କନକ ବ୍ୟୁରୋ : ୨୦୧୪ ମସିହାରେ ଯେବେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେଲେ ସେତେବେଳେ ପ୍ରଥମେ ତାଙ୍କ ପାଖକୁ ଏକ ଫାଇଲ ଆସିଥିଲା । ଏହି ଫାଇଲରେ ଅଜିତ୍ ଡୋଭାଲଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ନିଯୁକ୍ତି ପାଇଁ ପ୍ରସ୍ତାବ ଥିଲା । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଆଣିଥିବା ଏହି ଫାଇଲକୁ ମୋଦୀ ସ୍ୱୀକୃତି ପ୍ରଦାନ କରିଥିଲେ । ସେବେଠାରୁ ଡୋଭାଲ ମୋଦୀଙ୍କ ଡାହାଣ ହାତ ଭାବେ କାର୍ଯ୍ୟ କରିଆସୁଛନ୍ତି । କୁଟନୈତିକ ସମ୍ପର୍କ ହେଉ ଅବା ବଡ ବଡ ଦେଶ ସହ ଡିଲ, ସବୁଥିରେ ଅଜିତ୍ ଡୋଭାଲଙ୍କ ପ୍ରମୁଖ ଭୂମିକା ରହିଆସିଛି । ଆଉ ଏବେ ମୋଦୀଙ୍କ ଆମେରିକା ଗସ୍ତକୁ ସଫଳ ରୂପ ଦେବାକୁ ପୁରା ପ୍ରସ୍ତୁତି କରିଛନ୍ତି ଡୋଭାଲ । ଆମେରିକାକୁ ମୋଦୀଙ୍କ ପ୍ରଥମ ଷ୍ଟେଟ୍ ଭିଜିଟ୍ରେ ଯେପରି କିଛି ତ୍ରୁଟି ନରୁହେ ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି ଡୋଭାଲ ।

Advertisment

ଗତବର୍ଷ ଟୋକିଓ କ୍ୱାଡ୍ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ପ୍ରଯୁକ୍ତି ଓ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ସହଭାଗିତା ନେଇ ‘ଆଇସିଇଟି’ ସମ୍ପର୍କରେ ଘୋଷଣା ହୋଇଥିଲା । ଏହା ପରେ ଆମେରିକାର ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା କରି କଥା ଆଗକୁ ବଢାଇବାକୁ ମୋଦୀ ଡୋଭାଲଙ୍କୁ ବାଛିଥିଲେ । ଦୁଇ ଦେଶ ମଧ୍ୟରେ ଆର୍ଟିଫିସିଆଲ ଇଟିଂଲିଜେନ୍ସ, ପ୍ରତିରକ୍ଷା ଉତ୍ପାଦନ, କ୍ୱାଂଟମ କମ୍ୟୁଟିଂ, ସେମି କଣ୍ଡକ୍ଟର, ଯୋଗଯୋଗ ଭିତିଭୂମି ଏବଂ ମହାକାଶ ପ୍ରକଳ୍ପ ଆଦି କ୍ଷେତ୍ରରେ ସହଯୋଗିତା ବଢାଇବା ନେଇ ଡୋଭାଲ ରୂପରେଖ ପ୍ରସ୍ତୁତ କରିଛନ୍ତି । ସବୁଠୁ ବଡ଼ କଥା ହେଉଛି ଭାରତକୁ ଜେଟ୍ ଇଜିଂନ୍ ନିର୍ମାଣ ପାଇଁ ସହଯୋଗ କରିବ ଆମେରିକାର ସଂସ୍ଥା ଜିଓ ଏଭିଏସନ୍ । ତେଜସ୍-ଏମକେ୨ ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟ ନିର୍ମାଣ ପାଇଁ ଭାରତକୁ ପ୍ରଯୁକ୍ତି ବିଦ୍ୟା ଯୋଗାଇଦେବ ଆମେରିକାର ଜିଓ ଏଭିଏସନ । ଯାହାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି ଜୋ ବାଇଡେନ୍ । ଯଦି ଏହା ସଫଳ ହୁଏ ତେବେ ଚତୁର୍ଥ ଦେଶ ଭାବେ ଭାରତ ଜେଟ୍ ଇଂଜିନ୍ ନିର୍ମାଣ କରିବ । ଚୀନ ମଧ୍ୟ ଏପର୍ଯ୍ୟନ୍ତ ଜେଟ୍ ଇଞ୍ଜିନ୍ ନିର୍ମର୍ାଣ କରିପାରିନଥିବାରୁ ଏହା ଭାରତ ପାଇଁ ବଡ଼ ସଫଳତା ହେବ ।

ଏସବୁର ଶ୍ରେୟ କେବଳ ଅଜିତ୍ ଡୋଭାଲଙ୍କୁ ଯିବ । ୧୯୬୮ ବ୍ୟାଚର ଏହି ଆଇପିଏସ୍ ଅଧିକାରୀ ତାଙ୍କର ଚାକିରି ଜୀବନର ଅଧିକାଂଶ ସମୟ ଗୁଇନ୍ଦା ବିଭାଗରେ କଟାଇଛନ୍ତି । ତେଣୁ ସେ ମୋଦୀଙ୍କ ପ୍ରଥମ ପସନ୍ଦ ବୋଲି କୁହାଯାଉଛି ।