କନକ ବ୍ୟୁରୋ : ସୋନପୁର ଗଡଜାତରୁ ଆରମ୍ଭ ହୋଇଛି ନୂଆଁଖାଇ ପରମ୍ପରା । ଅନ୍ନ ବ୍ୟଂଜନ ସହ ଇଷ୍ଟଦେବୀ ମାଆ ସୁରେଶ୍ୱରୀଙ୍କ ନିକଟରେ ନବାନ୍ନ୍ ଲାଗି ହେବାର ପରମ୍ପରା କାହିଁ କେଉଁକାଳରୁ ରହିଛି । ଏହ ସହ ମାଆଙ୍କର ଏକ ଆଡମ୍ବରପୁର୍ଣ୍ଣ ଶୋଭାଯାତ୍ରା ହୋଇଥାଏ । ସୋନପୁର ଗଡଜାତରେ ସ୍ୱତନ୍ତ୍ର ପରମ୍ପରା । ଇଷ୍ଟ ଦେବୀ ମାଆ ସୁରେଶ୍ୱରୀଙ୍କଠାରୁ ନେଇ ଖମ୍ବେଶ୍ୱରୀ ଓ ମାଆ ସମଲେଶ୍ୱରୀଙ୍କ ସମେତ ହନୁମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟଂଜନ ପ୍ରସ୍ତୁତ ହୋଇଥାଏ । କୋରେଇ ପତ୍ରରେ ସମସ୍ତ ବ୍ୟଂଜନ ଦିଆଯାଇଥାଏ ।

Advertisment

ସୁନ୍ଦରଗଡ ମା’ ସମଲେଇଙ୍କ ଠାରେ ଲାଗି ହେଲା ନବାନ୍ନ । ରାଜ ପରିବାର ମା’ଙ୍କ ଠାରେ ଲାଗିକଲେ ନବାନ୍ନ । ନୂଆ ଚାଉଳରେ ପ୍ରସ୍ତୁତ କରାଯାଇଥିବା ଭୋଗ ମାଙ୍କ ଠାରେ ଲାଗି କରାଯାଇଛି । ସୁନ୍ଦରଗଡ ରାଜ ପରିବାରର ସୁନ୍ଦରଗଡ ରାଣୀ ବିଜ୍ଞାନୀ ଦେବୀ ମା’ ଙ୍କ ଠାରେ ନବାନ୍ନ ଲାଗି କରିଥିଲେ । ମାଆଙ୍କ ପାଖରେ ଭୋଗ ଲାଗି ହେବା ପରେ ସୁନ୍ଦରଗଡ ବାସୀ ସମସ୍ତେ ଏକାଠି ହୋଇ ନବାନ୍ନ ଭକ୍ଷଣ କରିବ।।ର ରହିଛି ପରମ୍ପରା ।
ନୂଅାଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା । ପଶ୍ଚିମ ଓଡ଼ିଶାର ଏହି ଗଣପର୍ବରେ ସାମିଲ ହୋଇଛନ୍ତି ମୁସଲିମ୍ । ବରଗଡ଼ରେ ଏକ ମୁସଲିମ୍ ପରିବାର ଧୁମଧାମରେ ନୂଅାଁଖାଇ ପାଳନ କରିଛନ୍ତି । ଖଜୁରଟିକ୍ରା ପଡ଼ା ୭ ନମ୍ବର ୱାର୍ଡର ମହମ୍ମଦ ସିରାଜ ଖାନଙ୍କ ପରିବାର ପାଳିଛନ୍ତି ଏହି ପର୍ବ । ମହମ୍ମଦ ସିରାଜ ଖାନଙ୍କ ଦୁଇ ପୁଅ ସଲମାନ ଓ ମୌସିନ୍ ଏବଂ ତାଙ୍କ ପତ୍ନୀ ଜେବୁନନିଶା ଦୀର୍ଘ ଦିନ ହେବ ନୂଅାଁଖାଇ ପାଳନ କରିଆସୁଛନ୍ତି । ହିନ୍ଦୁମାନେ ଯେପରି ଏହି ପର୍ବରେ ନିଜ ଘରେ ପିଠାପଣା ଓ ଅନ୍ୟାନ୍ୟ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରିଛନ୍ତି । ଠିକ୍ ସେହିପରି ଏହି ମୁସଲିମ୍ ପରିବାର ମଧ୍ୟ ନୂଅାଁଖାଇକୁ ସେହିଭଳି ପାଳନ କରିଛନ୍ତି । ଗୋଟିଏ ମୁସଲିମ୍ ପରିବାର ଏହି ପର୍ବ ପାଳନ କରି ସମାଜକୁ ବଡ଼ ବାର୍ତା ଦେଇଛନ୍ତି ।

ପୂର୍ବ ଓଡିଶାରେ ମଧ୍ୟ ନୂଆଁଖାଇ ପାଳନ କରାଯାଇଛି । ଖୋର୍ଦ୍ଧା ବୋଲଗଡ ବ୍ଲକ ସଂପୁର ଗ୍ରାମବାସୀ ବହୁ ଆଡମ୍ବର ସହ ନୂଆଁଖାଇ ପାଳନ କରିଛନ୍ତି । ସବୁ ବର୍ଷ ଭଳି ଏ ବର୍ଷ ସକାଳୁ ସକାଳୁ ଗାଧୁଆପାଧୁଆ ସାରି ନୂଆ ବସ୍ତ୍ର ପିନ୍ଧି ଗାଁ ବାଲୁଙ୍କେଶ୍ୱର ମନ୍ଦିରରେ ହାଜର ହୋଇଯାଇଥାନ୍ତି ଗ୍ରାମବାସୀ । ନୂଆ ଚାଉଳ, ନୂଆଚୂଡା, ଗୁଡ, କଦଳୀ ସହ ୯ ପ୍ରକାର ବ୍ୟଞ୍ଜନ ଠାକୁର ପାଖରେ ଲାଗି କରାଯାଏ । ଏହାପରେ ପ୍ରସାଦ ଘରକୁ ନେଇ ପୁରା ପରିବାର ଏକାଠି ବସି ନୂଆ ଖାଇଥାନ୍ତି ।

କେବଳ ପଶ୍ଚିମ ଓଡିଶା ନୁଁହେ । ଏବେ ସାରା ରାଜ୍ୟରେ ନୁଆଁଖାଇକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି । ମାଲକାନଗିରି ଜିଲ୍ଲାରେ ମଧ୍ୟ ଧୁମ ଧାମରେ ପାଳିତ ହେଉଛି ନୁଆଁଖାଇ । ମାଲକାନଗିରି ସଦର ମହକୁମାରେ ଅନାଦି କାଳରୁ ବସବାସ କରୁ ଥିବା ପଶ୍ଚିମ ଓଡିଶାର ଶହ ଶହ ପରିବାର ଏକାଠି ହୋଇ ନିଜ ଇଷ୍ଟ ଦେବୀଙ୍କୁ ନବାନ୍ନ ଲାଗି କରିଛନ୍ତି । ନୁତନ ବସ୍ତ ସାଙ୍ଗକୁ ପିଠା ପଣା ମହକରେ ମହକି ଉଠୁଛି ପୁରା ପରିବେଶ ।

କାମାକ୍ଷାନଗର ମହିମା ଗାଦିରେ ପାଳିତ ହେଲା ନୂଆଁଖାଇ ପର୍ବ । ଭକ୍ତ ସାଧୁ ଏକାଠି ହୋଇ ଶୂନ୍ୟ ଠାକୁରଙ୍କୁ ଅମଣୀଆ ଦେଇ ଖାଇଲେ ଏକାଠି । ପ୍ରତିବର୍ଷ ଭଳି ଚଳିତଥର ମଧ୍ୟ ମହିମା ଗାଦିରେ ନିଆରା ଢଙ୍ଗରେ ପାଳିତ ହୋଇଛି ନୂଆଁଖାଇ ପର୍ବ । ଅଲେଖ ମହିମାଙ୍କୁ ପ୍ରଥମ ଭୋଗ ଅର୍ପଣ କରିବା ପରେ ସମସ୍ତ ଭକ୍ତ ବାବା ଏକାଠି ତଳେ ବସି ନବାନ୍ନ ଭକ୍ଷଣ କରିଛନ୍ତି । ଆଠଗଡରୁ ଆସିଥିବା ନୂତନ ଧାନରୁ ନୂତନ ଚୂଡା ପ୍ରସ୍ତୁତ କରାଯାଇଥାଏ    । ଭକ୍ତମାନେ ଏକାଠି ହୋଇ ସୂର୍ଯ୍ୟୋଦୟ ପୂର୍ବରୁ ନୂଆଁ ଧାନରେ ତିଆରି ଚୂଡାକୁ କଦଳି,ସେଓ,ନଡିଆ, ମହୁରେ ପ୍ରସ୍ତୁତ କରିଥାନ୍ତି ନବାନ୍ନ । ଏହାକୁ ଏକ ନୂତନ ମାଟି ପାତ୍ରରେ ଶୂନ୍ୟ ଠାକୁର ଅଲେଖ ମହିମାଙ୍କୁ ଅର୍ପଣ କରାଯାଇଥାଏ । ଏହାପରେ ସମସ୍ତେ ନୂଆଁ ଖାଇଥାନ୍ତି ।