ଟ୍ରେନ ଭିତରେ ଅଭାବନୀୟ ଘଟଣା : ଧର୍ମ ପରିବର୍ତ୍ତନର ଆଶଙ୍କା କରି ଟ୍ରେନ ଭିତରେ ନନଙ୍କୁ ଦୁର୍ବ୍ୟବହାର କଲେ ବଜରଙ୍ଗୀ ଦଳ; ଅମିତ ଶାହା କହିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ 

221

କନକ ବ୍ୟୁରୋ :  ଧର୍ମ ପରିବର୍ତ୍ତନ ଅଭିଯୋଗକୁ ନେଇ ଟ୍ରେନ ଭିତରେ ଘଟିଛି ଏକ ଅଭାବନୀୟ ଘଟଣା । ମନ ଭିତରେ ଦ୍ୱନ୍ଦ ଓ ସନ୍ଦେହ କିଛି ଏଭଳି ସ୍ଥିତି ସୃଷ୍ଟି କରିଛି ଯେଉଁଠି ରାଜ୍ୟରୁ ଆରମ୍ଭ କରି ପ୍ରସଙ୍ଗ ଦିଲ୍ଲୀ ଦରବାରକୁ ଦୋହଲାଇଛି । ପୁରା ଘଟଣା ଥିଲା କିଛି ଏହିପରି । ଉତ୍କଳ ଏକ୍ସପ୍ରେସରେ ଦିଲ୍ଲୀରୁ ରାଉରକେଲା ଆସୁଥିଲେ ୨ଜଣ ନନ ଏବଂ ତାଙ୍କର ୨ଜଣ ସହ ଯୋଗୀ । ଉତର ପ୍ରଦେଶର ଝାନସୀ ନିକଟରେ ବଜରଙ୍ଗ ଦଳର କିଛି କର୍ମୀ ଧର୍ମ ପରିବର୍ତ୍ତନର ଆଶଙ୍କା କରି ଏମାନଙ୍କୁ ଦୁର୍ବ୍ୟବହାର କରିଥିଲେ ।

ଏହି ଘଟଣାକୁ ନେଇ ରାଜନୈତିକ ବିବାଦ ଆରମ୍ଭ ହୋଇଯାଇଛି । ବିରୋଧିଙ୍କ ଅଭିଯୋଗ ହେଲା ବଜରଙ୍ଗ ଦଳର କର୍ମକର୍ତା ଏହି ନନମାନଙ୍କୁ ଅସଦା ଆଚରଣ କରିଛନ୍ତି । ଏହି ଘଟଣା ଘଟିଥିଲା ମାର୍ଚ୍ଚ ୧୯ ତାରିଖରେ । ଯେତେବେଳେ କେରଳର ସାଇରୋ ମାଲାବାର ଚର୍ଚ୍ଚର ୨ଜଣ ନନ ଏବଂ ତାଙ୍କର ୨ଜଣ ସହଯୋଗୀ ଉତ୍କଳ ଏକ୍ସପ୍ରେସ ଯୋଗେ ଦିଲ୍ଲୀରୁ ରାଉରକେଲା ଯାଉଥିଲେ । ସହେଯାଗୀ ୨ଜଣ ସାଧାରଣ ପୋଷାକ ପିନ୍ଧିଥିବା ବେଳେ ନନ ୨ଜଣ ଧର୍ମ ଅନୁସାରେ ପୋଷାକ ପରିଧାନ କରିଥିଲେ ।

ମିଳିଥିବା ସୂଚନା ଅନୁସାରେ, ବଜରଙ୍ଗ ଦଳର କିଛି ସଦସ୍ୟ ରିଷିକେଶ ନିକଟରେ ଟ୍ରେନରେ ଚଢିଥିଲେ । ଏବଂ ଖରାପ ବ୍ୟବହାର କରିବା ଆରମ୍ଭ କରିଥିଲେ । ସେମାନଙ୍କ କହିବା ଥିଲା ଏହି ନନମାନେ ଧର୍ମପରିବର୍ତ୍ତନ କରିବା ପାଇଁ ଅନ୍ୟ ୨ଜଣଙ୍କୁ ସାଥିରେ ନେଉଛନ୍ତି । ତେବେ ଧର୍ମପରିବର୍ତ୍ତନ କରିବାକୁ ଯାଉଛ କି ବୋଲି ସେମାନଙ୍କୁ ପ୍ରଶ୍ନ ପଚରାଯିବାରୁ ଝିଅ ଜଣଙ୍କ କହୁଛନ୍ତି ସେ ଖ୍ରୀଷ୍ଟ୍ରିଆନ ସମ୍ପ୍ରଦାୟର ଏବଂ ଜଣେ ଭଲ ସିଷ୍ଟର ହେବାକୁ ଯାତ୍ରା କରୁଛନ୍ତି । ଏପରିକି ସେମାନେ ନିଜର ଆଧାର କାର୍ଡ ମଧ୍ୟ ଦେଖାଉଛନ୍ତି ।

ତେବେ କିଛି ଯୁବକ ସେମାନଙ୍କୁ ଏଣୁ ତେଣୁ ପ୍ରଶ୍ନ ପଚାରି ଖରାପ ବ୍ୟବହାର ପ୍ରଦର୍ଶନ କରିିଥିବା ଅଭିଯୋଗ ହୋଇଛି । ପୋଲିସ ୪ଜଣଙ୍କୁ ଅଟକ ରଖି ପଚରା ଉଚରା କରିବା ପରେ ପ୍ରମାଣ ଅଭବାରୁ ଛାଡି ଦେଇଥିଲା । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ନନଙ୍କ ସହିତ ଥିବା ୨ଜଣ ମହିଳା ସେମାନଙ୍କର ଆବଶ୍ୟକୀୟ କାଗଜପତ୍ର ଦେଖାଇଥିଲେ । ଯେଉଁଥିରୁ ସ୍ପଷ୍ଟ ହୋଇଥିଲା ୨୦୦୩ ମସିହାରୁ ସେମାନେ ଖ୍ରୀଷ୍ଟଧର୍ମ ସହିତ ସଂଶିଷ୍ଟ ଅଛନ୍ତି । ଏବଂ ନନ ହେବା ପାଇଁ ପ୍ରକ୍ରିୟା ଜାରି ରହିଛି ।

ଘଟଣାକୁ ନେଇ ଚାରିଆଡୁ ଉଦବେଗ ପ୍ରକାଶ ପାଇବା ପରେ ଗୃହମନ୍ତ୍ରୀ ଅମିତ ସାହା କହିଛନ୍ତି ଯେଉଁମାନେ ଏଥିରେ ସାମିଲ ଅଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ମାମଲାରେ କେରଳ ମୁଖ୍ୟମନ୍ତ୍ରୀ ପି ବିଜୟନ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ଦାବି କରିବା ସହିତ କହିଛନ୍ତି ଏହା ଦେଶର ଭାବମୂର୍ତିକୁ ନଷ୍ଟ କରୁଛି ଓ ଧାର୍ମିକ ସହନଶିଳତାକୁ ବିପଦ ଭିତରକୁ ଠେଲିଦେଉଛି ।