ବଢିଲା ମେଡିକାଲ କଲେଜର ସିଟ୍ । ଜାଣନ୍ତୁ କେଉଁ ମେଡିକାଲ କଲେଜରେ କେତେ ସିଟ୍ ପାଇଁ ହେବ ନାମଲେଖା ?

236

କନକ ବ୍ୟୁରୋ : ଆରମ୍ଭ ହେଲା ମେଡିକାଲ କଲେଜରେ ନାମଲେଖା ପାଇଁ ପଂଜିକରଣ ପ୍ରକ୍ରିୟା । ଚଳିତବର୍ଷ ପୁରୀ ମେଡିକାଲ କଲେଜର ଶହେ ନୂଆ ସିଟ ପାଇଁ ହେବ ନାମଲେଖା । ପ୍ରାୟ ୫ ମାସ ବିଳମ୍ବରେ ଆରମ୍ଭ ହେଲା ପ୍ରକ୍ରିୟା । ଓଡ଼ିଶାରୁ ୨୨ ହଜାର ଛାତ୍ରଛାତ୍ରୀ ରେଜିଷ୍ଟ୍ରେସନ ପାଇଁ କ୍ୱାଲିଫାଏ କରିଛନ୍ତି । ନାମଲେଖା ପାଇଁ ପଂଜୀକରଣ ଆରମ୍ଭ ହୋଇଥିବା ବେଳେ ଏହା ୧୮ ତାରିଖ ଯାଏଁ ଚାଲିବ । ୨୪ରେ ପ୍ରୋଭିଜନାଲ ମେରିଟ ଲିଷ୍ଟ ଓ ୨୭ରେ ପ୍ରକାଶ ପାଇବ ଫାଇନାଲ ମେରିଟ ଲିଷ୍ଟ ।

ବଢ଼ିଲା ମେଡିକାଲ କଲେଜ ସିଟ ସଂଖ୍ୟା । ଏଥର ମୋଟ ୧୪୫୦ ଏମବିବିଏସ ସିଟ୍ ଓ ୧୬୩ ବିଡିଏସ ସିଟ୍ ପାଇଁ ହେବ ନାମଲେଖା । ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଶହେ ସିଟ୍ ପାଇଁ ପ୍ରଥମ କରି ହେବ ନାମଲେଖା । ନଜର ପକାଇବା ରାଜ୍ୟର ଅନ୍ୟ ମେଡିକାଲ କଲେଜ୍ ସିଟ୍ ସଂଖ୍ୟା ଉପରେ:
*ଏସସିବିରେ ୨୫୦ ଏମବିବିଏସ୍ ସିଟ୍ ପାଇଁ ନାମଲେଖା
*ବ୍ରହ୍ମପୁର ଏମକେସିଜିରେ ୨୫୦ ସିଟ୍ ପାଇଁ ନାମଲେଖା
*ଭୀମସାରରେ ୨୦୦ ସିଟ୍ ପାଇଁ ନାମଲେଖା ହେବ
*କୋରାପୁଟ ମେଡିକାଲ କଲେଜରେ ୧୨୫ ସିଟ୍
*ବାରିପଦା ମେଡିକାଲ କଲେଜରେ ୧୨୫ ସିଟ୍
*ବଲାଙ୍ଗୀର, ପୁରୀ ଓ ବାଲେଶ୍ୱର ମେଡିକାଲ କଲେଜରେ ଶହେ ଲେଖାଏଁ ସିଟ୍
*ସେହିଭଳି ହାଇଟେକ ଭୁବନେଶ୍ୱର ଓ ରାଉରକେଲାର ୧୦୦ ଲେଖାଏଁ ସିଟ୍ 

ମୋଟ୍ ୧୪୫୦ ଏମବିବିଏସ ସିଟ୍ ପାଇଁ ହେବ ନାମଲେଖା । ସେହିଭଳି ବିଡିଏସ୍ ସିଟ୍ ଲାଗି ଏସସିବି ଓ ହାଇଟେକରେ ୧୬୦ ସିଟ୍ ଲାଗି ନାମଲେଖା ହେବ ।

ରାଜ୍ୟରେ ୧୪୫୦ ସିଟ୍ ପାଇଁ ଏଥର ନିଟ୍ କ୍ୱାଲିଫାଏ କରିଛନ୍ତି ୨୨ ହଜାର ଛାତ୍ରଛାତ୍ରୀ । ଚଳିତବର୍ଷ ମେଡିକାଲ ପ୍ରବେଶିକା ପରୀକ୍ଷା ଫଳ ନଭେମ୍ବର ମାସରୁ ପ୍ରକାଶ ପାଇଥିଲେ ବି ନାମଲେଖା ପ୍ରକ୍ରିୟା ବିଳମ୍ବରେ ଆରମ୍ଭ ହୋଇଛି । ସେପଟେ ଏମ୍ସ ଓ ମେଡିକାଲ କାଉନସିଲ ନାମଲେଖା ପାଇଁ ଏବେ ସୁଦ୍ଧା କୌଣସି ଗାଇଡଲାଇନ ପ୍ରକାଶ କରିନଥିବାରୁ ଅନେକ ଛାତ୍ରଛାତ୍ରୀ ଚିନ୍ତାରେ ଅଛନ୍ତି ।

Ojee.nic.inରେ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଦେଇ ନାଁ ପଞ୍ଜିକରଣ କରିବେ ନିଟ୍ କ୍ୱାଲିଫାଏ ଛାତ୍ରଛାତ୍ରୀ । ଆସନ୍ତା ୧୮ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ହେବ ରେଜିଷ୍ଟ୍ରେସନ । ୨୪ ତାରିଖରେ ପ୍ରକାଶ ପାଇବ ପ୍ରୋଭିଜନାଲ ମେରିଟ ଲିଷ୍ଟ । ୨୭ରେ ପ୍ରକାଶ ପାଇବ ଫାଇନାଲ ମେରିଟ ଲିଷ୍ଟ ।