କନକ ବ୍ୟୁରୋ : ଆଜି ଗଣପର୍ବ ନୂଆଖାଇ । ନୂଆଖାଇ ଏକ କୃଷି ଭିତିକ ପର୍ବ । ମାଆ ମାଟିକୁ କୃତଜ୍ଞତା ଜଣାଇବାର ପର୍ବ । ପ୍ରଥମ ଅମଳ ଧାନକୁ ଇଷ୍ଟଦେବୀଙ୍କୁ ଭୋଗ ଲଗାଇ ନିଜେ ସେବନ କରନ୍ତି ସମସ୍ତେ । ପରମ୍ପରା ଅନୁସାରେ ନୂଆଖାଇରେ ପ୍ରଥମେ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହୋଇଛି । ସମଲେଶ୍ୱରୀ ମନ୍ଦିରରେ ଦିନ ୧୨ଟା ୩୦ରୁ ୫ଟା ୩୦ ମଧ୍ୟରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଅନୁମତି ମିଳିଛି । ନୂଆଖାଇ ସାରିବା ପରେ ପଶ୍ଚିମ ଓଡ଼ିଶାବାସୀ ମନ୍ଦିର ଯାଇ ମାଁଙ୍କ ଦର୍ଶନ କରିବାର ପରମ୍ପରା ରହିଛି ।

Advertisment

ଏହି ପର୍ବ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ନୂଆଁଖାଇ ଜୁହାର। ଏହି ପବିତ୍ର ଅବସରରେ ପ୍ରତ୍ୟେକଙ୍କୁ ଅଭିନନ୍ଦନ । ନୂଆଁଖାଇରେ ଆମେ ଆମ କଠିନ-ପରିଶ୍ରମୀ କୃଷକମାନଙ୍କର ଉଲ୍ଲେଖନୀୟ ଉଦ୍ୟମ ଏବଂ ଦେଶ ଗଠନରେ ସେମାନଙ୍କର ଭୂମିକାକୁ ପ୍ରଶଂସା କରନ୍ତି। ସମସ୍ତଙ୍କ ସୁସ୍ବାସ୍ଥ୍ୟ ଏବଂ ମଙ୍ଗଳ ପାଇଁ ପ୍ରାର୍ଥନା କରୁଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଅବସରରେ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇବା ସହ ଲେଖିଛନ୍ତି, ଗଣପର୍ବ ନୂଆଁଖାଇର୍‌ ଲାଗି ସମକୁ ହୁରୁଦରୁ ଶୁଭେଚ୍ଛା ଆର୍‌ ଅଭିନନ୍ଦନ୍। ତିହାର୍‌ ଭିତରେ ବି ସଭେ କୋଭିଡ୍‌ ନିୟମ୍ ମାନୁନ୍। ମାଁ ସମଲେଇ ସମକୁ ସୁଖ୍‌ ଶାନ୍ତି ଥି ବନେ କରି ରଖିଥାଉନ୍। ନୂଆଁଖାଇ ଜୁହାର୍‌ ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ନୂଆଁଖାଇ ପର୍ବ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଟୁଇଟ୍‌ କରି ସେ ଲେଖିଛନ୍ତି, ନୂଆଁଖାଇ ପର୍ବ ଅବସରରେ ଓଡ଼ିଶାର ଭଉଣୀ ଓ ଭାଇମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଏଇ ପବିତ୍ର ଦିବସ ପ୍ରତ୍ୟେକଙ୍କୁ ସମୃଦ୍ଧି ଓ ସୁସ୍ବାସ୍ଥ୍ୟ ପ୍ରଦାନ କରୁ। ନୂଆଁଖାଇ ଜୁହାର ।

ନୂଆଁଖାଇ ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୁଭ କାମନା ଜଣାଇଛନ୍ତି। ଏଥିରେ ସେ ନୂଆଁଖାଇ ଜୁହାର୍‌ ବୋଲି କହିବା ସହ ସମସ୍ତଙ୍କର ସୁଖ-ସମୃଦ୍ଧି କାମନା କରିଛନ୍ତି ।