ଘରେ ରହି କରିପାରିବ କରୋନା ପରୀକ୍ଷା : ହୋମ୍ ବେସଡ୍ ଟେଷ୍ଟିଂ କିଟକୁ ମଞ୍ଜୁରୀ ଦେଲା ଆଇସିଏମଆର

ଏବେ କରୋନା ପରୀକ୍ଷା କରାଇବା ହେବ ଆହୁରି ସହଜ

4,596

କନକ ବ୍ୟୁରୋ : ଘରେ ରହି କରିପାରିବେ କରୋନା ଟେଷ୍ଟ । ହୋମ ବେସଡ୍ କୋଭିଡ୍ ଟେଷ୍ଟିଂ କିଟକୁ ମଞ୍ଜୁରୀ ଦେଲା ଆଇସିଏମଆର । କରୋନା ପାଇଁ ଆଂଟିଜେନ ଓ ଆରଟିପିସିଆର ପରୀକ୍ଷା କରାଯାଉଛି । ଆଂଟିଜେନର ରିପୋର୍ଟ ତୁରନ୍ତ ମିଳି ଯାଉଥିବାବେଳେ ୨୪ ଘଂଟା ପରେ ମିଳୁଛି ଆରଟିପିସିଆର ଟେଷ୍ଟ । କିନ୍ତୁ ଏବେ ଆପଣ ଘରେ ରହି ନିଜେ କୋଭିଡ୍ ଟେଷ୍ଟ କରିପାରିବେ ।

ତେବେ କିଏ ଓ କେମିତି ଟେଷ୍ଟ କରିବେ ସେନେଇ ଏକ ଗାଇଡଲାଇନ୍ ଜାରି କରିଛି ଆଇସିଏମଆର । ଏହା ଏକ ହୋମ ରାପିଡ୍ ଆଂଟିଜେନ ଟେଷ୍ଟିଂ କିଟ୍ । କରୋନାର ଲକ୍ଷଣ ଥିବା କିମ୍ବା ସଂକ୍ରମିତଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତି ଏହାର ବ୍ୟବହାର କରିପାରିବେ । ତେବେ ଭାରତରେ କେବଳ ଗୋଟିଏ କମ୍ପାନୀକୁ ମଞ୍ଜୁରୀ ଦେଇଛି ଆଇସିଏମଆର । ଏହାର ନାଁ ହେଉଛି ମାଇଁ ଲାବ୍ ଡିସକଭରୀ ସଲ୍ୟୁସନ ଓ ଲିମିଟେଡ । ଏହି ଟେଷ୍ଟିଂ ଆପ୍ ଗୁଗୁଲ ପ୍ଲେ ଷ୍ଟୋର ଓ ଆପଲ ଷ୍ଟୋରରେ ଉପଲବ୍ଧ ହେଉଛି । ଏହାକୁ ସମସ୍ତ ମୋବାଇଲ ବ୍ୟବହାରକାରୀ ଡାଉନଲୋଡ୍ କରିପାରିବେ ।

ଆପରେ ନିୟମ ଅନୁଯାୟୀ, ସମସ୍ତ ପକ୍ରିୟା ଶେଷ କରିବା ପରେ ନେଗେଟିଭ୍ କିମ୍ବା ପଜିଟିଭ୍ ରିପୋର୍ଟ ଆସିବ । ଏହି ତଥ୍ୟ ଆଇସିଏମଆରର ନିକଟରେ ରହିବ । ଏହା ଦ୍ୱାରା ଲାବ୍ରୋଟୋରୀ ଗୁଡିକ ଉପରେ ବଢ଼ୁଥିବା ଚାପ କମିବ ବୋଲି କୁହାଯାଉଛି । ପ୍ରାୟ ଗୋଟିଏ ସପ୍ତାହ ମଧ୍ୟରେ ଏହି ‘ଟେଷ୍ଟିଙ୍ଗ୍‌-କିଟ୍‌’ ବଜାରରେ ମିଳିବ। ଟିକସ ସମେତ ଏହି ‘କିଟ୍‌’ର ମୂଲ୍ୟ ରଖାଯାଇଛି ୨୫୦ ଟଙ୍କା ।