ପେଟ୍ରୋଲ ଡିଜେଲର ମହଙ୍ଗା ଦରରୁ ମିଳିବ ମୁକ୍ତି । ଏଣିକି ଶସ୍ତାରେ ଚାଲିପାରିବ ଆପଣଙ୍କ ଗାଡ଼ି । 

318

କନକ ବ୍ୟୁରୋ : ପେଟ୍ରୋଲ ଓ ଡିଜେଲର ଦର ଦିନକୁ ଦିନ ବଢିଚାଲିଥିବା ବେଳେ, ଏବେ ଘରୁ ଗାଡି କାଢିବାକୁ ବି ଡର ଲାଗିଲାଣି । ଏପରିକି ରାଜ୍ୟର କିଛି ସ୍ଥାନରେ ଲିଟର ପିଛା ଦର ୧୧୬ ଟଙ୍କାରେ ପହଞ୍ଚିଲାଣି । ବର୍ଦ୍ଧିତ ତେଲ ଦରକୁ ନେଇ ଗାଡି ଚାଳକ ଚିନ୍ତାରେ ଥିବା ବେଳେ, ଆସିଛି ଆଶ୍ୱସ୍ତିକର ଖବର ।

ଦେଶରେ ପେଟ୍ରୋଲ ଡିଜେଲ ଉପରେ ନିର୍ଭରତାକୁ କମ କରିବା ପାଇଁ ନୂଆ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ଖୁବଶୀଘ୍ର ବଜାରକୁ ଆସିପାରେ ଫ୍ଲେକ୍ସ ଫ୍ୟୁଲ୍ । ଏବେ ଆସନ୍ତୁ ଜାଣିବା କ’ଣ ଏହି ଫ୍ଲେକ୍ସ ଫ୍ୟୁଲ୍ ଏବଂ ଏହା କିପରି ଆପଣଙ୍କ ପାଇଁ ଲାଭଦାୟକ ହେବ ।

ଫ୍ଲେକ୍ସ ଫ୍ୟୁଲ୍ ଜରିଆରେ ଆପଣ ଆପଣଙ୍କ କାରକୁ ଇଥାନଲ୍ ସହ ମିଶ୍ରିତ ଇନ୍ଧନରେ ଚଳାଇପାରିବେ । ଏହା ଗ୍ୟାସୋଲିନ୍ ଏବଂ ମିଥାନଲ୍ କିମ୍ବା ଇଥାନଲର ମିଶ୍ରଣରୁ ପ୍ରସ୍ତୁତ ଏକ ବିକଳ୍ପ ଇନ୍ଧନ । ଫ୍ଲେକ୍ସ-ଇଞ୍ଜିନ୍ ମୂଳ ରୂପରେ ହେଉଛି ଏକ ମାନକ ପେଟ୍ରୋଲ ଇଞ୍ଜିନ୍ । ଯେଉଁଥିରେ କିଛି ଅତିରିକ୍ତ ଉପାଦନ ଅଛି, ଯାହା ଗୋଟିଏରୁ ଅଧିକ ଇନ୍ଧନ କିମ୍ବା ମିଶ୍ରଣରେ ଚାଲିଥାଏ । ତେଣୁ ଇଭି ଇଞ୍ଜିନ୍  ତୁଳନାରେ ଫ୍ଲେକ୍ସ ଇଞ୍ଜିନ୍ କମ୍ ମୂଲ୍ୟରେ ଉତ୍ପାଦିତ ହୁଏ । ଆଉ ସରକାର ଏହା ଉପରେ କାର୍ଯ୍ୟ କରୁଛନ୍ତି ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଆଗାମୀ ୬ମାସ ଭିତରେ ଫ୍ଲେକ୍ସ ଫ୍ୟୁଲ୍ ଇଞ୍ଜିନକୁ ବାଧ୍ୟତାମୂଳକ କରିବାକୁ ଯାଉଛନ୍ତି ସରକାର । କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ କହିବା ଅନୁଯାୟୀ, ସବୁ ପ୍ରକାର ଗାଡି ପାଇଁ ଏହି ଇଞ୍ଜିନ୍ ପ୍ରସ୍ତୁତ କରାଯିବ । ଏହା ସହ ଗାଡି ଗୁଡିକରେ ଏହି ଇଞ୍ଜିନ ଲଗାଇବାକୁ ସମସ୍ତ ଅଟୋ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦିଆଯିବ ।

ତେବେ ଯଦି ଫ୍ଲେକ୍ସ ଫ୍ୟୁଲ୍ ଇଞ୍ଜିନକୁ ବାଧ୍ୟତାମୂଳକ କରାଯାଉଛି, ତେବେ ଆପଣ ଏଣିକି ଶସ୍ତାରେ ଚଲାଇପାରିବେ ଗାଡି । ପେଟ୍ରୋଲ, ଡିଜେଲ୍ ପରି ଇଥାନଲରେ ମଧ୍ୟ ଆପଣ ଗାଡି ଚଲାଇପାରିବେ । ଆଉ ଇଥାନଲର ଦର ଲିଟର ପ୍ରତି ୬୫-୭୦ ଟଙ୍କା ଅଟେ । ଏବେ ଆସନ୍ତୁ ଜାଣିବା ଏହି ଇଞ୍ଜିନର ସ୍ୱତନ୍ତ୍ରତା କଣ ରହିଛି ।

ଆପଣଙ୍କ ଗାଡିରେ ଏବେ ଯେଉଁ ଇଞ୍ଜିନ ଲାଗୁଛି ଏବଂ ଫ୍ଲେକ୍ସ ଫ୍ୟୁଲ୍ ଇଞ୍ଜିନ ସମ୍ପୂର୍ଣ୍ଣ ଅଲଗା । ଏବେର ଇଞ୍ଜିନ ଅଲଗା ଅଲଗା, ଅର୍ଥାତ ପେଟ୍ରୋଲ ପାଇଁ ଅଲଗା ଟାଙ୍କି ଏବଂ ଡିଜେଲ ପାଇଁ ଅଲଗା ଟାଙ୍କି ରହିଥାଏ । କିନ୍ତୁ ଫ୍ଲେକ୍ସ ଫ୍ୟୁଲ୍ ଇଞ୍ଜିନରେ ଆପଣ ଗୋଟିଏ ଟାଙ୍କିରେ ଅନେକ ପ୍ରକାରର ଫ୍ୟୁଲ୍ ପକାଇପାରିବେ । ଏଭଳି ଇଞ୍ଜିନ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଏ ।