ବିବାଦ ପରେ କମ୍ପାନୀର ନିଷ୍ପତ୍ତି , ସରକାରୀ କ୍ଲାଏଣ୍ଟକୁ ପେଗାସସ୍ ବିକ୍ରି କରିବ ନାହିଁ କମ୍ପାନୀ

108

କନକ ବ୍ୟୁରୋ : ଏବେ ଅନେକ ଦେଶର ସରକାର ପେଗାସସ୍ ମାଧ୍ୟମରେ ଗୁପ୍ତଚର କାମ କରୁଥିବା ଅଭିଯୋଗ ଆସିବା ପରେ ଇଜ୍ରାଇଲ ସାଇବର ସିକ୍ୟୁରିଟି ଫାର୍ମ (ଏନଏସଓ) ବଡ ନିଷ୍ପତ୍ତି ନେଇଛି । ନିଷ୍ପତ୍ତି ମୁତାବକ କମ୍ପାନୀ ଆଉ କୌଣସି ସରକାରୀ କ୍ଲାଏଣ୍ଟକୁ ପେଗାସସ୍ ବିକ୍ରି କରିବ ନାହିଁ । ଭାରତ ସହିତ ଅନେକ ଦେଶରେ ପେଗାସସକୁ ନେଇ ବିବାଦ ଦେଖାଦେବା ପରେ କମ୍ପାନୀ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି   ।

ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଏନଏସଓ କହିଛି କି ସ୍ପାଏ ୱେୟାରର ଅପବ୍ୟବହାର ଯୋଗୁଁ ପେଗାସସ୍ ବିକ୍ରି  ଉପରେ କମ୍ପାନୀ ରୋକ୍ ଲଗାଇଛି । ଅନ୍ୟପଟେ କମ୍ପାନୀ ପକ୍ଷରୁ ପେଗାସସ୍ ବିକ୍ରି ଉପରେ ରୋକ ଲଗାଯାଇଥିଲେ ବି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ କି କମ୍ପାନୀ କେଉଁ କେଉଁ ଦେଶକୁ ପେଗାସସ୍ ବିକ୍ରି କରିଛି । ଅନ୍ୟପଟେ କମ୍ପାନୀର ଏଭଳି ବେଆଇନ କାର୍ଯ୍ୟ ବିରୋଧରେ ଇଜ୍ରାଇଲ ପକ୍ଷରୁ କମ୍ପାନୀ ଅଫିସରେ ଚଢାଉ କରାଯାଇଛି ।

ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଏନଏସଓ କହିଛି କି ତାଙ୍କର ୪୦ ଟି ଦେଶରେ ୬୦ ଜଣ ଗ୍ରାହକ ରହିଛନ୍ତି । ସେମାନେ ସମସ୍ତେ ଗୋଇନ୍ଦା ଏଜେନ୍ସି ଓ ଆଇନ ଲାଗୁ କରିବା ଭଳି ସଂସ୍ଥା । ଏହାସହ ସଫ୍ଟୱେୟାରକୁ ନେଇ ବିବାଦ ଦେଖାଦେବା ପୂର୍ବରୁ କମ୍ପାନୀ ତରଫରୁ ୫ ଟି ସରକାରୀ କମ୍ପାନୀକୁ ଦିଆଯାଇଥିବା ସଫ୍ଟୱେୟାର ବ୍ଲକ କରିଛି ବୋଲି କୁହାଯାଇଛି ।

ନିକଟରେ ଫୋର୍ବିଡେନ୍ ଷ୍ଟୋରିଜ୍ ଏବଂ ମାନବାଧିକାର ସଂଗଠନ ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ୍ ସମେତ ୧୭ଟି ଗଣମାଧ୍ୟମ ଅନୁଷ୍ଠାନର ଏକ ରିପୋର୍ଟରେ କୁହାଯାଇଛି ଯେ ସାମ୍ବାଦିକ, ରାଜନେତା, କାର୍ୟ୍ୟକର୍ତ୍ତା ଏବଂ ବ୍ୟବସାୟୀଙ୍କ ସହ ଜଡିତ ୫୦,୦୦୦ ଫୋନ୍ ନମ୍ବର ପେଗାସସ୍ ମାଧ୍ୟମରେ ୫୦ଟି ଦେଶରେ ଗୁପ୍ତଚର କରାଯାଇଥିଲା। ଏଥିରେ ୧୮୯ ଜଣ ଗଣମାଧ୍ୟମ ବ୍ୟକ୍ତି, ୬୦୦ରୁ ଅଧିକ ନେତା ଏବଂ ସରକାରୀ କର୍ମଚାରୀ, ୬୫ ଜଣ ବ୍ୟବସାୟିକ ଅଧିକାରୀ ଏବଂ ୮୫ ଜଣ ମାନବାଧିକାର କାର୍ୟ୍ୟକର୍ତ୍ତା ଅଛନ୍ତି ଯେଉଁମାନଙ୍କ ଫୋନ୍ ଉପରେ ନଜର ରଖାଯାଇଥିଲା।