କନକ ବ୍ୟୁରୋ : ଚଳିତ ବିଶ୍ୱକପରେ ଦମଦାର ପ୍ରଦର୍ଶନ କରୁଛି ଟିମ୍ ଇଣ୍ଡିଆ । ୮ଟିରୁ ୮ଟି ମ୍ୟାଚରେ ବିଜୟୀ ହୋଇ ଦଳ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ଦଳଗତ ପ୍ରଦର୍ଶନ ପାଇଁ ଏହା ସମ୍ଭବପର ହୋଇପାରିଛି । କେବଳ ବିଶ୍ୱକପରେ ନୁହେଁ ବରଂ ଏବେ ବିଶ୍ୱ କ୍ରିକେଟରେ ବାଦଶାହା ସାଜିଛି ଟିମ୍ ଇଣ୍ଡିଆ । ଆଇସିସି ରାକିଂରେ ଏବେ ଦବଦବା ଜାହିର କରିଛି ଭାରତ । କେବଳ ଟିମ୍ ଇଣ୍ଡିଆ ନୁହେଁ ବରଂ ଦଳର ଭାରତୀୟ ଖେଳାଳୀ ମଧ୍ୟ ଆଇସିସି ରାକିଂରେ ଜଲୱା ଦେଖାଇଛନ୍ତି ।

Advertisment

ଟେଷ୍ଟ,ଟି-୨୦ ଏବଂ ଦିନିକିଆ, ପ୍ରତିଟି ଫର୍ମାଟରେ ଆଇସିସି ରାକିଂରେ ଏକ ନମ୍ବର ଦଳ ଭାବେ ଉଭା ହୋଇଛି ଟିମ୍ ଇଣ୍ଡିଆ । ଦିନିକିଆ ଓ ଟି-୨୦ ଫର୍ମାଟରେ ୨ ନମ୍ବରରେ ଥିବା ଦଳ ଭାରତ ଠାରୁ ଯଥେଷ୍ଟ ପଛରେ ରହିଛନ୍ତି । ଟେଷ୍ଟରେ ଭାରତ ଓ ଅଷ୍ଟ୍ରେଲିଆ ସମାନ ଅଙ୍କ ହାସଲ କରିଥିଲେ ମଧ୍ୟ କମ ମ୍ୟାଚ୍ ଖେଳିଥିବାରୁ ଭାରତ ଶୀର୍ଷ ସ୍ଥାନରେ ରହିଛି । ସେହିଭଳି ଆଇସିସିର ପ୍ରତି ଫର୍ମାଟରେ ଭାରତୀୟ ବୋଲର ଓ ବ୍ୟାଟର ଦବଦବା ଜାହିର କରିଛନ୍ତି । ଦିନିକିଆ ଓ ଟି-୨୦ ଫର୍ମାଟରେ ଶ୍ରେଷ୍ଠ ବ୍ୟାଟର ଭାବେ ଦୁଇ ଭାରତୀୟ ରହିଛନ୍ତି । ଦିନିକିଆ ଫର୍ମାଟରେ ଆଇସିସିର ଟପ୍-୧୦ ବ୍ୟାଟର ତାଲିକାରେ ଶୁଭମନ ଗିଲ୍ ଶୀର୍ଷରେ ରହିଥିବା ବେଳେ ଟି-୨୦ ଫର୍ମାଟରେ ଏହି ସ୍ଥାନ ଅକ୍ତିଆର କରିଛନ୍ତି ଭାରତୀୟ ବ୍ୟାଟର ସୂର୍ଯ୍ୟକୁମାର ଯାଦବ । ସେହିଭଳି ବୋଲିଂରେ ମଧ୍ୟ ଆଇସିସି ରାକିଂରେ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି ଭାରତୀୟ ବୋଲର । ଦିନିକିଆରେ ମହମ୍ମଦ ସିରାଜ ଓ ଟେଷ୍ଟରେ ରବିଚନ୍ଦ୍ରନ ଅଶ୍ୱିନୀ ଏକ ନମ୍ବର ବୋଲର ଭାବେ ଉଭା ହୋଇଛନ୍ତି । ଏହାବାଦ୍ ଦିନିକିଆରେ ଟପ-୧୦ ଅଲରାଉଣ୍ଡରଙ୍କ ମଧ୍ୟରେ ନମ୍ବର-୧ରେ ରହିଛନ୍ତି ଭାରତୀୟ କ୍ରିକେଟର ରବୀନ୍ଦ୍ର ଜାଡେଜା ।

ସିରାଜଙ୍କ ବ୍ୟତୀତ ଦିନିକିଆରେ ଟପ-୧୦ ବୋଲର ତାଲିକାରେ ଆଉ ୩ ଭାରତୀୟ ବୋଲର ରହିଛନ୍ତି । କୁଳଦୀପ ଯାଦବ ୪ର୍ଥ ସ୍ଥାନରେ ଥିବା ବେଳେ ବୁମରା ଓ ମହମ୍ମଦ ସାମି ଯଥାକ୍ରମେ ଅଷ୍ଟମ ଓ ଦଶମ ସ୍ଥାନରେ ରହିଛନ୍ତି । ସେହିଭଳି ବ୍ୟାଟରଙ୍କ ତାଲିକାରେ ବିରାଟ କୋହଲି ୪ ନମ୍ବର ସ୍ଥାନରେ ଥିବା ବେଳେ ରୋହିତ ଶର୍ମା ୬ ନମ୍ବର ସ୍ଥାନରେ ରହିଛନ୍ତି ।

ଟେଷ୍ଟ ଫର୍ମାଟରେ ରୋହିତ ଶର୍ମା ୧୦ମ ସ୍ଥାନରେ ଥିବା ବେଳେ ବୋଲିଂରେ ରବୀନ୍ଦ୍ର ଜାଡେଜା ୩ ନମ୍ବର ଓ ଯଶପ୍ରୀତ ବୁମରା ୧୦ ନମ୍ବର ସ୍ଥାନରେ ରହିଛନ୍ତି । ଟେଷ୍ଟ ଅଲରାଉଣ୍ଡର ରାକିଂରେ ଜାଡେଜା ଏକ ନମ୍ବରରେ ଥିବା ବେଳେ ଅଶ୍ୱିନୀ ଓ ଅକ୍ଷର ପଟେଲ ଯଥାକ୍ରମେ ୨ ନମ୍ବର ଓ ୫ ନମ୍ବର ସ୍ଥାନରେ ରହିଛନ୍ତି । ଏହି ରାକିଂ ହିଁ ଦର୍ଶାଉଛି ବିଶ୍ୱ କ୍ରିକେଟରେ ଭାରତ ଏବେ କେତେ ଶକ୍ତିଶାଳୀ ଦଳ । ଯାହାର ଝଲକ ଚଳିତ ବିଶ୍ୱକପରେ ଦେଖିବାକୁ ମିଳୁଛି । ବିଶ୍ୱକପରେ ଭାରତ ଏଯାଏଁ ୮ଟି ବଡ ଟିମକୁ ମାତ୍ ଦେଇ ସାରିଥିବା ବେଳେ ଦୀପାବଳି ଦିନ ନେଦରଲାଣ୍ଡସ ବିପକ୍ଷରେ ମୈଦାନକୁ ଓହ୍ଲାଇବ । ଭାରତରେ ଖେଳାଯାଉଥିବାରୁ ଟିମ୍ ଇଣ୍ଡିଆ ବିଶ୍ୱକପ ବିଜୟୀ ହେଉ ବୋଲି ଚାହୁଁଛନ୍ତି କ୍ରିକେଟପ୍ରେମୀ ।