କନକ ବ୍ୟୁରୋ : କିଛି ଦିନର ଅନ୍ତର ପରେ ପୁଣି ପରମାଣୁ ହତିଆର ସଂଖ୍ୟା ବଢାଇଛି ଚୀନ । ଷ୍ଟକହୋମ୍ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ରିପୋର୍ଟ ମୁତାବକ, ଚୀନ୍ ଗତ ବର୍ଷକ ମଧ୍ୟରେ ୬୦ଟି ପରମାଣୁ ଅସ୍ତ୍ର ତିଆରି କରିଛି । ଏହି କ୍ଷେତ୍ରରେ ଚୀନ୍ ଅବଶ୍ୟ ଋଷ , ଭାରତ, ଓ ପାକିସ୍ତାନ ଠାରୁ ଢେର ଆଗରେ ରହିଛି ।

Advertisment

ଥିଙ୍କ୍ ଟ୍ୟାଙ୍କ୍ ରିପୋର୍ଟ ମୁତାବକ, ସାରା ଦୁନିଆଁରେ ୧୨ ହଜାର ୫୧୨ ପରମାଣୁ ହତିଆର ରହିଛି । ରିପୋର୍ଟ ମୁତାବକ, ଦୁନିଆରେ ପୁଣିଥରେ ପରମାଣୁ ହତିଆର ବୃଦ୍ଧି କରିବାର ଟ୍ରେଣ୍ଡ ବଢିଲାଣି । ତେଣୁ ବର୍ତ୍ତମାନର ସ୍ଥିତି ମାନବଜାତି ପାଇଁ ସବୁଠୁ ବିପଦପୂର୍ଣ୍ଣ ମୋଡରେ ଛିଡା ହୋଇଥିବା କୁହାଯାଉଛି ।

ଗତ ବର୍ଷକରେ ପରମାଣୁ ହତିଆର ବଢାଇବାରେ ଚୀନ ସବୁଠୁ ଆଗରେ ରହିଛି । ଚୀନ୍ ବ୍ୟତୀତ ଭାରତ, ପାକିସ୍ତାନ ଓ ଉତ୍ତର କୋରିଆ ମଧ୍ୟ ନିଜ ନିଜ ପରମାଣୁ ଅସ୍ତ୍ର ସଂଖ୍ୟା ବଢାଇଛନ୍ତି । ଚୀନ୍ ବର୍ଷକରେ ୬୦ଟି ପରମାଣୁ ଅସ୍ତ୍ର ତିଆରି କରିଥିବାବେଳେ ଋଷ ୧୨ଟି, ପାକିସ୍ତାନ ୫ଟି, ଉତ୍ତର କୋରିଆ ୫ଟି ଏବଂ ଭାରତ ୪ଟି ହତିଆର ବଢାଇଛି ।

ତଥ୍ୟ ମୁତାବକ, ଋଷ ଓ ଆମରେିକା ପାଖରେ ସମୁଦାୟ ପରମାଣୁ ଅସ୍ତ୍ରର ୯୦ ଭାଗ ଅସ୍ତ୍ର ରହିଛି । ଋଷ ପାଖରେ ୪୪୮୯ ଟି ପରମାଣୁ ହତିଆର ଥିବାବେଳେ , ଆମେରିକା ପାଖରେ ୩୭୦୮ଟି ପରମଣୁ ହତିଆର ରହିଛି । ସେହିଭଳି ଚୀନ୍ ପାଖରେ ୪୧୦ଟି ପରମାଣୁ ଅସ୍ତ୍ର ଥିବାବେଳେ ଫ୍ରାନ୍ସ ପାଖରେ ୨୯୦. ବ୍ରିଟେନ୍ ପାଖରେ ୨୨୫ଟି ପରମାଣୁ ଅସ୍ତ୍ର ରହିଛି । ସେହିଭଳି ଭାରତ ପାଖରେ ୧୬୪ଟି ଆଣବିକ ଅସ୍ତ୍ର ଥିବାବେଳେ ପାକିସ୍ତାନ ପାଖରେ ରହିଛି ୧୭୦ଟି ।