ସାବଧାନ ଫେସବୁକ ବ୍ୟବହାରକାରୀ ! ଆକାଉଣ୍ଟ ଖାଲି କରି ଦେଉଛି ନ୍ୟୁଡ କଲ୍ । ଏବେ ଅନଲାଇନ ଠକେଇର ନୂଆ ତରିକା ଆପଣେଇଛନ୍ତି ସାଇବର ଠକ ।

1,005

କନକ ବ୍ୟୁରୋ : ଫେସବୁକରେ ଆପଣଙ୍କୁ ଆସୁଛି କି ଅଜଣା ଲୋକଙ୍କ ଫ୍ରେଣ୍ଡ ରିକ୍ୱେଷ୍ଟ । ତେବେ ତାକୁ ଆକ୍ସେପ୍ଟ କରିବା ଆଗରୁ ଅନେକ ଥର ଭାବି ନିଅନ୍ତୁ । କାରଣ ଏହି ଅଜଣା ଲୋକମାନେ ହିଁ ଆପଣଙ୍କୁ ବିଭିନ୍ନ ମାଧ୍ୟମରେ ଠକି ପାରନ୍ତି । ଆପଣଙ୍କ ଏହି ଅଜଣା ବନ୍ଧୁଙ୍କ ଯୋଗୁଁ ଆପଣ ବିପଦରେ ପଡିପାରନ୍ତି । ବିଭିନ୍ନ ପ୍ରକାର ପ୍ରଲୋଭନ ଓ ବ୍ଲାକମେଲିଂ କରି ସେମାନେ ଆପଣଙ୍କଠାରୁ ଲୁଟି ପାରନ୍ତି ଅନେକ ଟଙ୍କା ।

ଆଜିକାଲି ଫେସବୁକରେ ଅନେକ ଅଜଣା ଲୋକଙ୍କ ଫ୍ରେଣ୍ଡ ରିକ୍ୱେଷ୍ଟ ଆସିଥାଏ । ଯାହାକୁ ଆମେ ନଜଣା ନଚିହ୍ନି ମଧ୍ୟ ଆକ୍ସେପ୍ଟ କରିଥାଉ । ଆଉ ଏହାରି ମାଧ୍ୟମରେ ବନ୍ଧୁତା ବଢିଥାଏ । ଯାହାକି ଆମକୁ ପରେ ବିପଦରେ ପକାଇଥାଏ । ଏଭଳି ଲୁଟେରାଙ୍କଠାରୁ ବଞ୍ଚିବାକୁ ପୋଲିସ ତରଫରୁ ସଚେତନ ମଧ୍ୟ କରାଯାଉଛି ।

କେମିତି ଲୁଟନ୍ତି ଏହି ସାଇବର ଠକ? ଏନେଇ ଏକ ସତର୍କମୂଳକ ବିଜ୍ଞପ୍ତି ଜାରି କରିଛି କମିଶନରେଟ ପୋଲିସ ।

-ପ୍ରଥମେ ସାଇବର ଠକ ଯେଉଁମାନଙ୍କ ଫେସବୁକ ଆକଉଣ୍ଟ ଅଛି ସେମାନଙ୍କ ପ୍ରୋଫାଇଲକୁ ଯାଇ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାନ୍ତି ।
-ଏହାପରେ ମେସେନଞ୍ଜର ମାଧ୍ୟମରେ ମେସେଜ ପଠାଇ ବନ୍ଧୁତା ବଢାଇଥାନ୍ତି ।
-ପରେ ହ୍ୱାଟସାପ ନମ୍ବର ନେଇ ଅଡିଓ ଓ ଭିଡିଓ କଲ କରିବାକୁ ଅନୁରୋଧ କରନ୍ତି ।
-କିଛିଦିନ ପରେ ଉଭୟଙ୍କମଧ୍ୟରେ ଅଶ୍ଲୀଳ ଚାଟ ଓ ଭିଡିଓ କଲ ହୋଇଥାଏ । ଯାହାକୁ ସାଇବର ଠକ ସ୍କିନ ସଟ ନେଇ ରଖି ଦିଅନ୍ତି ।
-ଏହାପରେ ଏହି ଭିଡିଓ ମାଧ୍ୟମରେ ସାଇବର ଠକ ବ୍ଲାକମେଲିଂ କରିଥାଏ । ଆଉ ଗୁଗୁଲ ପେ, ଫୋନ ପେ’ରେ ଟଙ୍କା ପଠାଇବାକୁ ଦାବି କରିଥାଏ ।

ଏହି ସାଇବର ଠକ ଅନ୍ୟ ଏକ ଉପାୟରେ ମଧ୍ୟ ଲୋକଙ୍କୁ ଠକିଥାନ୍ତି । ପ୍ରଥମେ ସେମାନେ କଥା ହେବା ସହ ଆପଣଙ୍କୁ ବିଭିନ୍ନ ଦାମୀ ଗିଫ୍ଟ ପଠାଇବାକୁ କହି ପ୍ରଲୋଭନ ଦେଖାନ୍ତି । ଯାହା ମାଧ୍ୟମରେ ଆପଣ ଠକାମୀର ଶିକାର ହୋଇଥାନ୍ତି । ଶୁଣନ୍ତୁ ଏନେଇ କଣ କହୁଛନ୍ତି ସାଇବର ଏକ୍ସପର୍ଟ ।

ଏଭଳି ଅନେକ ଅଭିଯୋଗ ଗତକିଛି ଦିନ ହେବ ଥାନାରେ ରିପୋର୍ଟ ହୋଇଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ସଚେତନ କରାଯାଉଛି ଅଜଣା ଫ୍ରେଣ୍ଡ ରିକ୍ୱେଷ୍ଟ ଆସିଲେ ତାକୁ ଭଲ ଭାବେରେ ଯାଞ୍ଚ କରନ୍ତୁ । ଆଉ ସନ୍ଦେହ ହେଲେ ସେମାନଙ୍କଠାରୁ ଦୂରେଇ ରୁହନ୍ତୁ । ଏହାସହ ଅଶ୍ଲୀଳ ଚାଟ୍୍ ଓ ଭିଡିଓ କଲିଂ ଠାରୁ ମଧ୍ୟ ଦୂରେଇ ରୁହନ୍ତୁ ।