ଦେଶରେ ଗମ୍ଭୀର ହେଉଛି କରୋନା ସ୍ଥିତି । ଗତ ୨୪ ଘଂଟାରେ ୨ ଲକ୍ଷ ୫୯ ହଜାର ସଂକ୍ରମିତ । ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁ

75

କନକ ବ୍ୟୁରୋ : କରୋନା ସଂକ୍ରମଣର ବେଗ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ସୂଚନା ମୁତାବକ ଗତ ୨୪ ଘଂଟାରେ ଦେଶରେ ୨ ଲକ୍ଷ ୫୯ ହଜାର ୧୭୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୩ ଲକ୍ଷ ୨୧ ହଜାର ୦୮୯ କୁ ବୃଦ୍ଧି ପାଇଛି । ଅନ୍ୟପଟେ ଗତ ୨୪ ଘଂଟାରେ ଦେଶରେ କରୋନା ସଂକ୍ରମଣରେ ୧,୭୬୧ ଜଣଙ୍କର ମୃତ୍ୟୁ ହୋଇଛି । ଏହି ମୃତ୍ୟୁକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧,୮୦,୫୩୦ ରେ ପହଂଚିଛି । ଅନ୍ୟପଟେ ଗତ ୨୪ ଘଂଟାରେ ୧ ଲକ୍ଷ ୫୪ ହଜାର ୭୬୧ ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୧ କୋଟି ୩୧ ଲକ୍ଷ ୦୮ ହଜାର ୫୮୨ କୁ ବୃଦ୍ଧି ପାଇଛି । ଅନ୍ୟପଟେ ଏବେ ୨୦ ଲକ୍ଷ ୩୧ ହଜାର ୯୭୭ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ଏହାସହ ଗତକାଲି ପର୍ଯ୍ୟନ୍ତ ଦେଶରେ ୧୨ କୋଟି, ୭୧ ଲକ୍ଷ,୨୯ ହଜାର, ୧୧୩ ଜଣଙ୍କୁ ଟିକା ଦିଆଯାଇଥିବା ସୂଚନା ରହିଛି ।

କହିରଖୁ କି ଦେଶରେ ଏବେ କରୋନା ସଂକ୍ରମଣ ସୁନାମୀ ଭଳି ମାଡି ଚାଲିଛି । ଏହାର ପ୍ରତ୍ୟେକ୍ଷ ଓ ପରୋକ୍ଷ ପ୍ରଭାବ ଦେଶରେ ପ୍ରତିଟି ସେକ୍ଟରରେ ଅନୁଭୂତ ହେଉଛି । ମେଡିକାଲରେ ରୋଗୀଙ୍କ ଭିଡ ଓ ମଶାଣୀରେ ଶବ ଭିଡ ବୟାନ କରୁଛି କି ଦେଶରେ କରୋନା ଭୂତାଣୁ କିଭଳି ଭାବେ ବ୍ୟାପୁଛି । ଅନ୍ୟପଟେ ଦେଶରେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ଦେଶ ଠାରୁ ବିଦେଶ ପର୍ଯ୍ୟନ୍ତ ସବୁଠି ପ୍ରଶ୍ନ ଆଉ ପ୍ରଶ୍ନ । କେଉଁଠି ବେଡର ଅଭାବ ତ କେଉଁଠି ଅକ୍ସିଜେନର ଅଭାବ । କେଉଁଠି ଡାକ୍ତରର ଅଭାବ ତ କେଉଁଠି ଔଷଧର ଅଭାବ । ଏତେ ଅଭାବ ଭିତରେ ବି ଦେଶରେ ଚାଲିଛି କୁମ୍ଭମେଳା ଓ ନିର୍ବାଚନ ରାଲି ।