ଟ୍ରେନରେ ମିଳିବ ହୋଟେଲ ଭଳି ସୁବିଧା ! ଜାଣନ୍ତୁ କିଭଳି କରିବେ ଏହି ସ୍ୱତନ୍ତ୍ର କୋଚ ପାଇଁ ବୁକିଂ ।

19

ଟ୍ରେନରେ ଯାତ୍ରା କରିବା ସମୟରେ ଅନେକ ସମୟରେ କ୍ଲାନ୍ତ ଅନୁଭବ ହୋଇଥାଏ । ଏହା ସହ ଟ୍ରେନରେ ଗୋପନୀୟତା ମୁଖ୍ୟ ସମସ୍ୟା ପାଲଟିଥାଏ । ତେବେ ଏହାକୁ ଦୃଷ୍ଟିରେ ରଖି ଆଇଆରସିଟିସି ଯାତ୍ରୀ ମାନଙ୍କ ପାଇଁ ବିକଳ୍ପ ଭାବେ ଟ୍ରେନରେ ସେଲୁନ କୋଚର ବ୍ୟବସ୍ଥା କରିଛି । ଏହା ପୁରାପୁରି ହୋଟେଲ ସଦୃଶ ।

ଏଥିରେ ରହିଛି ଏୟାର କଣ୍ଡିସନ ବେଡରୁମ, ଲିଭିଙ୍ଗ ରୁମ, ପ୍ୟାଣ୍ଟ୍ରି, ଟଏଲେଟ ଏପରିକି କିଚେନର ମଧ୍ୟ ସୁବିଧା ରହିଛି । ପ୍ରଥମେ ଏହି କୋଚ କେବଳ ଅଧିକାରୀମାନଙ୍କୁ ଦିଆଯାଉଥିଲା । କିନ୍ତୁ ଏହେ ଏହାକୁ ସାଧାରଣ ଲୋକ ମାନେ ମଧ୍ୟ ବୁକ କରିପାରିବେ । ଆଇଆରସିଟିସି ଏହାକୁ ମୁଭିଙ୍ଗ ହାଉସର ନାମ ଦେଇଛି । ରେଳବାଇ ପାଖରେ ଏଭଳି ସମୁଦାୟ ୩୩୬ଟି କୋଚ ଅଛି । ଯେଉଁଥିରୁ ୬୨ଟି ଏସି କୋଚ । ଗୋଟିଏ ବଗିରେ ଦୁଇଟି ପରିବାର ଯାତ୍ରା କରିପାରିବେ ।

ଏଭଳି ସୁବିଧା ସମ୍ବନ୍ଧରେ ଜାଣିବା ପରେ ଏହି କୋଚରେ ଯାତ୍ରା କରିବା ପାଇଁ ଆପଣଙ୍କର ମଧ୍ୟ ମନ ହେଉଥିବ । କିନ୍ତୁ ଏହା ପୂର୍ବରୁ ଏହି ଟ୍ରେନରେ ଯାତ୍ରା କରିବା ପାଇଁ କେତେ ଟଙ୍କା ଭଡା ଦେବାକୁ ପଡିବ ସେ ବାବଦରେ ମଧ୍ୟ ଜାଣିନିଅନ୍ତୁ । ଏହି ସେଲୁନ କୋଚକୁ ୫ଦିନ ପାଇଁ ବୁକ କରିବାକୁ ହେଲେ ଆପଣଙ୍କୁ ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ରେଳବାଇ ଧାର୍ମିକ ଯାତ୍ରା, ବିବାହ ଭଳି କାର୍ଯ୍ୟକ୍ରମ ପାଇଁ ଏହାକୁ ବୁକ କରିଥାଏ । ଏହି କୋଚକୁ ବୁକ କରିବା ପାଇଁ ଆପଣଙ୍କୁ ଆପଣଙ୍କ ନିକଟସ୍ଥ ଷ୍ଟେସନ ମ୍ୟାନେଜରଙ୍କ ନିକଟରୁ ସମସ୍ତ ସୂଚନା ନେବାକୁ ପଡିବ ।

ଏହି ଟ୍ରେନରେ ଯାତ୍ରା କରିବା ସମୟରେ ଯାତ୍ରୀମାନଙ୍କର ସେବା ନିମନ୍ତେ କୋଚରେ ଷ୍ଟାଫ ମଧ୍ୟ ଉପସ୍ଥିତ ରହିବେ । ତେବେ ସାଧାରଣ ଜନସାଧାରଣଙ୍କ ପାଇଁ ସେଲୁନ କୋଚର ସୁବିଧା ଉପଲବ୍ଧ କରାଇବାର ଏହି ନିଷ୍ପତ୍ତି ଗତ ଜାନୁଆରୀରେ ରେଳବାଇ ବୋର୍ଡ ଚେୟାରମ୍ୟାନ ଅଶ୍ୱନୀ ଲୋହାନୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ବୈଠକରେ ନିଆଯାଇଥିଲା ।