କନକ ବ୍ୟୁରୋ : ଦେଶ ପାଇଁ ଆସିଛି ଖୁସି ଖବର । କାରଣ ଦେଶରେ ବଢିବାରେ ଲାଗିଛି ଧନୀଙ୍କ ସଂଖ୍ୟା । ବିଶ୍ୱର ଧନୀ ବ୍ୟକ୍ତିଙ୍କୁ ନେଇ ଫୋର୍ବ୍ସର ନୂଆ ତାଲିକା ଜାରି କରାଯାଇଛି । ୨୦୨୨ରେ ଭାରତରେ ଅରବପତିଙ୍କ ସଂଖ୍ୟା ୧୬୬ ରହିଥିବାବେଳେ ୨୦୨୩ ଏପ୍ରିଲ ମାସ ସୁଦ୍ଧା ଏହା ୧୬୯ରେ ପହଁଚିଛି । କିନ୍ତୁ ବିଶ୍ୱରେ ଧନୀଙ୍କ ସଂଖ୍ୟା ହ୍ରାସ ପାଉଛି । ୨୦୨୨ ମସିହାରେ ବିଶ୍ୱରେ ଅରବପତିଙ୍କ ସଂଖ୍ୟା ୨୬୬୮ ରହିଥିଲା । ୨୦୧୩ରେ ହ୍ରାସ ପାଇ ଏହା ୨୬୬୦ରେ ପହଁଚିଛି । ବିଶ୍ୱରେ ଧନୀଙ୍କ ମୋଟ ସମ୍ପତି ମୂଲ୍ୟ ହ୍ରାସ ପାଇ ୧୨.୦୨ ଟ୍ରିଲିୟନ ଡଲାର ରହିଛି । ୨୦୨୨ ମାର୍ଚ୍ଚ ମାସରେ ୧୨.୦୭ଟିଲିୟନ ଡଲାର ଥିଲା । ଧନୀଙ୍କ ସମ୍ପତି ୫ଶହ ବିଲିୟନ ହ୍ରାସ ପାଇଛି ।

Advertisment

ବିଶ୍ୱର ଧନୀ ତାଲିକାରେ ଗତବର୍ଷ ୧୦ମ ସ୍ଥାନରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ନେଇ ଆସିଛି ଖୁସି ଖବର । ଗତବର୍ଷ ୧୦ମସ୍ଥାନରେ ଥିବା ମୁକେଶ ଏଥରକ ପାଦେ ଆଗେଇ ୯ମ ସ୍ଥାନ ନିଜ ନାଁରେ କରିଛନ୍ତି । ମୁକେଶ ଅମ୍ବାନୀ ୮୩.୦୪ ବିଲିୟନ ଆମେରକୀୟ ଡଲାର ସହ ୯ମ ସ୍ଥାନରେ ରହିଥିବାବେଳେ ଏସିଆର ନମ୍ବର ୱାନ ଧନୀ ଭାବେ ନିିଜର ସ୍ଥାନ ବଜାୟ ରଖିଛନ୍ତି । ସେହିପରି ହିଣ୍ଡେନବର୍ଗ ରିପୋର୍ଟ ପରେ ଶିଳ୍ପପତି ଗୌତମ ଆଦାନୀ ୨୪ ନମ୍ବର ସ୍ଥାନକୁ ଖସିଆସିଛନ୍ତି ।

ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତାଲିକାରେ ଏଥରକ ଏଲନ ମସ୍କଙ୍କ ପଛରେ ପକାଇଛନ୍ତି ଫ୍ରାନ୍ସର ଏଲଭିଏମଏସ କମ୍ପାନୀ ମାଲିକ ବର୍ଣ୍ଣାଡ ଅରନୋଲଟ । ଗୋଟିଏ ବର୍ଷ ଭିତରେ ମସ୍କଙ୍କ ସମ୍ପତି ୩୯ ବିଲିୟନ ଆମେରିକୀୟ ଡଲାର ହ୍ରାସ ପାଇ ଏବେ ୧୮୦ ଅରବ ଡଲାରେ ପହଁଚିଛି । ସେପଟେ ପର୍ଣ୍ଣଡଙ୍କ ସମ୍ପତି ୫୦ ଅରବ ଡଲାର ବୃଦ୍ଧି ପାଇ ୨୧୧ ଅରବ ଡଲାରରେ ପହଁଚିଛି । ଫୋର୍ବ୍ସ ଅନୁସାରେ ସେୟାରମାର୍କେଟ ହ୍ରାସ ପାଇବା ଯୋଗୁଁ ବିଶ୍ୱରେ ଧନୀଙ୍କ ତାଲିକା କମ ହୋଇଛି । ତେବେ ଧନୀ ଦେଶ ତାଲିକାରେ ଆମେରିକା ପ୍ରଥମ ସ୍ଥାନରେ, ଚୀନ ୨ୟ ସ୍ଥାନ ଓ ଭାରତ ରହିଛି ୩ୟ ସ୍ଥାନରେ ।