ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ: କୋଭିଡ୍ କଟକଣା ଯୋଗୁଁ ଏବର୍ଷର ଉତ୍ସବ ଫିକା; ଘରେ ଘରେ ନବାନ୍ନ ପାଇଁ ପ୍ରସ୍ତୁତି

ଧାର୍ଯ୍ୟ ଲଗ୍ନରେ ଇଷ୍ଟଦେବୀଙ୍କ ପାଖରେ ଲାଗିହେବ ନୂଆ

372

କନକ ବ୍ୟୁରୋ: ଆଜି ଭାଦ୍ରବ ଶୁକ୍ଲ ପଂଚମୀ ବା ଋଷି ପଂଚମୀ । ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଏହି ଅବସରରେ ପଶ୍ଚିମଓଡିଶାରେ ଏଥର କଟକଣା ଭିତରେ ପାଳନ ହେଉଛି ଗଣପର୍ବ । କରୋନା କଟକଣା କାରଣରୁ ଏଥର ସମସ୍ତେ ଘରେ ପାଳନ କରୁଛନ୍ତି ନୂଆଖାଇ । ଘରେ ଘରେ ମହକି ଉଠୁଛି ପିଠାପଣାର ବାସ୍ନା । ନୂଆଖାଇ ଏକ କୃଷି ଭିତିକ ପର୍ବ । ମାଆ ମାଟିକୁ କୃତଜ୍ଞତା ଜଣାଇବାର ପର୍ବ । ପ୍ରଥମ ଅମଳ ଧାନକୁ ଇଷ୍ଟଦେବୀଙ୍କୁ ଭୋଗ ଲଗାଇ ନିଜେ ସେବନ କରନ୍ତି ସମସ୍ତେ । ଏହା ସହ ନୂଆଖାଇ ଏକ ଭାଇଚାରାର ପର୍ବ । ପରସ୍ପର ପ୍ରତି ଥିବା ସମସ୍ତ କ୍ରୋଧ, ଅସୂୟା ଭାବକୁ ପଛରେ ପକାଇ ସମସ୍ତେ ପରସ୍ପରର ଶୁଭ ମନାସିବା ସହ ଅଭିବାଦନ କରିଥାନ୍ତି ।

ତେଣୁ ଏହି ପର୍ବ ଅନ୍ୟ ସବୁ ପର୍ବରୁ ନିଆରା ହୋଇଥାଏ । ନୂଆଖାଇରେ ସମସ୍ତଙ୍କ ଘରେ ପୁରା ପରିବାର ଲୋକଙ୍କ ଉପସ୍ଥିତିରେ ଭରି ଉଠିଛି । ତେବେ ଚଳିତ ବର୍ଷ ଟିକିଏ ଫିକା ପଡିଛି ନୂଆଖାଇ । କାରଣ କରୋନା ପାଇଁ ଅନେକ ପ୍ରକାର କଟକଣା ଲାଗୁ ହୋଇଛି । ଫଳରେ ସାମୁହିକ ନବାନ୍ନ ବାରଣ କରାଯାଇଛି । କେବଳ ଘରେ ଘରେ ହିଁ ଏହି ପର୍ବ ପାଳନ ହେବ । ଅନ୍ୟଘରକୁ କେହି ଯାଇପାରିବେ ନାହିଁ । ଅନ୍ୟପଟେ ବହୁ ଲୋକ ଏହି କଟକଣା ଭିତରେ ନିଜ ଘରକୁ ଆସିପାରି ନାହାନ୍ତି । ଫଳରେ ଚଳିତ ବର୍ଷ ନୂଆଖାଇ ବେଶ୍ ଫିକା ହୋଇ ପଡିଛି ।

ନୂଆଖାଇ ଅବସରରେ ଆଜି ସମଲେଶ୍ୱରୀ ମନ୍ଦିରରେ ସକାଳ ୯ଟା ୩୫ରୁ ୯ଟା ୫୦ ମଧ୍ୟରେ ନବାନ୍ନ ଲାଗି । ଏହି ସମୟ ମଧ୍ୟରେ ମାଆଙ୍କ ନିକଟରେ ଲାଗି ହେବ ନୂଆଁ । ଏନେଇ ସୂଚନା ମିଳିଛି । ତେବେ ଏଥର ନୂଆଖାଇ ଅବସରରେ ସମଲେଶ୍ୱରୀ ମନ୍ଦିରକୁ ନଆସିବାକୁ ମନ୍ଦିର ଟ୍ରଷ୍ଟ ନିବେଦନ କରିଛି । ଏଥର ନୂଆଖାଇରେ ବନ୍ଦ ରହିବ ସାଧାରଣ ଦର୍ଶନ । ତେଣୁ ମାଆଙ୍କର ପୁରା ରୀତିନୀତି ସାମାଜିକ ଗଣମାଧ୍ୟମ ଜରିଆରେ ଦେଖିହେବ । ଚଳିତ ବର୍ଷ ନୂଆଖାଇରେ ମନ୍ଦିରରୁ ବାହାରିବନି ନବାନ୍ନ । ତେଣୁ ଏଥର ନୂଆଖାଇ ଅବସରରେ ପଶ୍ଚିମଓଡିଶାବାସୀ ମାଆ ସମଲେଶ୍ୱରୀଙ୍କ ମନ୍ଦିରରୁ ନବାନ୍ନ ପାଇବାରୁ ବଂଚିତ ରହିବେ । ତେବେ ସମସ୍ତଙ୍କୁ ସୋସିଆଲମିଡିଆ ଫେସ୍ବୁକ୍ ଜରିଆରେ ମାଆଙ୍କ ଦର୍ଶନ କରାଇବାର ବ୍ୟବସ୍ଥା କରାଯାଇଛି । ଆଜି ସକାଳ ୯ ଟାରୁ ଏନେଇ କନକନ୍ୟୁଜରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି, ନୂଆଖାଇରେ ମାଆଙ୍କ ଦର୍ଶନ । ଏଥିରେ ଆପଣ ସିଧାସଳଖ ମାଆ ସମଲେଶ୍ୱରୀଙ୍କୁ ସମସ୍ତ ପୂଜାର୍ଚ୍ଚନାର ଦର୍ଶନ କରିପାରିବେ ।