ଆଜି ଦୁର୍ଘଟଣା ପରେ ଦୁର୍ଘଟଣା । ଅନୁଗୁଳ ଟ୍ରାଫିକ୍ ଛକରେ ଆଶାକର୍ମୀଙ୍କ ଉପରେ ଚଢିଗଲା ହାଇୱା ଟ୍ରକ୍ । ଏପଟେ ଚଣ୍ଡିଖୋଲରେ ଘର ଉପରକୁ ମାଡିଗଲା ଗ୍ୟାସ୍ ଟ୍ୟାଙ୍କର ।

548

କନକ ବ୍ୟୁରୋ: ଶିଶୁକୁ ସୁସ୍ଥ ଜୀବନ ଦେବା ପାଇଁ ଆସି ଚାଲିଗଲା ଆଶାକର୍ମୀଙ୍କ ଜୀବନ । ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାରେ ଭ ର୍ତ୍ତି କରି ଫେରୁଥିବା ବେଳେ ହେଲା ମୃତ୍ୟୁ । ଅନୁଗୁଳ ଟ୍ରାଫିକ୍ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଆଶା କର୍ମୀ ଜଣଙ୍କ ରାସ୍ତାରେ ଯାଉଥିବା ବେଳେ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ଆଶା କର୍ମୀ ଜଣଙ୍କ ହେଉଛନ୍ତି ଆଠମଲ୍ଲିକ ମାଧପୁର କମ୍ୟୁନିଟି ହେଲ୍ଥ ସେଂଟରରେ କାମ କରୁଥିବା କୁମାରୀ ସାହୁ । ସେ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲରେ ଛାଡିବା ପରେ ସ୍କୁଟିରେ ଘରକୁ ଫେରୁଥିବା ବେଳେ ଏକ ଟ୍ରକ୍ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଆଶା କର୍ମୀଙ୍କ ମୃତ୍ୟୁ ପରେ ଉତ୍ୟକ୍ତ ଲୋକେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ବାରମ୍ବାର ସେହି ସ୍ଥାନରେ ଦୁର୍ଘଟଣା ଘଟୁଥିବାରୁ ବାଇପାସ୍ କରିବା ସହ ରାସ୍ତା ମରାମତି ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଭାରସାମ୍ୟ ହରାଇ ଘର ଉପରକୁ ମାଡ଼ିଗଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର । ଯାଜପୁର ଚଣ୍ଡିଖୋଲ ନିକଟରେ ଏହି ଦୁର୍ଘଟଣା ଘଟିଛି । ଗ୍ୟାସ୍ ବୋଝେଇ ଗାଡିଟି କଟକ ଯାଉଥିବା ବେଳେ ଚଣ୍ଡିଖୋଲ ଛକର ଜାତୀୟ ରାଜପଥ କଡରେ ଥିବା ଏକ ଘର ଉପରକୁ ମାଡ଼ ଯାଇଥିଲା । ଘରର ପାଚେରୀ ସଂପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ବିଦ୍ୟୁତ୍ ଖୁଂଟ ମଧ୍ୟ ଭାଙ୍ଗିଯାଇଛି । ଡ୍ରାଇଭର ଗୁରୁତର ହୋଇଥିବା ବେଳେ ତାଙ୍କୁ ପ୍ରଥମେ ବଡ଼ଚଣା ପରେ କଟକ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଚଣ୍ଡିଖୋଲ ଫାଣ୍ଡି ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।