କନକ ବ୍ୟୁରୋ: ଆମ ଶରୀରରେ କିଡନୀ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଶରୀର ଭିତରେ ତିଆରି ହେଉଥିବା ବର୍ଜ୍ୟବସ୍ତୁକୁ ନିଷ୍କାସନ କରିବାରେ କିଡନୀର ଗୋଟିଏ ବଡ ଭୂମିକା ରହିଛି । ହେଲେ ଧୀରେ ଧୀରେ ଓଡିଶାରେ କିଡନୀ ରୋଗୀଙ୍କ ସଂଖ୍ୟ।। ବଢିବାରେ ଲାଗିଛି । ଲୋକେ ସୁସ୍ଥ ହେବାକୁ ପାଣି ଭଳି ଟଂକା ଖର୍ଚ୍ଚ କରୁଛନ୍ତି । ଧାର କରଜରେ ବୁଡୁଛନ୍ତି । ଆଜି ବିଶ୍ୱ କିଡନୀ ଦିବସ । ଏହି ଅବସରରେ କିଭଳି କିଡନୀ ସୁସ୍ଥ ରଖିହେବ ସଚେତନତା କରାଯାଉଛି ।

Advertisment

ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ସ୍ୱାମୀ । ସିନ୍ଦୁରର ସୁରକ୍ଷା ପାଇଁ ଆକୁଳ ନିବେଦନ କରୁଛନ୍ତି ସ୍ତ୍ରୀ । କିଛି ବର୍ଷ ଆଗକୁ କେତେ ଖୁସି ଥିଲା । ସ୍ୱାମୀ-ସ୍ତ୍ରୀ ପୁଅକୁ ନେଇ ଖୁସିରେ ପରିବାର ଚଳୁଥିଲା । ହେଲେ ଘରର ମୁରବୀ ଯେତେବେଳେ କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇଗଲେ, ସବୁ କିଛି ଯେମିତି ଛାରଖାର ହୋଇଗଲା । ଚିକିତ୍ସା ଖର୍ଚ୍ଚ ପାଇଁ ଜମିବାଡ଼ି, ସୁନା-ରୁପା ସବୁ ଚାଲିଗଲା । ଏମିତି କି ପୁଅର ପାଠପଢ଼ା ମଧ୍ୟ ଅଧାରୁ ବନ୍ଦ ହୋଇଗଲା । କାହାଣୀ ହେଉଛି ବାଲେଶ୍ୱର ଜିଲ୍ଲା ଅସୀମିଳା ଗାଁର ଭାଗିରଥି ମିଶ୍ରଙ୍କର । ଚିକିତ୍ସା ପାଇଁ ପାଣି ଭଳି ଖର୍ଚ୍ଚ ହେଉଛି, ହେଲେ ହାତରେ ଟଙ୍କା ନାହିଁ । କିଡ୍ନୀ ପ୍ରତ୍ୟାରୋପଣ ପାଇଁ ଆବଶ୍ୟକ ୨୦ ଲକ୍ଷ ଟଙ୍କା । ଏଭଳି ସ୍ଥିତିରେ ସରକାରୀ କିମ୍ବା ବ୍ୟକ୍ତିଗତ ସହାୟତା ଉପରେ ଭରସା କରି ରହିଛି ପୁରା ପରିବାର ।

ରାଜ୍ୟରେ ବଢ଼ୁଥିବା କିଡ୍ନୀ ରୋଗୀଙ୍କ ସଂଖ୍ୟା ଚିନ୍ତା ବଢ଼ାଉଥିବା ବେଳେ ସଠିକ୍ ଚିକିତ୍ସା ତଥା କିଡ୍ନି ପ୍ରତିରୋପଣ ଜରିଆରେ ଅନେକ ରୋଗୀ ସୁସ୍ଥ ବି ହେଉଛନ୍ତି । ଏଭଳି ଜଣେ ଯୁବକ ହେଲେ ଯାଜପୁର ଜିଲ୍ଲାର ୨୪ ବର୍ଷିୟ ପର୍ଶୁରାମ ଜେନା । ପର୍ଶୁରାମଙ୍କର ୨ଟି ଯାକ କିଡ୍ନୀ ଖରାପ ହୋଇଯାଇଥିଲା । ତାଙ୍କ ମା’ କିଡ୍ନୀ ଦେବା ପରେ ଏବେ ସେ ସୁସ୍ଥ ହୋଇଛନ୍ତି । ସେହିପରି ଜଗତସିଂହପୁର ଜିଲ୍ଲାର ନୟନବାଳା ରାଉତଙ୍କ ସ୍ୱାମୀ କିଡ୍ନୀ ରୋଗରେ ଆକ୍ରନ୍ତ ହୋଇ କଟକରେ ଚିକିତ୍ସିତ ହେଉଛନ୍ତି । ୨ଟି ଯାକ କିଡନୀ ଖରାପ ହୋଇଯାଇଛି । ଏଭଳି ସ୍ଥିତିରେ ଚିକିତ୍ସା ପାଇଁ ସହାୟତା ଲୋଡ଼ିଛନ୍ତି ତାଙ୍କ ସମ୍ପର୍କୀୟ ।

ବଡ଼ କଥା ହେଉଛି କଟକ ପାଲଟିଛି କିଡ୍ନି ରୋଗର ହଟ୍ସ୍ପଟ୍ । କେବଳ କଟକ ଜିଲ୍ଲାରେ ୨ ହଜାର କିଡ୍ନି ରୋଗୀ ଚିହ୍ନଟ ହୋଇଛନ୍ତି । ଆଉ ରୋଗୀଙ୍କ ମଧ୍ୟରୁ ୨୫ % ରୋଗୀଙ୍କ ମୃତ୍ୟୁ ଘଟିଛି । ରାଜ୍ୟରେ ବଢ଼ୁଥିବ କିଡ୍ନୀ ରୋଗୀଙ୍କ ସଂଖ୍ୟକୁ ଦୃଷ୍ଟିରେ ରଖି ବିଭିନ୍ନ ହସ୍ପିଟାଲ ଗୁଡ଼ିକ ପକ୍ଷରୁ ସଚେତନା କାର୍ଯ୍ୟକ୍ରମ କରାଯାଉଛି ।