ଆଫଗାନିସ୍ତାନ ସମସ୍ୟା ନେଇ ଦିଲ୍ଲୀରେ ଏନଏସଏ ବୈଠକ । ଯୋଗଦେଲେ ଭାରତ ସମେତ ୮ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା

118

କନକ ବ୍ୟୁରୋ: ଆଫଗାନିସ୍ତାନ ପ୍ରସଙ୍ଗରେ ଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି ଗୁରୁତ୍ୱପୂର୍ଣ୍ଣ କନଫରେନ୍ସ । ୮ ଟି ଦେଶ ଏହି କନଫରେନ୍ସରେ ଯୋଗ ଦେଇ ଆଫଗାନିସ୍ତାନରେ ତାଲିବାନ ରାଜୁତିର ସ୍ଥିତି ନେଇ ଆଲୋଚନା କରିଛନ୍ତି । ଆଫଗାନିସ୍ତାନ ପ୍ରସଙ୍ଗରେ ଏହା ତୃତୀୟ ବୈଠକ ହୋଇଥିବାବେଳେ, ପ୍ରଥମ ଥର ଭାରତ ଏହି ବୈଠକର ଅଧ୍ୟକ୍ଷତା କରିଛି ।

ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହୋଇ ଯାଇଛି ଏନଏସଏର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏଥିରେ ଋଷ, ଇରାନ ସମତେ ୮ ଟି ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ସାମିଲ ହୋଇଛନ୍ତି । ଭାରତର ମୁଖ୍ୟ ଜାତୀୟ ସୁରକ୍ଷା ପରାମର୍ଶ ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଆଫଗାନିସ୍ତାନ ପ୍ରସଙ୍ଗ ନେଇ ଆୟୋଜିତ ବୈଠକର ଭାରତ ପ୍ରଥମ ଥର ଅଧ୍ୟକ୍ଷତା କରିଛି । ଆଫଗାନିସ୍ତାନରେ ତାଲିବାନ କବଜା କରିବା କିଭଳି ପରିସ୍ଥିତି ସୃଷ୍ଟି ହୋଇଛି ସେ ନେଇ ବୈଠକରେ ଆଲୋଚନା କରାଯାଇଛି ।

  • ଆଫଗାନିସ୍ତାନରେ ତାଲିବାନ ରାଜ ପରେ ଦେଶରେ ଆତଙ୍କରାଜ ଓ ଉଗ୍ରବାଦ ବଢି ଯାଇଛି
  • ନିଶାଦ୍ରବ୍ୟ ଉତ୍ପାଦନ ଏବଂ ଏହାର ଚୋରା ଚାଲାଣ
  • ଆଫଗାନିସ୍ତାହ ଠାରୁ ଅନ୍ୟ ପଡୋଶୀ ଦେଶ ପ୍ରତି ଥିବା ବିପଦ
  • ତାଲିବାନ ରାଜୁତି ପରେ ପଡୋଶୀ ରାଜ୍ୟରେ ବୃଦ୍ଧି ପାଇଥିବା ମାଇଗ୍ରେସନ୍

ଏଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇଛି । ବୈଠକରେ ଅଜିତ ଡୋଭାଲ କହିଛନ୍ତି ଏବେ ସମୟ ଆସିଛି ପ୍ରତ୍ୟେକ ଦେଶ ପରସ୍ପର ସହ ସମନ୍ୱୟ ରକ୍ଷା କରି କାମ କରିବାର । ଏହାଦ୍ୱାରା ଆଫଗାନିସ୍ତାନ ନାଗରିକଙ୍କୁ ସାହାଯ୍ୟ ମିଳିବା ସହ ଆମ ସାମୁହିକ ସୁରକ୍ଷା ମଧ୍ୟ ବଢି ପାରିବ । ଏନଏସଏ ବୈଠକରେ ଭାରତ ସମେତ ଇରାନ, ଋଷ, ଉଜବେକିସ୍ତାନ, କାଜକିସ୍ତାନ, ତୁର୍କମେନିସ୍ତାନ, ତାଜକିସ୍ତାନ ଏବଂ କିଗ୍ରିସ୍ତାନ ଯୋଗ ଦେଇଛନ୍ତି । ବୈଠକ ସହ ତାଜିକିସ୍ତାନ ଓ ଉଜବେକିସ୍ତାନ ପ୍ରତିପକ୍ଷଙ୍କ ସହ ଦ୍ୱି-ପାକ୍ଷିକ ଆଲୋଚନା କରିଛନ୍ତି କରିିଛନ୍ତି ଏନଏସଏ ଅଜିତ୍ ଡୋଭାଲ । ସେହିପରି ସମସ୍ତ ୭ଟି ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସହ ସାକ୍ଷାତ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବୈଠକରେ ଦେଶ ଦେଶ ମଧ୍ୟରେ ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା ହୋଇଛି ।

ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକକୁ ଆସି ନାହାଁନ୍ତି ପାକିସ୍ତାନ ଓ ଚୀନ । ଉଭୟ ଦେଶର ସମ୍ପର୍କ ତାଲିବାନ ସହ ବେଶ ଭଲ । ଆଉ ଆଫଗାନିସ୍ତାନରେ ତାଲିବାନ ରାଜୁତି ପରେ ଏହି ଦୁଇ ଦେଶ ନିଜ ଦୂତାବାସ କାବୁଲରୁ ସ୍ଥାନାନ୍ତର କରି ନଥିଲେ । ତେଣୁ ଆଫଗାନିସ୍ତାନ ନେଇ ଆୟୋଜିତ ବୈଠକରେ ଏହି ଦୁଇ ଦେଶ ଯୋଗ ଦେଇ ନାହାଁନ୍ତି ।