ବିଶ୍ୱକପ ପାଇଁ ଆଜି ଘୋଷଣା ହେବ ଟିମ ଇଣ୍ଡିଆ ଦଳ : ୪ ନମ୍ବର ସ୍ଥାନକୁ ନେଇ ଦ୍ୱନ୍ଦ୍ୱ । ମେ ୩୦ରୁ ଆରମ୍ଭ ହେବ କ୍ରିକେଟ ମହାକୁମ୍ଭ

ଜୁନ୍ ୫ରୁ ଭାରତର ଅଭିଯାନ

287

କନକ ବ୍ୟୁରୋ : ଆଜି ଘୋଷଣା ହେବ କ୍ରିକେଟ ବିଶ୍ୱକପ୍ ପାଇଁ ଭାରତୀୟ ଦଳ । ଚଳିତ ବର୍ଷ ଇଂଲଣ୍ଡରେ ଆୟୋଜିତ ହେବାକୁ ଥିବା କ୍ରିକେଟ ବିଶ୍ୱକପ୍ ପାଇଁ ଆଜି ଘୋଷଣା ହେବ ଭାରତୀୟ ଦଳ । ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଶୃଙ୍ଖଳା ପରେ ଅଧିନାୟକ ବିରାଟ କୋହଲି ବିଶ୍ୱକପ୍ ପାଇଁ ୧୪ ଜଣ ଖେଳାଳୀଙ୍କ ନାମ ଆପାତତଃ ଚୂଡାନ୍ତ ହୋଇସାରିଥିବା ଆଭାସ ଦେଇଥିଲେ । ସେମାନଙ୍କ ମଧ୍ୟରେ ରୋହିତ ଶର୍ମା, ଶିଖର ଧୱନ, ଲୋକେଶ ରାହୁଲ, ବିରାଟ କୋହଲି, ମହେନ୍ଦ୍ର ସିଂ ଧୋନି, କେଦାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ବିଜୟ ଶଙ୍କର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରା, ମହମ୍ମଦ ସାମି ଓ ରବିନ୍ଦ୍ର ଜାଡେଜାଙ୍କ ନାମ ସାମ୍ଭବ୍ୟ ତାଲିକାରେ ରହିଛି । ଫଳରେ ଘୋଷିତ ହେବାକୁ ଥିବା ୧୫ ଜଣିଆ ଦଳର କେବଳ ୪ନଂ କ୍ରମର ବ୍ୟାଟ୍ସସମ୍ୟାନ ସ୍ଥାନ ପାଇଁ ଚିନ୍ତା ରହିଥିବା କୋହଲିଙ୍କ ଆଭାସରୁ ସ୍ପଷ୍ଟ ହୋଇଛି । ଏହି ବ୍ୟାଟିଂ ପାଇଁ କିଏ ଉପଯୁକ୍ତ ସେନେଇ ଚୟନକର୍ତ୍ତା ବି ଦ୍ୱନ୍ଦରେ ରହିଛନ୍ତି ।

ଆଜି ଚୟନକମିଟି ବୈଠକରେ ୪ନଂ ସ୍ଥାନ ପାଇଁ ବିଶେଷ ଭାବେ ଆଲୋଚନ କରାଯିବ । ଏହି କ୍ରମ ପାଇଁ ଏକାଧିକ ଖେଳାଳୀ ଦାବିଦାର ରହିଛନ୍ତି । ସେମାନଙ୍କ ମଧ୍ୟରେ ଅମ୍ବାତି ରାୟୁଡୁ, ବିଜୟ ଶଙ୍କର, ଦୀନେଶ କାର୍ତ୍ତିକ, ଋଷଭ ପନ୍ତଙ୍କ ନାମ ଚର୍ଚ୍ଚାରେ ରହିଛି । ତେବେ ଏମାନଙ୍କ ମଧ୍ୟରେ କାହାକୁ ବିଶ୍ୱକପ୍ ପାଇଁ ଟିକେଟ ମିଳିବ ତାହା ଆଜି ସ୍ପଷ୍ଟ ହେବ । ଅପରାହ୍ନ ୩ଟାରେ ବିସିସିଆଇ ସାମ୍ବାଦିକ ସମ୍ବଳନୀ ଡାକି ଦଳ ଘୋଷଣା କରିବ ।