କନକ ବ୍ୟୁରୋ : ଦେଶରେ ଦୁଷ୍କର୍ମକୁ ନେଇ ଆଇନ ଯେତେ କଠୋର ହେବାରେ ଲାଗିଛି ଅପରାଧୀମାନେ ସେତେ ଦୁଷ୍କର୍ମ କରିବାରେ ଲାଗିଛନ୍ତି । ନା ସାମାଜିକ ସଚେତନତା, ନା ଦଣ୍ଡବିଧାନ ଏସବୁ ସେମାନଙ୍କ ଉପରେ କିଛି ବି ଫରକ ପକାଉନାହିଁ । କେବେ ନାବାଳିକା ତ କେବେ ଶିଶୁ । ଏବେ ପୁଣି ଏକ ବର୍ବର କାଣ୍ଡର କରୁଣ କାହାଣୀ ଆସିଛି ଛତିଶଗଡରୁ । ରାଜ୍ୟର ମନେନ୍ଦ୍ରଗଡ ଜିଲ୍ଲା ଚିରାମିରି ଠାରେ ଜଣେ ନର୍ସଙ୍କୁ ୪ ଜଣ ଲୋକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବା କଥା ବି କୁହାଯାଉଛି । ସେମାନେ କେବଳ ଦୁଷ୍କର୍ମ କରି ନାହାଁନ୍ତି ବରଂ ଦୁଷ୍କର୍ମ ବେଳର ସେ ଦୃଶ୍ୟକୁ ମୋବାଇଲରେ ରେକର୍ଡ କରି ନେଇଛନ୍ତି । ଏହି ଭିଡିଓକୁ ଦେଖାଇ ସେ ପୀଡିତାଙ୍କୁ ମୁହଁ ବନ୍ଦ କରିବାକୁ ଧମକ ମଧ୍ୟ ଦେଇଛନ୍ତି ।

Advertisment

ପୋଲିସ କହିବା ମୁତାବକ ପାଖାପାଖି ଦିନ ୩ ଟା ବେଳେ ମେଡିକାଲ ଭିତରେ ନର୍ସ ଜଣଙ୍କ ଏକୁଟିଆ କାମ କରୁଥିବା ବେଳେ ୪ ଜଣ ଯୁବକ ଏହି ସୁଯୋଗରେ ତାଙ୍କ ରୁମ ଭିତରକୁ ପଶିଯାଇଥିଲେ । ଏହାପରେ ନର୍ସଜଣଙ୍କ ଗଳା ଚାପି ତାଙ୍କ ହାତ ଗୋଡ ବାନ୍ଧି ଦେଇଥିଲେ । ଏବେ ପୀଡିତା ଜଣଙ୍କ ନିରୂୁପାୟ ହୋଇଯିବାରୁ ଏହି ବର୍ବରମାନେ ଜଣଙ୍କ ପରେ ଜଣେ ତାଙ୍କ ସହ ଦୁଷ୍କର୍ମ କରିଥିଲେ ।

ଏସବୁ ପରେ ପୀଡିତା ଜଣଙ୍କ କୌଣସି ପ୍ରକାର ନିଜ ଘରକୁ ଫେରି ପରିବାର ଲୋକଙ୍କୁ ଏସବୁ ବାବଦରେ କହିଥିଲେ । ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତୁରନ୍ତ ଏହି ମାମଲାରେ ସଂପୃକ୍ତ ଥିବା ୩ ଜଣଙ୍କୁ ଗିରଫ କରିଛି ।

ସେପଟେ ଏହି ମାମଲା ବାବଦରେ ସୂଚନା ପାଇବା ପରେ ରାଜ୍ୟ ବିଜେପି ପକ୍ଷରୁ ନେତା ଓ କର୍ମୀମାନେ ଥାନାରେ ପହଂଚି ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି । ଏହାସହ ସେମାନେ ରାଜ୍ୟ ଗୃହ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ôତଫା ଦାବି କରିଛନ୍ତି ।