କନକ ବ୍ୟୁରୋ : ପଶ୍ଚିମ ଓଡ଼ିଶାର ଗ୍ରାମାଞ୍ଚଳରେ ଶିକ୍ଷା ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ପାଇଁ ମହାମାୟା ଗ୍ରୁପର ସମ୍ପାଦକ ଟଙ୍କଧର ସାହୁଙ୍କୁ ଥୁଓପୀନ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି । ନୂଆଦିଲ୍ଲୀସ୍ଥିତ ଇଣ୍ଡିଆନ୍ ହାବିଟାଟ୍ ସେଣ୍ଟରଠାରେ ଆୟୋଜିତ ବିଶ୍ଵ ଗବେଷକ ସମ୍ମିଳନୀରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ଏହି ସମ୍ମାନ ସୂଚକ ଉପାଧିରେ ଭୂଷିତ କରାଯାଇଛି । ଉକ୍ତ ଉତ୍ସବରେ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସମେତ ଦେଶ ତଥା ଦେଶ ବାହାରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ପ୍ରମୁଖ ଉପସ୍ଥିତ ଥିଲେ ।

Advertisment

ବରଗଡ଼ ଜିଲ୍ଲା ମାଣ୍ଡୋସିଲ ଗ୍ରାମର ଟଙ୍କଧର ସାହୁଙ୍କର ପ୍ରାରମ୍ଭିକ ପର୍ଯ୍ୟାୟରେ ଶିକ୍ଷାକ୍ଷେତ୍ରରେ ରୁଚି ରହିଥିଲା । ଶିକ୍ଷାକ୍ଷେତ୍ରରେ ତାଙ୍କର କଠିନ ପରିଶ୍ରମ, ବୃତ୍ତିଗତ ନିଷ୍ଠା ଓ ଦୂରଦୃଷ୍ଟି ବଳରେ ସେ ପଶ୍ଚିମ ଓଡ଼ିଶାର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ୨୦୦୫ରୁ ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚତ୍ତର ଶିକ୍ଷା ବିସ୍ତାର କ୍ଷେତ୍ରରେ ପ୍ରୟାସ ଜାରି ରଖିଛନ୍ତି । ଫଳସ୍ବରୂପ ମହାମାୟା ଗ୍ରୁପ୍ ଆଜି ପଶ୍ଚିମ ଓଡ଼ିଶାରେ ଏକ ପ୍ରମୁଖ ସ୍ବୟଂଶାସିତ ଶିକ୍ଷାନୁଷ୍ଠାନର ମର୍ଯ୍ୟାଦା ହାସଲ କରିପାରିଛି । ରାଜ୍ୟ ତଥା ଜାତୀୟସ୍ତରରେ ବହୁ ସମ୍ମାନ ଓ ପୁରସ୍କାର ପାଇଥିବା ଏଭଳି ଜଣେ ବହୁମୁଖୀ ବ୍ୟକ୍ତିତ୍ବଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ମିଳିଥିବାରୁ ବିଭିନ୍ନ ମହିଳରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।