କନକ ବ୍ୟୁରୋ : ଜେଲରେ ବନ୍ଦ ଥିବା ନୁହ ହିଂସାର ଅଭିଯୁକ୍ତ ବିଟ୍ଟୁ ବଜରଙ୍ଗୀ ତଥା ରାଜକୁମାରଙ୍କୁ ଜାମିନ ମିଳିଛି । ତାଙ୍କୁ ଅଗଷ୍ଟ ୧୫ ତାରିଖରେ ସନ୍ଧ୍ୟାବେଳେ ଫରିଦାବାଦରୁ ଗିରଫ କରାଯାଇଥିଲା । ବିଟ୍ଟୁ ବଜରଙ୍ଗୀ ଉପରେ ଅଭିଯୋଗ ରହିଛି କି ନୁହରେ ବ୍ରଜମଣ୍ଡଳ ଯାତ୍ରା କ୍ରମରେ ହିଂସାକୁ ଉସକାଇବାକୁ ସେ ସୋସିଆଲ ମିଡିଆରେ ଅନେକ ଆପତ୍ତିଜନକ ପୋଷ୍ଟ କରିଥିଲେ ।

Advertisment

ଏହାସହ ଯାତ୍ରା କ୍ରମରେ ହିଂସାଉଦ୍ରେକକାରୀ ଭାଷଣ ଦେଇଥିବା ଅଭିଯୋଗରେ ବିଟ୍ଟୁ ବଜରଙ୍ଗୀକୁ ଫରିଦାବାଦ ସ୍ଥିତ ତାଙ୍କ ବାସଭବନରୁ ପୋଲିସ ଗିରଫ କରାଯାଇଥିଲା । ଏହାପରେ ନୁହ ଜିଲ୍ଲା କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା । ୧୪ ଦିନିଆ ନ୍ୟାୟୀକ ହେପାଜତ ପରେ ଆଜି ତାଙ୍କୁ ପୁଣି କୋର୍ଟରେ ହାଜର କରାଯାଇଥିଲା । ଏହାପରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ନୁହ ହିଂସା ମାମଧ୍ୟରେ ଏପର୍ଯ୍ୟନ୍ତ ୬୦ଟି ଅଭିଯୋଗ ଦାଖଲ କରାଯାଇଛି । ଯାହା ମଧ୍ୟରୁ ୪୯ଟି ଦଙ୍ଗା ଅଧାରରେ ଓ ୧୧ଟି ସାଇବର କ୍ରାଇମ ଆଧାରରେ । ଏହା ବ୍ୟତୀତ ନୁହ ହିଂସା ମାମଲାରେ ୩୦୬ଜଣ ଲୋକଙ୍କୁ ଗିରଫ କରାଯାଇଛି ।

ସେପଟେ ବିଟ୍ଟୁ ବଜରଙ୍ଗୀ ବିଶ୍ୱହିନ୍ଦୁ ପରିଷଦର ଜଣେ ଜଣାଶୁଣା ନେତା । ହେଲେ ତାଙ୍କ ଗିରଫ ପରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବିଟ୍ଟୁ ବଜରଙ୍ଗୀ ତାଙ୍କ ସଂଗଠନର ସଦସ୍ୟ ନୁହେଁ ବୋଲି ସ୍ପଷ୍ଟ କରିଥିଲା । ବିଶ୍ୱ ହିନ୍ଦୁ ପରିଷଦ କହିଥିଲା କି ବଜରଙ୍ଗ ଦଳ ସହ ବିଟ୍ଟୁ ବଜରଙ୍ଗୀର କୌଣସି ସଂପର୍କ ନାହିଁ । ଏହାସହ ବିଟ୍ଟୁ ବଜରଙ୍ଗୀ ଯେଉଁ ଭିଡିଓ ସବୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ତାହା ଭୁଲ ବୋଲି ବିଶ୍ୱ ହିନ୍ଦୁ ପରିଷଦ ନିଜର ମତ ରଖିଥିଲା    ।

ସୂଚନା ଥାଉକି ହରିଆଣାର ନୁହ ଠାରେ ହିନ୍ଦୁ ସଂଗଠନ ପ୍ରତିବର୍ଷ ଭଳି ଚଳିତ ବର୍ଷ ଜୁଲାଇ ୩୧ ତାରିଖରେ ବ୍ରଜମଣ୍ଡଳ ଶୋଭାଯାତ୍ରା କରିବାକୁ ଘୋଷଣା କରିଥିଲା । ଏନେଇ ପ୍ରଶାସନ ନିକଟରୁ ମଧ୍ୟ ଅନୁମତି ମିଳିଥିଲା । ହେଲେ ଏହି ଶୋଭାଯାତ୍ରା ବେଳେ କିଛି ଅସାମାଜିକ ବ୍ୟକ୍ତି ଶୋଭାଯାତ୍ରା ଉପରକୁ ପଥର ମାଡ କରିଥିଲେ । ଫଳରେ ହିଂସା ଆରମ୍ଭ ହୋଇଯାଇଥିଲା । ହିଂସା ଏତେ ଭୟଙ୍କର ଥିଲା କି ଶହ ଶହ ଉପଦ୍ରବକାରୀମାନେ ଶହ ଶହ ଗାଡିରେ ନିଆଁ ଲଗାଇ ପୋଡି ଦେଇଥିଲେ । ନିକଟରେ ଥିବା ଏକ ସାଇବର ଥାନା ଉପରେ ଆକ୍ରମଣ ହୋଇଥିଲା ଦୁବୃର୍ତ୍ତମାନେ ଗୁଳି ମଧ୍ୟ ଚଳାଇଥିଲେ । ଏଥିରେ କିଛି ଲୋକଙ୍କର ମୃତ୍ୟୁ ହୋଇଥିଲା ।