କନକ ବ୍ୟୁରୋ : ଦେଶର ୧୧ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରୁ ମୋଟ୍ ୧୧୩ ଜଣ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହୋଇଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ଦୁଇ ଜଣ ଓମିକ୍ରନ ଆକ୍ରାନ୍ତ ଉତ୍ତରପ୍ରଦେଶରୁ ଚିହ୍ନଟ ହୋଇଛନ୍ତି । ଏହି ଦୁଇ ଜଣ ପତି-ପତ୍ନୀ ବୋଲି ଜଣାପଡିଛି । ଏହି ଦୁଇ ଜଣଙ୍କ ଟ୍ରାଭେଲ ହିଷ୍ଟ୍ରି ମହାରାଷ୍ଟ୍ର ଏବଂ ରାଜସ୍ଥାନ ବୋଲି ଜଣାପଡିଛି । ଦୁଇଟି ରାଜ୍ୟ ବୁଲି ଗାଜିଆବାଦରେ ପହଞ୍ଚିବା ପରେ ଓମିକ୍ରନ ଭ୍ୟାରିଆଣ୍ଟରେ ସଂକ୍ରମିତ ହୋଇଥିବା ନେଇ ଜଣାପଡିଛି ।
ସେହିପରି ମହାରାଷ୍ଟ୍ରରେ ମଧ୍ୟ ଓମିକ୍ରନରେ ଆଉ ୮ ଜଣ ସଂକ୍ରମିତ ହୋଇଛନ୍ତି । ଏହି ୮ ଜଣ ପୁରୁଷ ରହିଛନ୍ତି । ଏମାନେ ସମସ୍ତେ ବିଦେଶରୁ ଫେରିଛନ୍ତି । ୪ ଜଣ ୟୁଏଇରୁ ଆସିଥିବା ବେଳେ ଦୁଇ ଜଣ ଆମେରିକା ଏବଂ ନାଇଜେରିଆରୁ ଆସିଛନ୍ତି । ସେହିପରି ଏମାନଙ୍କ ସମ୍ପର୍କରେ ଆସିଥିବା ଦୁଇ ଜଣ ମଧ୍ୟ ସଂକ୍ରମିତ ହୋଇଛନ୍ତି । ମହାରାଷ୍ଟ୍ରରେ ଏହାକୁ ମିଶାଇ ମୋଟ୍ ୪୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଶୁକ୍ରବାର ଗୁଜରାଟରେ ମଧ୍ୟ ପତି-ପତ୍ନୀ ଓମିକ୍ରନର ଶିକାର ହୋଇଛନ୍ତି । ଏହି ଦୁଇ ଜଣ ବୟସ୍କ ବୋଲି ଜଣାପଡିଛି । ଏହି ଦୁଇ ଜଣ ଜାମ୍ବିଆରେ ଫେରିିଥିବା ସୂଚନା ରହିଛି ।
ସେପଟେ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଦେଖି କେନ୍ଦ୍ର ସରକାର ଚିନ୍ତା ପ୍ରକଟ କରିଛନ୍ତି । ଏଭଳି ସମୟରେ ଅତ୍ୟାବଶ୍ୟକ ନଥିଲେ ଯାତ୍ରା ନ କରିବା, ଭିଡ ନକରିବା, ଓ କରୋନା ବ୍ୟବହାରକୁ ମାନି ଚଳିବା ନେଇ ଆଇସିଏମଆର ନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି । ଅନ୍ୟପଟେ କରୋନାର ଡେଲଟା ଭୂତାଣୁ ଅପେକ୍ଷା ଓମିକ୍ରନ ଅଧିକ ବ୍ୟାପୁଥିବା ନେଇ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ କହିଛି । ଏ ପର୍ଯ୍ୟନ୍ତ ଏହି ଭୂତାଣୂୁ ବିଶ୍ୱର ୯୧ଟି ଦେଶରେ ବ୍ୟାପି ସାରିଥିବା ଜଣାପଡିଛି । ଓମିକ୍ରନ ଆକ୍ରାନ୍ତଙ୍କ ପାଇଁ ଚିକିତ୍ସା ପଦ୍ଧତି ବଦଳିବନି । କରୋନାର ଅନ୍ୟ ପ୍ରଜାତି ଭଳି ଚିକିତ୍ସା ହେବ । ଚାଲିଥିବା ଚିକିତ୍ସା ପଦ୍ଧତି ଓମିକ୍ରନ କ୍ଷେତ୍ରରେ ବି ଫଳପ୍ରଦ ହେଉଛି ବୋଲି ହୁ କହିଛି ।