଙ୍କ ଆଗମନୀରେ ଆରମ୍ଭ ହେବ ପାର୍ବଣର ପର୍ବ । ମାଆଙ୍କ ଆବାହନୀ ପାଇଁ ଚାଲିଛି ପ୍ରସ୍ତୁତି, ଚାଲିଛି ରୀତିନୀତି । ମାଆ ଆସିବେ ଆଉ ତାଙ୍କ କାନରେ କରୋନାର କାହାଣୀ କହିବେ ଭକ୍ତ । ମହିଷାସୁର ପରି ବିଶ୍ୱରେ କୋକୁଆ ଭୟ ଖେଳାଇଥିବା ମହାମାରୀ କରୋନାକୁ ନାଶିବାକୁ ଭକ୍ତ କରିବେ ନେହୁରା । ହେଲେ ମାଆ ଆସିବା ଆଗରୁ ଡାକ୍ତର, ନର୍ସଙ୍କ ରୂପରେ କରୋନା ସହ ଯୁଦ୍ଧ କରୁଛନ୍ତି ମାଆ ଦୁର୍ଗା । କରୋନା କବଳରୁ ଜୀବନକୁ ବଞ୍ଚାଇବାକୁ ଏମାନେ ସାଜିଛନ୍ତି କରୋନା ଯୋଦ୍ଧା ।

ତେବେ ଭୂତାଣୁ ପାଇଁ ଯେତେବେଳେ ସାରା ଜଗତ ଭୟରେ ଅଛି, ବଞ୍ଚିବା ପାଇଁ ଛଟପଟ ହେଉଛି । ଠିକ ସେତିକିବେଳେ ଲୋକଙ୍କ ସାମ୍ନାରେ ଚିଡା ହୋଇଛନ୍ତି ଏମାନେ । ମହାମାରୀକୁ ମାରିବାକୁ ଦିନରାତି ଏକ କରି ଅହରହ ଡାକ୍ତରଖାନାରେ ଡ୍ୟୁଟି କରୁଛନ୍ତି ଡାକ୍ତର ଓ ନର୍ସ । ତେବେ ଆଗକୁ ଦୁର୍ଗାପୂଜା ଥିବାରୁ, ଦୁର୍ଗତୀନାଶିନି ଯେମିତି ରାକ୍ଷସ ମହିଷାସୁରକୁ ବଦ୍ଧ କରିଥିଲେ ଠିକ ସେମିତି ମହାମରୀକୁ ମାରିବାକୁ ମହିଳା ସେବିକାମାନେ ଦୁର୍ଗା ସାଜିଛନ୍ତି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।

କରୋନା ଲଢେଇ କରୁଥିବା ଜଣେ ଆକ୍ରାନ୍ତ ଆଇସିୟୁରେ ଥିବା ବେଳେ ଜଣେ ନର୍ସ ଦୁର୍ଗାଙ୍କ ଭଙ୍ଗୀରେ ଛିଡା ହୋଇଛନ୍ତି । ରାକ୍ଷସକୁ ମାରିବା ପରି ମାଆ ଦୁର୍ଗା ଯେମିତି ଦଶଟି ହାତରେ ବିଭିନ୍ନ ଅସ୍ତ୍ରଶସ୍ତ୍ର ଧରିଥିଲେ ଠିକ ସେମିତି ମହିଳା ଡାକ୍ତର ନିଜ ହାତରେ ମହାମାରୀକୁ ମାରିବାକୁ ମେଡିକାଲ ସମ୍ପର୍କୀୟ ସମସ୍ତ ଯନ୍ତ୍ରପାତି ଧରିଛନ୍ତି ।

ତେବେ ଦୁର୍ଗାଙ୍କୁ ନେଇ ଆଉ ଏକ ଚିତ୍ର ଦେଖିଲେ ଆପଣ କିଛି କ୍ଷଣ ଅଟକିଯିବେ ଆଉ ମହାମାରୀ ବେଳେ ମାଆଙ୍କ ଏ ଅବତାରକୁ ଚାହିଁ ରହିବେ । ଯେଉଁଠି ମହାମାରୀ ରୂପୀ ମହିଷାସୁରକୁ ବିନାଶ କରିବାକୁ ମା ମହିଷାମର୍ଦ୍ଦିନୀ ଖୋଦ ଡାକ୍ତରଙ୍କ ଅବତାର ଗ୍ରହଣ କରିଛନ୍ତି । ଆଉ ମସ୍ତକରେ ମୁକୁଟ ବଦଳରେ ନର୍ସ ଟୋପି, ଅଷ୍ଟ ଭୂଜରେ ମାସ୍କ, ସାନିଟାଇଜର, ଷ୍ଟେଥୋ, ସାଲାଇନ ଧରିବା ସହ ଦୁଇ ହାତରେ ତ୍ରିଶୂଳ ବଦଳରେ ଇଞ୍ଜେକସନ ଧରି କରୋନାକୁ ବଦ୍ଧ କରିଛନ୍ତି । ଯାହା କରୋନାକୁ ହରାଇବାର ଏକ ସୁସନ୍ଦେଶ ଦେଉଛି । ତେବେ ଏହି ଫଟୋଟି ଟ୍ୱିଟରରେ ଟ୍ରେଣ୍ଡିଂ ପାଲଟିଥିବା ବେଳେ ବିଭିନ୍ନ ସୋସିଆଲ ମିଡିଆରେ ଦୁର୍ଗାମାଆଙ୍କ ନୂଆ ଅବତାର ଲେଖି ଭାଇରାଲ ହେଉଛି ।

ତେବେ ମାଆ ଯେମିତି ଆସନ୍ତୁ, ଯେଉଁ ରୂପରେ ଆସନ୍ତୁ… ମାଆର ଆଗମନୀକୁ ସମସ୍ତେ ଚାହିଁ ରହିଥିବା ବେଳେ ମାଙ୍କ ଧରାବତରଣ ପୂର୍ବରୁ କରୋନାକୁ ବଦ୍ଧ କରିବାକୁ ମାନବ ରୂପରେ ଦୁର୍ଗା ସାଜିଛନ୍ତି ଡାକ୍ତର, ନର୍ସ ।