କନକ ବ୍ୟୁରୋ: ଦଣ୍ଡଧର ବାରିକ, ବୟସ ୫୦ । ନିଜ ସ୍ତ୍ରୀ ପିଲା ଛୁଆଙ୍କ ସହ ଭୁବନେଶ୍ୱର ନୟାପଲ୍ଲି ଅଂଚଳରେ ରୁହନ୍ତି । ପରିବାର ଚଳାଇବା ପାଇଁ ଏକ ପାର୍ଲର ମଧ୍ୟ ଖୋଲିଛନ୍ତି । କିଛିଦିନ ପୁର୍ବରୁ ଦଣ୍ଡଧରଙ୍କ ଫେସବୁକ ଆକାଉଂଟକୁ ଜଣେ ସୁନ୍ଦରି ଯୁବତୀଙ୍କ ଫ୍ରେଣ୍ଡ ରିକ୍ୟୁଏଷ୍ଟ ଆସିଲା । ସେ ଏହି ଫ୍ରେଣ୍ଡ ରିକ୍ୟୁଏଷ୍ଟକୁ ଆକସେପ୍ଟ କଲେ । ତା ପରେ ଆରମ୍ଭ ହେଲା କଥାବାର୍ତା । କଥାବାର୍ତା ଛଳରେ ଯୁବତୀ ଜଣକ ଦଣ୍ଡଧରଙ୍କ ହ୍ୱାଟ୍ସଆପ୍ ନମ୍ବର ମଧ୍ୟ ନେଇଗଲେ । ତା ପରେ ଉଭୟଙ୍କ ମଧ୍ୟରେ ହ୍ୱାଟ୍ସଆପ୍ରେ କଥାବାର୍ତା ବଢିଲା । ହଠାତ ଯୁବତୀ ଜଣକ ଦଣ୍ଡଧରଙ୍କୁ ଭିଡିଓ କଲ୍ କଲେ । ଆରପଟେ ଥିବା ଯୁବତୀ ଜଣଙ୍କ ଦେହରେ କୌଣସି ବସ୍ତ୍ର ନଥିଲା । ଏହି ଦୃଶ୍ୟ ଦେଖି ଦଣ୍ଡଧର କିଛି ଭାବିବା ପୁର୍ବରୁ ଯୁବତୀ ଜଣଙ୍କ ସ୍କ୍ରିନ୍ ରେକର୍ଡ କରି ଦେଇଥିଲେ । ତାପରେ ଆରମ୍ଭ କରିଥିଲେ ବ୍ଲାକମେଲ୍ । ଟଙ୍କା ଦିଅ ନହେଲେ ଏହି ନ୍ୟୁଡ କଲ୍ ଫୋଟୋ ଓ ଭିଡିଓ ଭାଇରାଲ କରାହେବ । ଏହା ପରେ ମାନସିକ ଦୁଶ୍ଚିନ୍ତାକୁ ଚାଲିଯାଇଥିଲେ ଦଣ୍ଡଧର । ଇଜ୍ଜତ ଯିବା ଭୟରେ ନିଜ ପାର୍ଲରରେ ନିଜ କଇଁଚିରେ ନିଜ ପେଟକୁ ବାରମ୍ବାର ଭୁଷି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଲୋକଙ୍କୁ ଠକିବା ପାଇଁ ସାଇବର ଠକ ମାନେ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ଲୋକଙ୍କୁ ଠକିବାର ସହଜ ମାଧ୍ୟମ ପାଲଟିଛି ନ୍ୟୁଡ କଲ ।

Advertisment

ନ୍ୟୁଡ୍ କଲରେ କେମିତି ଠକୁଛନ୍ତି..
ଫେସବୁକ ପ୍ରୋଫାଇଲରେ ସୁନ୍ଦରୀ ଯୁବତୀଙ୍କ ଫୋଟୋ ଦେଇ ପ୍ରଥମେ ଫ୍ରେଣ୍ଡ ରିକୁଏଷ୍ଟ ପଠାଇବେ
ରିକ୍ୟୁଏଷ୍ଟ ଆକସେପ୍ଟ କରିବା ପରେ କଥାବାର୍ତା କରି ସମ୍ପର୍କ ବଢାଇବେ
ଧିରେ ଧିରେ ଅଶ୍ଳିଳ କଥାବାର୍ତା ଆରମ୍ଭ କରିବେ
ଭିଡିଓ କଲ୍ କରିବା ପାଇଁ ବାଧ୍ୟ କରିବେ
ଭିଡିଓ କଲ ରିସିଭ କଲେ ସେପଟୁ ଯୁବତୀଙ୍କ ଉଲଗ୍ନ ଭିଡିଓ କିମ୍ବା ଫୋଟୋ ଆସିବ
ଉକ୍ତ ଭିଡିଓ କଲ୍ର ସ୍କ୍ରିନ ରେକର୍ଡ କରି ବ୍ଲାକମେଲ କରିବେ

ବାରମ୍ବାର ଏହି ଠକାମୀ ବିଷୟରେ ଲୋକଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ଲୋକମାନେ ସୁଧୁରିବାର ନା ନେଉ ନାହାନ୍ତି । ସ୍ଥିତି ଏଭଳି ହେଉଛି ଯେ ଲୋକ ଲଜ୍ୟା ଭୟରେ ଠକାମିର ଶିକାର ହେଉଥିବା ଲୋକ ଆତ୍ମହତ୍ୟା କରିବା ପାଇଁ ଚରମ ନିଷ୍ପତି ନେଉଛନ୍ତି । ଦଣ୍ଡଧର ବାରିକ ଏହି ଠକାମିର ଶିକାର ହେବା ପରେ ପେଟରେ କଇଁଚି ଭୁଷି ଏକ ଘରୋଇ ମେଡିକାଲରେ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।