କନକ ବ୍ୟୁରୋ: ଦିନଥିଲା ଦେଶ ମାତୃକାର ସୁରକ୍ଷା ପାଇଁ ବାହାରି ପଡ଼ିଥିଲେ । ସଶସ୍ତ୍ର ସେନାବାହିନୀରେ ଯୋଗଦେଇଥିଲେ । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ସୀମା ସୁରକ୍ଷା ବଳରେ କାମ କରିଛନ୍ତି ସେ । ଏଣେ ପରିବାରର ସୁରକ୍ଷା ବିପନ୍ନ ହେବାରୁ ଘରକୁ ଚାଲି ଆସିଥିଲେ । ଦୁର୍ଭାଗ୍ୟକୁ ଚିକିତ୍ସା ସତ୍ୱେ ପତ୍ନୀ ଆରପାରିକୁ ଚାଲିଗଲେ । ଏପଟେ ଆଣିଥିବା ଛୁଟି ଅବଧି ବି ଶେଷ ହୋଇଥିଲା । ଛୋଟ ଛୋଟ ଛୁଆମାନଙ୍କୁ କାହା ହେପାଜତରେ ଛାଡ଼ିବେ ଏସବୁ ଭାବି ଆଉ କର୍ମ କ୍ଷେତ୍ରରେ ଯୋଗ ଦେଇ ପାରିନଥିଲେ । ହେଲେ କିଛି ଦିନ ପରେ ନୂଆପଡ଼ା ସଦର ବ୍ଲକ ପରଖୋଲ ଗାଁର ଯବାନ ଚନ୍ଦୁରାମ ମାଝି କର୍ମକ୍ଷେତ୍ରରେ ଯୋଗ ଦେଇଥିଲେ ।
ଅନିଚ୍ଛା ସତ୍ୱେ କର୍ମକ୍ଷେତ୍ରକୁ ଫେରି ବର୍ଷକାଳ କାମ କରି ଚାକିରିରୁ ଅବସର ନେଇଥିଲେ । ହେଲେ ତାଙ୍କୁ ନା ମିଳିଥିଲା ଦରମା କିମ୍ବା ଅବସରକାଳୀନ ସରକାରୀ ଅର୍ଥ । ଆଉ ଏବେ ହାତରେ ବନ୍ଧୁକ ପରିବର୍ତେ କୋଦାଳ, ଟାଙ୍ଗିଆ ଧରି ଦିନ ମଜୁରିଆ କାମ କରୁଛନ୍ତି ଯବାନ ଚନ୍ଦୁରାମ । ୧୯୮୮ ମସିହା ଅଗଷ୍ଟ ୧୧ରେ ଚନ୍ଦୁରାମ ଭାରତୀୟ ସେନାବାହିନୀରେ ଯୋଗ ଦେଇଥିଲେ । କାର୍ଯ୍ୟରେ ଯୋଗ ଦେବାର କିଛି ବର୍ଷ ପରେ ହାବିଲଦାର ଭାବେ ପଦୋନ୍ନତି ହୋଇଥିଲା । ୨୪ ବର୍ଷ ଧରି ହାତରେ ବନ୍ଧୁକ ଧରି ଦେଶକୁ ସୁରକ୍ଷା ଦେଇଥିଲେ । ହେଲେ ୨୦୧୨ ପରଠାରୁ ପତ୍ନୀଙ୍କ ବିୟୋଗ ପରେ ୪ ଝିଅଙ୍କୁ ଦେଖାଶୁଣା କରିବାକୁ ସେନାବାହିନୀରୁ ଅବସର ନେଇଥିଲେ । ହେଲେ ଚନ୍ଦୁରାମଙ୍କୁ ପେନସନ ମିଳୁନଥିବା ବେଳେ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ଦୁଃଖ କଷ୍ଟେ ପରିବାର ପତିପୋଷଣ କରୁଛନ୍ତି ଚନ୍ଦୁରାମ ।