ଏନଆରବି ରିପୋର୍ଟରେ ଚିନ୍ତାଜନକ ତଥ୍ୟ: ‘ରାଜ୍ୟରେ ବଢ଼ୁଛି ମହିଳା ବିରୋଧୀ ଅପରାଧ’, ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ

69

କନକ ବ୍ୟୁରୋ: ରାଜ୍ୟରେ ଦିନକୁ ଦିନ ଅପରାଧିକ ମାମଲା ବଢ଼ିବାରେ ଲାଗିଛି । ପ୍ରକାଶ ପାଇଥିବା ଏନଆରସିବି ରିପୋର୍ଟରେ ଏମିତି କିଛି ତଥ୍ୟ ଆସିବା ପରେ ତେଜିଛି ରାଜନୀତି । ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ହେଲେ, ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛି ଶାସକ ଦଳ ବିଜେଡି । ..

ରାଜ୍ୟରେ ପୁଣି ଥରେ ମହିଳା ବିରୋଧୀ ଅପରାଧ ବଢ଼ୁଥିବା ଏନସିଆରବି ରିପୋର୍ଟରେ ପ୍ରକାଶ ପାଇବା ପରେ ତେଜିଛି ରାଜନୀତି । ଏହାକୁ ପ୍ରସଙ୍ଗ ବନାଇବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ସମାଲୋଚନା କରିଛନ୍ତି ଉଭୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ । ବିଜେପି ଅଭିଯୋଗ କରି କହିଛି, ରାଜ୍ୟରେ କେବଳ ହୋର୍ଡିଂରେ ମହିଳା ବିକାଶ ଓ ସଶକ୍ତିକରଣ ସୀମିତ ରହିଛି । ସେହିପରି ରାଜ୍ୟ ସରକାର ଅପରାଧରେ ବୁଡିଥିବା ଅଭିଯୋଗ ଆଣିଛି କଂଗ୍ରେସ । ଏବଂ କଂଗ୍ରେସ ସରକାର ଆସିଲେ, ରାଜ୍ୟରେ ଅପରାଧ ଶେଷ ହେବ ବୋଲି କହିଛି କଂଗ୍ରେସ । ତେବେ ବିରୋଧୀଙ୍କୁ ପାଲଟା ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା ।

ଏନସିଆରବିର ରିପୋର୍ଟ ଅନୁସାରେ, ରାଜ୍ୟରେ ୨୦୨୧ ତୁଳନାରେ ୨୦୨୨ରେ ମହିଳା ବିରୋଧୀ ଅପରାଧ ବଢ଼ିଛି । ୨୦୨୧ରେ ୧ଲକ୍ଷ ୫୫ ହଜାର ୪୨୦ଟି ମାମଲା ହୋଇଥିବାବେଳେ, ୨୦୨୨ରେ ୧ଲକ୍ଷ ୭୮ ହଜାର ୧୯୦ରେ ପହଁଚିଛି । ଯାହାକି ପୂର୍ବ ବର୍ଷ ତୁଳନାରେ ୧୫ ପ୍ରତିଶତ ଅଧିକ । ସେହିପରି ଶିଶୁ ବିରୋଧୀ ଅପରାଧରେ ୬ନମ୍ବରରେ ରହିଛି ଓଡି଼ଶା । ୨୦୨୧ରେ ୭ହଜାର ୮୯୯ଟି ମାମଲା ଥିବାବେଳେ, ୨୦୨୨ରେ ୮ହଜାର ୨୪୦ ମାମଲା ରୁଜୁ ହୋଇଛି । କେବଳ ଏତିକି ନୁହେଁ, ରାଜ୍ୟରେ ଅସଦାଚରଣ, ଦୁଷ୍କର୍ମ ସହ ହତ୍ୟାରେ ଓଡିଶା ଚତୁର୍ଥ ସ୍ଥାନରେ ରହିଛି । ଯାହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ସମାଜସେବୀ ।

ତେବେ ଆଶ୍ଚର୍ଯ୍ୟଜନକ ଭାବେ ୨୦୨୧ ତୁଳନାରେ ୨୦୨୨ରେ ସାଇବର ଅପରାଧ କମିଛି । ୨୦୨୧ରେ ୨୦୩୭ଟି ମାମଲା ରୁଜୁ ହୋଇଥିବାବେଳେ, ୨୦୨୨ରେ ଏହି ସଂଖ୍ୟା କମି ୧୯୮୩ରେ ପହଁଚିଛି ।