ଋଣରେ ବୁଡିଛନ୍ତି ୫୦ ପ୍ରତିଶତରୁ ଅଧିକ ଚାଷୀ, ପରିବାର ପିଛା ୭୪,୧୧୨ ଟଙ୍କା ଋଣ

144

ଦେଶରେ କୃଷକମାନଙ୍କର ଆର୍ଥିକ ସ୍ଥିତି କାହାକୁ ବି ଅଛପା ନାହିଁ, କରୋନା କାଳରେ କୃଷକମାନଙ୍କର ଆୟ କିଭଳି ପ୍ରଭାବିତ ହୋଇଛି ତାହା ସମସ୍ତଙ୍କୁ ଜଣା । ଏପଟେ ଦରବୃଦ୍ଧି ଯୋଗୁଁ ଚାଷୀମାନଙ୍କ ନିବେଶ ପରିମାଣ ବି ବୃଦ୍ଧି ପାଇଛି ।
କନକ ବ୍ୟୁରୋ : କେନ୍ଦ୍ର ସରକାର କୃଷକମାନଙ୍କର ଆୟ ଦ୍ୱିଗୁଣା କରିବାକୁ ଯଥା ସମ୍ଭବ ପ୍ରୟାସ ଜାରି ରଖିଛନ୍ତି । କେନ୍ଦ୍ର ସରକାର ‘କିଷାନ ସମ୍ମାନନିଧି ଯୋଜନା’ ମାଧ୍ୟମରେ ଚାଷୀମାନଙ୍କୁ ସହାୟତା ଯୋଗାଇ ଆସୁଛନ୍ତି । ହେଲେ ଏବେବି ଦେଶରେ ୫୦ ପ୍ରତିଶତରୁ ଅଧିକ କୃଷକ ପରିବାର ଋଣବୋଝ ତଳେ ଚାପି ହୋଇ ରହିଛନ୍ତି । ରାଷ୍ଟ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ର ଏକ ସର୍ଭେ ରିପୋର୍ଟ ମୁତାବକ ୨୦୧୯ ରେ ୫୦ ପ୍ରତିଶତରୁ ଅଧିକ ଚାଷୀ ପରିବାର ଋଣ ଭାରରେ ଛନ୍ଦି ହୋଇଛନ୍ତି । ସର୍ଭେ ରିପୋର୍ଟ ମୁତାବକ ପ୍ରତି ଚାଷୀ ପରିବାର ଉପରେ ହାରାହାରି ୭୪,୧୨୧ ଟଙ୍କା ଋଣ ରହିଛି ।

ରାଷ୍ଟ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟର ସର୍ଭେ ରିପୋର୍ଟ ମୁତାବକ କୃଷକମାନେ ନେଇଥିବା ମୋଟ ଋଣର ୬୯.୬ ପ୍ରତିଶତ ବ୍ୟାଙ୍କ,ସହକାରୀ ସମିତି ଓ ସରକାରୀ ଏଜେନ୍ସି ଭଳି ସଂସ୍ଥାମାନେ ପ୍ରଦାନ କରିଛନ୍ତି । ସବୁଠାରୁ ବିପଦପୂର୍ଣ୍ଣ କଥା କି ଚାଷୀମାନେ ୨୦.୫ ପ୍ରତିଶତ ଋଣ ଗାଁ ମହାଜନଙ୍କ ଠାରୁ ଚଢା ସୁଧରେ ନେଇଛନ୍ତି । ଏହାସହ ମୋଟ ଋଣରୁ ୫୭.୫ ପ୍ରତିଶତ ଋଣ କୃଷି କାର୍ଯ୍ୟ ଉଦ୍ଦେଶ୍ୟରେ ନେଇଛନ୍ତି ।
ରାଷ୍ଟ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟର ସର୍ଭେ ରିପୋର୍ଟ ମୁତାବକ କୃଷି ବର୍ଷ ୨୦୧୮-୧୯ ରେ ପ୍ରତି କୃଷକ ପରିବାରର ହାରାହାରି ଆୟ ମାସିକ ୧୦.୨୧୮ ଟଙ୍କା ଥିଲା । ଯାହା ମଧ୍ୟରୁ ମଜୁରୀରୁ ପ୍ରତି ପରିବାରକୁ ୪,୦୬୩ ଟଙ୍କା, ଫସଲ ଉତ୍ପାଦନରୁ ୩,୭୯୮ ଟଙ୍କା, ପଶୁ ପାଳନରୁ ୧,୫୮୨ ଟଙ୍କା , କୃଷି ବାହାରେ ୬୪୧ ଟଙ୍କା ଓ ଜମି ଲିଜରୁ ୧୩୪ ଟଙ୍କା ରୋଜଗାର ହେଉଥିଲା ।

ଅନ୍ୟପଟେ ସର୍ଭେ ରିପୋର୍ଟ କହୁଛି କି ୨୦୨୮ ଜୁନ ୩୦ ପର୍ଯ୍ୟନ୍ତ ଗ୍ରାମୀଣ କ୍ଷେତ୍ରରେ ୩୫ ପ୍ରତିଶତ ପରିବାର ଋଣ ନେଇଥିଲେ । ସେମାନଙ୍କ ମଧ୍ୟରୁ ୪୦.୩ ପ୍ରତିଶତ କୃଷକ ପରିବାର ଥିବା ବେଳେ ୨୮.୨ ପ୍ରତିଶତ ଅଣ କୃଷକ ପରିବାର ସାମିଲ ଥିଲେ । ସେହିଭଳି ସହରାଞ୍ଚଳରେ ୨୨.୪ ପ୍ରତିଶତ ପରିବାର ଋଣ ନେଇଥିଲେ ।

କହିରଖୁ କି ଏବେ ସାରା ଦେଶରେ ୯.୩ କୋଟି କୃଷକ ପରିବାର ରହିଛନ୍ତି । ସେମାନଙ୍କ ମଧ୍ୟରୁ ଓବିସି କାଟାଗୋରୀରେ ୪୫.୮ ପ୍ରତିଶତ ପରିବାର ଥିବା ବେଳେ ଅନୁସୂଚିତ ଜାତିର ୧୫.୯ ପ୍ରତିଶତ, ଅନୁସୂଚିତ ଜନଜାତିର ୧୪.୨ ପ୍ରତିଶତ ଓ ଅନ୍ୟାନ୍ୟ ୨୪.୧ ପ୍ରତିଶତ ରହିଛନ୍ତି ।