ସବୁଠୁ ବଡ ଖୁଲାସା: ନିହାରୀକାଙ୍କୁ ହତ୍ୟା କରିଛି ରାଜା; କଟକରେ ଥିବା ସାଙ୍ଗ ଘରେ ତଣ୍ଟଂଚିପି ମାରିଲା, ଅଖାରେ ଭର୍ତ୍ତି କରି ନଦୀରେ ଭସାଇଦେଲା

ନର୍ସ ନିହାରୀକାଙ୍କ ରହସ୍ୟମୟ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ୍

1,817

କନକ ବ୍ୟୁରୋ: ନର୍ସ ନିହାରୀକାଙ୍କ ରହସ୍ୟମୟ ମୃତ୍ୟୁ ଘଟଣାରେ ହେଲା ପର୍ଦ୍ଦାଫାସ୍ । ନିହାରୀକାଙ୍କ ପ୍ରେମିକ କିଶୋର କୁମାର ଆଂଚଲ ଓରଫ ରାଜା ହିଁ ତାଙ୍କୁ ହତ୍ୟା କରିଥିବା ସ୍ପଷ୍ଟ ହୋଇଛି । ଏପରିକି ହତ୍ୟାକାଣ୍ଡ ସଂପର୍କରେ ପୁଲିସ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି । ଜଗତସିଂହପୁର ଏସପି ନେଇ ଏକ ସାମ୍ବାଦିକ ସମ୍ମିଳନୀରେ କରିବେ ରହସ୍ୟର ଉନ୍ମୋଚନ । କଟକରେ ଥିବା ସାଙ୍ଗ ଘରେ ନିହାରୀକାଙ୍କୁ ନେଇ ସେଠାରେ ତାଙ୍କର ତଣ୍ଟିଚିପି ରାଜା ହତ୍ୟା କରିଥିବା କହିଛି ପୁଲିସ । ତେବେ ହତ୍ୟା ପରେ ରାଜା ନିହାରୀକାଙ୍କ ମୃତଦେହକୁ ଏକ ଅଖାରେ ପୁରାଇ ବାଇକରେ ନେଲା ବେଳର ଦୃଶ୍ୟ ତଥା ସିସିଟିଭି ଫୁଟେଜ ମଧ୍ୟ ପୁଲିସର ହସ୍ତଗତ ହୋଇଛି ।

ସୂଚନା ଅନୁସାରେ, ରାଜା ହିଁ ନିହାରୀକା ପାତ୍ର ତଥା ରୁପାଲିଙ୍କୁ ହତ୍ୟା କରିଛି । ପ୍ରଥମେ ରାଜା ନିହାରୀକାଙ୍କୁ କଟକରେ ଥିବା ତାଙ୍କ ବନ୍ଧୁଙ୍କ ଘରକୁ ନେଇଥିଲା ସେଠାରେ ତାଙ୍କୁ ତଂଟିଚିପି ହତ୍ୟା କରିଥିଲା । ହତ୍ୟାପରେ ରାଜା ନିହାରୀକାଙ୍କ ମୃତ ଦେହକୁ ଅଖାରେ ପୁରାଇ ବାଇକରେ ନେଇ ବିଲୁଆଖାଇ ନଦୀରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲା । ତେବେ ରାଜା ବେରୋଜଗାର ଥିବା କାରଣରୁ ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡା ହେଉଥିଲା ଏବଂ ହତ୍ୟାକାଣ୍ଡ ଘଟିବା ଦିନ ହିଁ ଉଭୟଙ୍କ ମଧ୍ୟରେ ଏହି କାରଣରୁ ବଚସା ହୋଇଥିଲା ଆଉ ଏଥିରେ ଉତକ୍ଷପ୍ତ ହୋଇ ରାଜା ନିହାରୀକାଙ୍କୁ ହତ୍ୟା କରିଥିବା ଜଣାପଡିଛି ।

ଗତକାଲି ନିହାରିକାର ପୁରୁଷ ବନ୍ଧୁ ଥାନାରେ ଆତ୍ମସମର୍ପଣ କରିଥିଲା । ନିହାରିକା ହତ୍ୟାକାଣ୍ଡ ନେଇ ରାଜାଙ୍କୁ ଗୁପ୍ତ ସ୍ଥାନରେ ପଚରାଉଚରା କରୁଥିଲା । ଗତ ୮ ତାରିଖରୁ ନିହାରିକା ନିଖୋଜ ଥିଲା । ଏନେଇ ପରିବାର ଲୋକ କଟକ ମଧୁପାଟଣା ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ଗତ ୧୭ ତାରିଖରେ ଜଗତସିଂହପୁର ବିଲୁଆଖାଇ ନଦୀ ପଠାରୁ ମିଳିଥିଲା ନିହାରିକାଙ୍କ ମୃତଦେହ । ପୁଲିସ ହତ୍ୟାକାଣ୍ଡ ନେଇ ଛାନଭିନ କରିବା ପରେ ରାଜାର ହତ୍ୟା ପଛରେ ହାତ ଥିବା ସନ୍ଦେହ କରି ଖୋଳତାଡ କରିଥିଲେ । ରାଜା ଫେରାର ଥିବା ବେଳେ ତାଙ୍କ ବାପା, ଭାଇ ଓ ୪ ଜଣଙ୍କୁ ଅଟକ ରଖିଥିଲା ପୁଲିସ । ଏହା ପରେ ଗତକାଲି ବିରିଡି ଥାନାରେ ପହଚିଂଥିଲା ରାଜା ।