ନୂଆପଡାର ଧାନ ବିଲରେ ରୋଗପୋକ ଆତଙ୍କ । ମାଟିଆଗୁଣ୍ଡି ପୋକ ଯୋଗୁଁ ହଳଦିଆ ପଡି ଯାଉଛି ଧାନ ଗଛ : କୋକସରାରେ ବି ସମାନ ସ୍ଥିତି

108

କନକ ବ୍ୟୁରୋ : ଚାଷୀଙ୍କ ଧାନ ଗଛରେ ରୋଗ । ହଳଦିଆ ପଡି ଯାଉଛି ଧାନ ଗଛ, ଋଣଭାର ସୁଝିବା ପାଇଁ ଚିନ୍ତାରେ ଚାଷୀ । ନୂଆପଡା ଜିଲ୍ଲାରେ ଚାଷୀଙ୍କୁ ଘାରିଛି ଧାନ ଗଛର ରୋଗ ନିରାକରଣ ଚିନ୍ତା । ଚାଷୀ ଧାର କରଜ କରି ଚାଷକୁ ଆଗେଇ ନେଉଥିବା ବେଳେ ଚାଷୀଙ୍କ ପାଇଁ କାଳ ସାଜିଛି ରୋଗପୋକ ।

ଜିଲ୍ଲାର ଅଧିକାଂଶ ଅଂଚଳରେ ରୋଗ ପୋକର ପାର୍ଦୁଭାବ ଦେଖିବାକୁ ମିଳିଛି । ଧାନ ଗଛ ହଳଦିଆ ପଡିଯିବା ସହ ପୁରା ପାଳ ହୋଇଯାଉଛି । ଧାନ ଗଛର ପତ୍ର କାହିଁକି ହଳଦିଆ ପଡୁଛି ତାର କାରଣ ଜଣା ପଡୁନଥିବା ବେଳେ ବଜାରରୁ ଚଢା ଦରରେ ଔଷଧ କଣି ପ୍ରୟୋଗ କଲେ ବି ରୋଗପୋକ ନିୟନ୍ତ୍ରଣ ହେଉ ନାହିଁ ।

ନୂଆପଡା ଭଳି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ମଧ୍ୟ ଚାଷୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି ରୋଗପୋକ । ବ୍ଲକର ୨୨ଟି ପଂଚାୟତରୁ ଅଧିକାଂଶ ଚାଷ ଜମି ଅଣଜଳସେଚିତ । କିଛି ପଂଚାୟତର ଚାଷ ଜମିରେ ଇନ୍ଦ୍ରାବତୀ କେନାଲ ପାଣି ମାଡୁଛି । ତେଣୁ ବର୍ଷା ଭରସାରେ ଚାଷୀ ଚାଷ କରିଥିବା ବେଳେ ଏବେ ଧାନ ଗଛରେ ଲାଗିଛି ମାଟିଆ ଗୁଣ୍ଡ ପୋକ । ହେକ୍ଟର ହେକ୍ଟର ଜମିରେ କେଣ୍ଡାରୁ ଧାନ ଚରି ଯାଉଛନ୍ତି ପୋକ ।
କୃଷି ବିଭାଗର ଆକଳନ ଅନୁସାରେ, କୋକସରା ବ୍ଲକର ୨୩୬ ହେକ୍ଟର ଧାନ ଚାଷରେ ମାଟିଆଗୁଣ୍ଡି ପୋକ ଲାଗିଛି । ୮୭୭ ହେକ୍ଟର ଜମିରେ ଧାନ ଗଛକୁ ପତ୍ରପୋଡା ରୋଗ ହୋଇଛି । ୫୫୨ ହେକ୍ଟର ଜମିର ଧାନ ଗଛକୁ ନଷ୍ଟ କରୁଛି ଗଣ୍ଠିପୋକ । ସେହିଭଳି ୪୮୪ ହେକ୍ଟର ଜମିରେ ବ୍ୟାକ୍ଟେରିଆ ଯୋଗୁଁ ପତ୍ରପୋଡି ଯାଉଥିବା ବେଳେ ୪୦ ହେକ୍ଟର ଚାଷ ଜମିରେ ମହିଷା ପୋକ ଲାଗିଛି ।