କୋଭିଡ୍ ବେଡରୁ ବରିଷ୍ଠ ନର୍ସଙ୍କ ଭାଇରାଲ ଭିଡିଓ । କହିଲେ, ଭୁଲରେ ଦିଆଯାଉଥିଲା ‘ରେମଡେସିିଭିର’ ଇଂଜେକସନ ।

500

କନକ ବ୍ୟୁରୋ: ୧୦ ଏମଏଲ୍ ସିରିଜରେ ରେମଡେସିଭିର ଲୋଡ କରିଛି, ଆସି ମତେ ଦେବାକୁ ବସିଛି, ତଥାପି ମୁଁ ତାକୁ ପଚାରିଲି – ଝିଅ କାହିଁକି ଏ ଇଂଜେକ୍ସନ୍ ମତେ ଦେଉଛ । ରାତି ୧୦ଟା ତ ଏଇଟା ନାହିଁ । ସେ ମତେ କହିଲା – ଏଇଟା ରେମଡେସିଭିର୍ । ମୁଁ ତାକୁ କହିଲି, ରେମଡେସିଭିରକୁ ମତେ ୧୦ ଏମଏଲ ସିରିଂଜରେ ଦେଇ ଦେଉଛ । ସେ କହିଲା, ହଁ କ’ଣ ହେବ କି ଦେଲେ? ମୁଁ କହିଲି, ଅଧଘଂଟାରୁ ଏକ ଘଂଟା ଭିତରେ ଏହାକୁ ଦେବାକୁ ପଡ଼େ, ତମେ ମତେ ୧୦ ଏମଏଲଥ ସିରିଂଜରେ ୫ ମିନିଟରେ ଦେଇଦେବ । ନାଇଁ ନାଇଁ ମତେ ଏ ଇଂଜେକସନ୍ ଦିଅନାହିଁ । ତା’ ହାତକୁ ଛାଟିଦେଲି । କହିଲି, ଯେଉଁ ଝିଅ ଦିନ ଗୋଟାଏ ବେଳେ ମତେ ଏହି ଇଂଜେକଇସନ୍ ଦେଇଥିଲା, ତାକୁ ପଚାର, ତା’ପରେ ଆସି ୧୦୦ ଏମଏଲରେ ମିଶାଇ କି ମତେ ଦେବ । ସେ ମତେ କହିଲା, ଆଗେ ତମକୁ ଇଂଜେକସନ୍ ଦେଇଦେବି, ତା’ପରେ ସେ ଝିଅ ସହ କଥା ହେବି ।

ଏ ଶବ୍ଦ ହେଉଛି ପୂର୍ଣ୍ଣିମା କୁମ୍ଭାରଙ୍କର ଯିଏ କି ଜଣେ ହୃଦରୋଗ ବିଭାଗର ଷ୍ଟାଫ୍ ନର୍ସ । ସେ କରୋନାରେ ସଂକ୍ରମିତ ହେବା ପରେ ବୁର୍ଲା କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । କିପରି କୋଭିଡ୍ ହସପିଟାଲରେ ଭୁଲ ଇଂଜେକ୍ସନ୍ ଦିଆଯାଉଛି । ଅନଭିଜ୍ଞ କର୍ମଚାରୀ ଲୋକଙ୍କ ଜୀବନ ସହ ଖେଳୁଛନ୍ତି, ବିସ୍ତୃତ ଭାବେ ନିଜ ଅନୁଭୂତି ବଖାଣିଛନ୍ତି ପୂର୍ଣ୍ଣିମା । ନିଜେ ନର୍ସ ହିଁ ଆଉ ଜଣେ ନର୍ସଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।

ଏମିତି ଆଖଡ଼ା ଏମାନେ ଏଠି କରୁଛନ୍ତି, ଇଂଜେକସନ୍ ଝୁଲୁଛି, ସେ ଝିଅ ଏଠୁ ପଳାଇଗଲା । ତା’ପରେ ମତେ କହିଲା ସେ ଝିଅକୁ ପଚାର, ଯଦି ସେ ଦେଇନଥିବ, ତେବେ ୧୦୦ଏମଏଲରେ ମିଶାଇ ସେହି ଇଂଜେକ୍ସନ୍ ଦେଇଦେବ । ୪୦ ହଜାର ଟଙ୍କାର ଇଂଜେକ୍ସନ୍, ସକାଳେ ମତେ ଗୋଟେ ଦେଇଥିଲେ । ଭାବନ୍ତୁ, ଲୋକେ ଏହି ଇଂଜେକ୍ସନ୍ ନପାଇ ମରୁଛନ୍ତି । ତେବେ ଏମାନେ କେତେ ଖାମଖିଆଲି ଭାବେ କାମ କରୁଛନ୍ତି । ଯଦି ମୁଁ ଏପରି ଇଂଜେକ୍ସନ୍ ନେଇଥାନ୍ତି, ମୋର ଏବେ ଡେଥ୍ ହୋଇ ଯାଇଥାନ୍ତା ।

କିପରି ଦିନବେଳା ଥରେ ରେମଡେସିଭିର ଇଂଜେକସନ୍ ଦିଆ ଯାଇଥିବା ସତ୍ୱେ, ଆଉ ଥରେ ରାତିରେ ଆଉ ଜଣେ ନର୍ସ ଆସି ରେମଡେସିଭିର ଇଂଜେକ୍ସନ୍ ଦେବାକୁ ବସିଥିଲା, ପୂରା ଘଟଣା କହିଛନ୍ତି, କୋଭିଡ୍ରେ ସଂକ୍ରମିତ ହୋଇଥିବା ଷ୍ଟାଫ୍ ନର୍ସ । ରେମଡେସିଭିର ଇଂଜେକ୍ସନ୍ ମିଳୁନଥିବା ବେଳେ ଏହାର ମନମୁଖୀ ବ୍ୟବହାର କରାଯାଉଥିବା ସେ ଅଭିଯୋଗ କରିଛନ୍ତି ।

ଏହି ଅଭିଯୋଗକୁ ନେଇ ଉତେଜନା ସୃଷ୍ଟି ହୋଇଛି । କିଛି ଲୋକ ହସପିଟାଲରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ହସପିଟାଲ ପରିସରରେ ପୋଲିସ ମୂତୟନ କରାଯାଇଥିଲା । ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହସପିଟାଲର ସୁପରିଣ୍ଟେଣ୍ଡେଂଟ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା । ଭିମସାରର ହୃଦରୋଗ ବିଭାଗରେ କାମ କରୁଥିବା ନର୍ସ କରୋନା ପଜିଟିଭ ଚିହ୍ନଟ ହେବା ପରେ କୋଭିଡ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ତାଙ୍କୁ ଗୋଟିଏ ଥର ରେମଡେସଭିର ଔଷଧ ଦେବା ପାଇଁ ଡାକ୍ତର ପରାମର୍ଶ ଦେଇଥିବା ବେଳେ ଦୁଇ ଥର ରେମଡେିସିଭର ଦେବାକୁ ଉଦ୍ୟମ ହୋଇଥିଲା । ଏହି ଅଭିଯୋଗ ପରେ ସଂପୃକ୍ତ ନର୍ସଙ୍କୁ ବହିଷ୍କାର କରାଯାଇଛି ।