କରୋନା କାଳରେ ମାନ୍ଦା ପଡିଛି ନୂଆଁଖାଇ ହାଟ । ତିଆରି ହୋଇଛି ନୂଆ ମାଟି ପାତ୍ର ଓ ବାଉଁଶ ସାମଗ୍ରୀ, ହେଲେ ବିକ୍ରୀ ନହେବାରୁ ଚିନ୍ତାରେ କୁଚିଣ୍ଡାର କୁମ୍ଭାର ଓ ବାଉଁଶ କାରିଗର । 

160

କନକ ବ୍ୟୁରୋ: ଦିନ କେଇଟା ପରେ ପଶ୍ଚିମ ଓଡିଶାର ମହାନ କୃଷିଭିତିକ ଗଣପର୍ବ ନୂଆଁଖାଇ । ସେଥିପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି ପର୍ବ । ଅଧିଷ୍ଠାତ୍ରୀ ଦେବୀ ମା ସମଲେଇ ଙ୍କ ଠାରେ ଲଗ୍ନ ଧାର୍ଯ୍ୟ ହେବାକ୍ଷଣି ଦୁରରେ ଥିବା ପରିବାରର ସଦସ୍ୟଙ୍କୁ ଘରକୁ ଆସିବାକୁ ଖବର ଦିଆଗଲାଣି ।  ନୁଆଁଖାଇ ଦିନ ସବୁ ରାଗ ରୁଷା , ମାନ ଅଭିମାନ ଭୁଲି ପରିବାରର ସମସ୍ତ ସଦସ୍ୟ  ମିଶି ଏକାଠି ବସି ନୁଆ ଖାଇବେ । ଆଉ ସେଥିପାଇଁ ପ୍ରସ୍ତୁତି ବି ଆରମ୍ଭ ହୋଇଗଲାଣି । ଗାଁ ଗାଁ ବୁଲି ବେହେରା ଡାକ ମଧ୍ୟ ଦେଲାଣି ।

ନୁଆଁଖାଇ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ପଶ୍ଚିମଓଡିଶା ବାସୀ  । ନୁଆ ଧାନ ବା ସରିଆ ଧାନ ବିଲରୁ ଅମଳ କରି ସାରିଲେଣି ଚାଷୀ । ହେଲେ ସରକାରଙ୍କ ନିର୍ଦ୍ଦେସାନୁସାର ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା କଟକଣା ଭିତରେ ହିଁ ନୀତି ନିୟମ ଅନୁସାରେ ନୂଆଁଖାଇ ପାଳିବା ପାଇଁ କୁହାଯାଇଛି । ଯାହାକୁ ନେଇ ଲୋକଙ୍କ ମନରେ ଦୁଃଖ ଥିଲେ ବି ଛୋଟ ଆଶାଟିଏ ରହିଛି ।

ନୂଆଁଖାଇ ପାଇଁ ପଶ୍ଚିମ ଓଡିଶା ପ୍ରସ୍ତୁତି କରୁଛି ସତ ହଲେ ଆଶା ଆଶଙ୍କାରେ ଅଛନ୍ତି ସମ୍ବଲପୁର ଜିଲ୍ଲା କୁଚିଣ୍ଡାର କୁମ୍ଭକାର ଓ ବାଉଁଶ କାରିଗର ପରିବାର । ନୁଆଁଖାଇ ପର୍ବ ପାଇଁ ବିଭିନ୍ନ ମାଟି ପାତ୍ର ତିଆରି କରୁଥିବା କାରିଗର ଏବେ ନିଜ କୌଳିକ ବୃତିକୁ ନେଇ ଚିନ୍ତାରେ ପଡିଛନ୍ତି । ସେପଟେ କରୋନା ମହାମାରୀ ବାଉଁଶ କାରିଗରଙ୍କ କୈାଳିକ ବୃତିକୁ ବି ଛଡାଇ ନେଇଛି ।

ଗଣପର୍ବ ପାଇଁ ଘରେ ଘରେ ଲିପା ପୋଛା, ରଙ୍ଗ ଦେବା କାମ ଆରମ୍ଭ କରିଛନ୍ତି ପଶ୍ଚିମ ଓଡିଶାବାସୀ । ହେଲେ କରୋନା କଟକଣା ଯୋଗୁଁ ଅନେକ ପରିବାରର ସଦସ୍ୟ ଏବେ ଘରେ ରହୁଛନ୍ତି । ସଂକ୍ରମଣକୁ ଏଡାଇବା ପାଇଁ  ଏବର୍ଷ ନୂଆଁଖାଇ ସଂପର୍କୀତ ନାଚଗୀତ, ସାସ୍କୃତିକ କାର୍ଯ୍ୟକ୍ରମ , ଭେଟଘାଟ ଉପରେ ପ୍ରଶାସନ କଟକଣା ଲଗାଇବା ପରେ ନିରାଡମ୍ବର ନୁଆଁଖାଇ ପାଳିବା ମନସ୍ଥ କରିଛନ୍ତି ଲୋକେ ।